ୱାସିଂଟନ: କୋରୋନାକୁ ମାତ୍ ଦେବାକୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ଟିକା ବିକଶିତ କରିବାରେ ଲାଗିପଡିଛନ୍ତି । ଇତିମଧ୍ୟରେ ଆମେରିକୀୟ ନୋଭାଭାକ୍ସ କମ୍ପାନୀ ଦ୍ବାରା ବିକଶିତ ଟିକା 90 ପ୍ରତିଶତରୁ ଅଧିକ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଆମେରିକା ଓ ମେକ୍ସିକୋର 30 ହଜାର ସ୍ବେଚ୍ଛାସେବୀଙ୍କ ଉପରେ ଚାଲିଥିବା ଟିକାର କ୍ଲିନିକାଲ ଟ୍ରାଏଲରୁ ଏହା ସ୍ପଷ୍ଟ ହୋଇଛି ବୋଲି ସୋମବାର କମ୍ପାନୀ ସୂଚନା ଦେଇଛି ।
ଟିକାର କ୍ଲିନିକାଲ ଟ୍ରାଏଲ ଫଳାଫଳ ପରେ ଆମେରିକା ସମେତ ଆଉ କିଛି ସ୍ଥାନରେ ଜରୁରୀକାଳୀନ ବ୍ୟବହାର ପାଇଁ ନୋଭାଭାକ୍ସ ଟିକାକୁ ଟ୍ରାକରେ ରଖାଯାଇଛି । ଏହି ଟିକାଟି ମଧ୍ୟମ ଧରଣର ଓ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ହେବ । କମ୍ପାନୀର ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ମୁଖ୍ୟ ଡଃ ଗ୍ରେଗୋରୀ ଗ୍ଲେନ କହିବା ମୁତାବକ ନୋଭାଭାକ୍ସ ଟିକା ଅଧିକ ସଂକ୍ରମଣ ଆଶଙ୍କା ସମ୍ପନ୍ନ ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ 91 ପ୍ରତିଶତ ଏବଂ ମଧ୍ୟମ ଓ ଗୁରୁତର ମାମଲା ରୋକିବାରେ 100 ପ୍ରତିଶତ ପ୍ରଭାବଶାଳୀ ଅଟେ । ସେପଟେ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଏହି ନୋଭାଭକ୍ସ ଟିକାକୁ ଭାରତରେ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ସହ ସହବନ୍ଧିତ ହୋଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ