ୱାଶିଂଟନ: ସମସ୍ତ ଆମେରିକାର ନାଗରିକ ସ୍ବଦେଶକୁ ସୁରକ୍ଷିତ ଭାବେ ନ ଫେରିବା ପର୍ଯ୍ୟନ୍ତ ସେନା ଆଫଗାନିସ୍ତାନରେ ରହିବ ବୋଲି ବୁଧବାର କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ । ଅଗଷ୍ଟ ୩୧ ତାରିଖ ପରେ ମଧ୍ୟ ସମସ୍ତ ଆମେରିକୀୟ ନ ଫେରିବା ପର୍ଯ୍ୟନ୍ତ ଆଫଗାନିସ୍ତାନରୁ ସେନା ହଟାଇବ ନାହିଁ ଆମେରିକା ।
ଆଫଗାନିସ୍ତାନରୁ ଆମେରିକା ସେନାକୁ ଫେରାଇନେବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ବାଇଡ଼େନ ସରକାର । ତେବେ ଏବେ ମଧ୍ୟ ଆଫଗାନିସ୍ତାନରେ ଅନେକ ଆମେରିକା ନାଗରିକ ଫସି ରହିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ପାଇଁ ସେଠାରେ ଆମେରିକାର ସେନାଙ୍କୁ ମୁତୟନ କରାଯାଇଛି । ସମୟସୀମା ଶେଷ ହେବା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ନାଗରିକ ଓ ସହଯୋଗୀଙ୍କୁ ଆଣିବା ପାଇଁ ଦେଶ ଚେଷ୍ଟା କରିବ । କିନ୍ତୁ ଯଦି ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏହା ସମ୍ଭବ ନ ହୁଏ, ଏହାପରେ ମଧ୍ୟ ସେନା ସେଠାରେ ରହିବ ବୋଲି କହିଛନ୍ତି ବାଇଡ଼େନ ।
ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ସମୟରେ ସେଠାରେ ୧୫ ହଜାର ଆମେରିକୀୟ ଫସି ରହିଥିଲେ । ଆଫଗାନିସ୍ତାନରୁ ବାହାରକୁ ଯାଉଥିବା ଅନେକ ଲୋକଙ୍କ ଯାତାୟାତ ଉପରେ ତାଲିବାନ ଆତଙ୍କବାଦୀ ରୋକ ଲଗାଉଥିବା ମଧ୍ୟ ଖବର ମିଳିଛି । ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ତାଲିବାନ ସହିତ କଥାବାର୍ତ୍ତା କରାଯାଉଛି । ବିମାନବନ୍ଦରରେ ପ୍ରାୟ ୪୫୦୦ ଆମେରିକା ସେନା ରହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଇବା ସମୟରେ ଆମେରିକାର ସେନାମାନେ ସୁରକ୍ଷା ଯୋଗାଉଥିବା ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନରେ ତାଲିବାନ କର୍ଫ୍ୟୁ ଲଗାଇଥିବାରୁ ଅନେକ ଆମେରିକା ନାଗରିକମାନେ ବିମାନ ବନ୍ଦର ନିକଟରେ ପହଞ୍ଚି ପାରୁନାହାନ୍ତି । ତେବେ ଏଥିଲାଗି ତାଲିବାନ କମାଣ୍ଡରଙ୍କ ସହିତ ଆଲୋଚନା କରାଯାଉଛି । ପେଣ୍ଟାଗନର ମୁଖ୍ୟ ପ୍ରବକ୍ତା ଜନ କିର୍ବୀଙ୍କ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ଆମେରିକା ନାଗରିକ ସମେତ ୨୦୦୦ ଲୋକ ଆମେରିକା ବାୟୁସେନାର C-17 ବିମାନ ଯୋଗେ ସ୍ବଦେଶ ଫେରିଛନ୍ତି ।
ତେବେ ସୂଚନା ଥାଉ କି ଦୀର୍ଘ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ । ଦେଶକୁ କବଜା କରିବା ପରେ ଆଫଗାନିସ୍ତାନରେ ରହୁଥିବା ଅନ୍ୟ ଦେଶର ନାଗରିକମାନେ ଜୀବନ ବିକଳରେ ସ୍ବଦେଶ ଫେରିବା ପାଇଁ ବିମାନବନ୍ଦରରେ ଭିଡ଼ ଜମାଇଛନ୍ତି । ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇବା ଆଣିବା ପାଇଁ ବିଭିନ୍ନ ଦେଶର ସରକାର ପ୍ରୟାସ ଜାରି ରଖିଛନ୍ତି ।
@PTI