ଅଷ୍ଟ୍ରେଲିଆ: ଶିଶୁର ମା' ଗର୍ଭରେ ରହିବା ଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ପିତାମାତା ଶିଶୁକୁ ନେଇ ଅନେକ ଆଶା-ଆଶଙ୍କାରେ ରହିଥା'ନ୍ତି । ପ୍ରତିଟି ମାତାପିତା ଏହା ଚାହିଁଥା'ନ୍ତି ଯେ, ତାଙ୍କ ଶିଶୁ ସୁନ୍ଦର ଏବଂ ସ୍ବାସ୍ଥ୍ୟବାନ ହେଉ ।
ଶିଶୁ ଜନ୍ମ ନେବାମାତ୍ରେ ହିଁ ତା'ର ସ୍ବାସ୍ଥ୍ୟ ସହିତ ଜଡିତ ପ୍ରତିଟି ଜିନିଷକୁ ଯାଞ୍ଚ କରାଯାଇଥାଏ । ଯେଉଁଥିରେ ଶିଶୁର ଓଜନକୁ ଅଧିକ ପ୍ରାଥମିକତା ଦିଆଯାଇଥାଏ । ମାତ୍ର ଜଣେ ମହିଳା ଏକ ଦ୍ବିଗୁଣିତ ଓଜନଯୁକ୍ତ ଶିଶୁକୁ ଜନ୍ମ ଦେଇ ଏବେ ଚର୍ଚ୍ଚାରେ ।
ତେବେ ଅଷ୍ଟ୍ରେଲିଆର ସିଡିନୀର ଏକ ଡାକ୍ତରଖାନାରେ ଜଣେ 27 ବର୍ଷୀୟ ମହିଳା ଇମା 38 ସପ୍ତାହର ଗର୍ଭଧାରଣ ପରେ 5.88 କିଲୋର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସେହି ଶିଶୁର ନାମ ରେମି । ତେବେ ଏହି ଡେଲିଭରି ପରେ ଶିଶୁ ଏବଂ ମା' ଉଭୟ ସୁସ୍ଥ ଅଛନ୍ତି । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଅଷ୍ଟ୍ରେଲିଆରେ ଏକ ନବଜାତ ଶିଶୁର ଓଜନ 3.3 କିଲୋ ହୋଇଥାଏ ।
ଏମରଜେନ୍ସି ସିଜରିନ ଅପରସନ ପରେ ଇମା ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଯାହାକୁ ଦେଖି ହସ୍ପିଟାଲର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଜନ୍ମର କିଛିଦିନ ପୂର୍ବରୁ ଅଲଟ୍ରାସାଉଣ୍ଡ ଦ୍ବାରା ଏହା ସାମ୍ନାକୁ ଆସିଥିଲା ଯେ, ଶିଶୁର ଓଜନ ପ୍ରାୟ 4କିଲୋ ପାଖାପାଖି ରହିଛି । ତେଣୁ ଇମା ସେହି ସମୟରୁ ହିଁ ଜଣେ ସ୍ବାସ୍ଥ୍ୟବାନ ଶିଶୁକୁ ଜନ୍ମ ଦେବାକୁ ପ୍ରସ୍ତୁତ ଥିଲେ ।
ଏଠାରେ ସୂଚନାଯୋଗ୍ୟ, ଇମା ଏହ ପୂର୍ବରୁ ମଧ୍ୟ ଦୁଇ ଦୁଇଟି ଓଜନଦାର ଶିଶୁଙ୍କ ଜନ୍ମ ଦେଇ ସାରିଛନ୍ତି । ତାଙ୍କର ପ୍ରଥମ ଶିଶୁର ଓଜନ 3.8 କିଲୋ ଏବଂ ଦ୍ବିତୀୟ ଶିଶୁର ଓଜନ 5.5 କିଲୋ ଥିଲା ।