ବାଗଦାଦ: ପୁଣିଥରେ ଇରାନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଆମେରିକା । ଇରାନର ଟପ୍ କମାଣ୍ଡର ମେଜର ଜେନେରାଲ କାଶିମ ସୁଲେମାନିଙ୍କୁ ଆମେରିକା ଏୟାରଷ୍ଟ୍ରାଇକରେ ନିହତ କରିଛି । ଆମେରିକା ଦ୍ବାରା କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଇତି ମଧ୍ୟରେ ସୁଲେମାନିଙ୍କ ମୃତ୍ୟୁକୁ ନେଇ ବହୁତ ବଡ ଦାବି କରିଛି ଆମେରିକା । ଇରାକ୍ବାସୀ ସୁଲେମାନିଙ୍କ ମୃତ୍ୟୁର ଉତ୍ସବ ମନାଉଛନ୍ତି । ସେମାନେ ଖୁସିରେ ରାସ୍ତାରେ ନୃତ୍ୟ କରୁଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଦାବି କରିଛନ୍ତି ।
ଲୋକମାନେ ଶୋଭାଯାତ୍ରା କରୁଥିବାର ଏକ ଭିଡିଓ ଟ୍ବିଟରରେ ସେୟାର୍ କରି ପମ୍ପିଓ କହିଛନ୍ତି, ସୁଲେମାନଙ୍କ ମୃତ୍ୟୁପରେ ଇରାକରେ ଉତ୍ସବର ମାହୋଲ ରହିଛି । ସ୍ବାଧୀନତା ପାଇଁ ସେମାନେ ରାସ୍ତାରେ ନୃତ୍ୟ କରୁଛନ୍ତି ବୋଲି ପମ୍ପିଓ କହିଛନ୍ତି । ଭିଡିଓରେ ଏକାଧିକ ମିଟର ଲମ୍ବା ଇରାକ୍ର ଜାତୀୟ ପତାକା ଧରି ଲୋକେ ରାସ୍ତାରେ ଦୌଡୁଛନ୍ତି। ତେବେ ଭିଡିଓର ସତ୍ୟାସତ୍ୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ସେପଟେ ଏୟାରଷ୍ଟ୍ରାଇକ ପରର ଦୃଶ୍ୟ ସାମ୍ନାକୁ ଆସିଛି । ଋଷର ଏକ ଗଣମାଧ୍ୟମ ଏହାକୁ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛି । ଏହି ଭିଡିଓରେ ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପଟେ ସେପଟେ ଦୌଡୁଥିବା ଦେଖିବାକୁ ମିଳିଛି ।