ନ୍ୟୁୟର୍କ: ଲକଡାଉନ ମଣିଷକୁ ଅନେକ ଅସୁବିଧାରେ ପକାଇବା ସହ ଶିଖାଇଛି ପ୍ରକୃତିକୁ ଭଲ ପାଇବାର ନିଆରା ଉପାୟ । ପ୍ରକୃତି ଉପରେ ଯେ ମଣିଷ କେତେ ନିର୍ଭରଶୀଳ ତାହା ଲକଡାଉନ ଅନେକଙ୍କୁ ଶିଖାଇଛି । ଏହି ସମୟ ମଧ୍ୟରେ ପ୍ରକୃତି ଓ ମଣିଷକୁ ନେଇ ବିଭିନ୍ନ ଗବେଷଣା ହୋଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି କି ସହରାଞ୍ଚଳରେ ଅକାଳ ମୃତ୍ୟୁ କମାଇବା ପାଇଁ ବୃକ୍ଷରୋପଣ ଓ ହରିତ ପରିବେଶ ଅନେକ ସାହାଯ୍ୟ କରେ ।
ପ୍ରାୟ 7ଟି ଦେଶର 8ମିଲିୟନ ଲୋକଙ୍କ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କି ହରିତ ପରିବେଶ ଲୋକଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବାରେ ସାହାଯ୍ୟ କରେ । ଅକାଳ ବିୟୋଗ ପଛରେ ମୂଳ କାରଣ ହେଉଛି ମନରେ ଦୁଃଖ, ମାନସିକ ଚାପ ଓ ମାନସିକ ବିଷାଦ । ଯାହାକୁ ଦୂର କରିବାରେ ଗଛ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆମେରିକାର ଫିଲାଡେଲଫିଆରେ ଏନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି କି ସହରାଞ୍ଚଳରେ ହରିତ ପରିବେଶ ସୃଷ୍ଟି ଦ୍ବାରା ବାର୍ଷିକ ପ୍ରାୟ 400 ଅକାଳ ମୃତ୍ୟୁକୁ ରୋକାଯାଇପାରିବ ।
ବର୍ତ୍ତମାନ ସହରମାନଙ୍କରେ ମାତ୍ରାଧିକ ଘର ତିଆରି ହେଉଥିବାରୁ ଏହି ଅଞ୍ଚଳଗୁଡିକରେ ଗଛ ଆଉ ନାହିଁ କହିଲେ କିଛି ଭୂଲ ହେବ ନାହିଁ । ଫଳରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ ହେଉଥିବା ଦେଖାଯାଏ । ବାର୍ସିଲୋନା ଇନଷ୍ଟିଚ୍ୟୁଟ ଫର ଗ୍ଲୋବାଲ ହେଲଥ ନେତୃତ୍ବରେ ଏହି ବିଷୟରେ ହୋଇଥିବା ଅଧ୍ୟୟନରେ ସ୍ପଷ୍ଟ କରାଯାଇଛି କି ସହରାଞ୍ଚଳରେ ହରିତ ପରିବେଶ ସୃଷ୍ଟି ଦ୍ବାରା ଅମ୍ଲଜାନର ପରିମାଣ ନିୟନ୍ତ୍ରିତ ହୋଇଥାଏ । ଯାହା ଦ୍ବାରା ଶ୍ବାସକ୍ରିୟା ମଧ୍ୟ ଶୁଦ୍ଧ ହୋଇପାରିଥାଏ । ପରିଣାମ ସ୍ବରୂପ ଶରୀରର ବିଭିନ୍ନ ଅଙ୍ଗର କାର୍ଯ୍ୟକାରିତା ବୃଦ୍ଧି ହେବା ସହ ଏହାର ଆୟୁଷ ମଧ୍ୟ ବଢିଥାଏ ।
ତେଣୁ ଲକଡାଉନରୁ ଶିକ୍ଷା ଗ୍ରହଣ କରି ସହରାଞ୍ଚଳମାନଙ୍କରେ ବୃକ୍ଷରୋପଣର ପରିମାଣ ବୃଦ୍ଧି କରିବାକୁ ହେବ । ଯାହା ଧିରେ ଧିରେ ସହରର ପରିବେଶକୁ ଶୁଦ୍ଧ କରିବା ସହ ଲୋକଙ୍କ ଅକାଳ ମୃତ୍ୟୁ ରୋକିବ । ଯାହା ପରୋକ୍ଷରେ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବାରେ ସାହାଯ୍ୟ କରିବ ।
@IANS