ୱାଶିଂଟନ: 2020 ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଗୋଟିଏ ବିଷୟ ଅପରିବର୍ତ୍ତିତ ରହିଛି: ନଭେମ୍ବର 3 ନିର୍ବାଚନରେ ଭୋଟଦାତାମାନଙ୍କ ଆଗରେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ନୀତି ଭିତ୍ତିକ ପଥ ବିଦ୍ୟମାନ ।
ନିଜ ସହଯୋଗୀ ରିପବ୍ଲିକାନ୍ ନେତାମାନଙ୍କ ଭଳି, ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଟିକସ ରିହାତି ଭଳି ନୀତି ସପକ୍ଷରେ ରହି ନିଜକୁ ସଂରକ୍ଷଣବାଦୀ ସଂସ୍କୃତିର ଜଣେ ପୁରୋଧା ଭାବେ ଉପସ୍ଥାପନ କରିବାରେ ଲାଗିଛନ୍ତି । ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେଲେ କେଉଁ ଢଙ୍ଗରେ ସେ ସରକାର ପରିଚାଳନା କରିବେ, ସେ ସଂପର୍କରେ ରାଷ୍ଟ୍ରପତି ଟ୍ରମ୍ପ୍ ସମ୍ୟକ୍ ସୂଚନା ଦେଇଛନ୍ତି । ଆମେରିକାର ସରକାରୀ ନୀତିକୁ ବାମପନ୍ଥୀ ନୀତିରେ ପରିଣତ ନକରିବା ସକାଶେ, ତାଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍ଙ୍କୁ କ୍ଷମତା ହାସଲରୁ ଅଟକାଇବା ହିଁ ତାଙ୍କ ତର୍କର ସବୁଠାରୁ ପ୍ରଭାବଶାଳୀ ବିଷୟବସ୍ତୁ ହୋଇଆସିଛି ।
ଅନ୍ୟ ପକ୍ଷରେ, ବାଇଡେନ୍ ସେମିତି ଜଣେ ସମାଜବାଦୀ ଚରିତ୍ର ଆଦୌ ନୁହଁନ୍ତି, ଯେମିତିକି ତାଙ୍କୁ ଟ୍ରମ୍ପ୍ ଦର୍ଶାଇ ଆସୁଛନ୍ତି । କିନ୍ତୁ ସେ ଜଣେ ମଧ୍ୟମ-ବାମପନ୍ଥୀ ଡେମୋକ୍ରାଟ୍ ଏବଂ କୋରୋନାଭାଇରସ୍ ମୁକାବିଲା, ଅର୍ଥନୀତିର ପୁନର୍ଗଠନ ଏବଂ ଶହ ଶହ ବର୍ଷ ଧରି ରହିଆସିଥିବା ବଂଶବାଦ ସହିତ ସାମାଜିକ ପଦ୍ଧତିଗତ ଅସମାନତା ଦୂରୀକରଣ ଦିଗରେ ସଂଘୀୟ ସରକାରକୁ ଏକ ଶକ୍ତି ରୂପରେ ସେ ଉପସ୍ଥାପନ କରିଆସିଛନ୍ତି । ପୂର୍ବତନ ଉପ ରାଷ୍ଟ୍ରପତି ଏବଂ ଆମେରିକାର ସିନେଟର ବାଇଡେନ୍ ଅତୀତରେ ବିଭିନ୍ନ ଚୁକ୍ତିନାମା ସଂପାଦନରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନକୁ ତାଙ୍କ ଯୋଗ୍ୟତାର ପ୍ରମାଣ ରୂପେ ତୋଳି ଧରିବା ସହିତ ସେ ଯେ ରାଷ୍ଟ୍ରପତିଙ୍କ ଓଭାଲ୍ ଅଫିସ୍ରୁ ପୁଣି ସେହିଭଳି କାମ କରିପାରିବେ ବୋଲି ବିଶ୍ବାସ ଜନ୍ମାଉଛନ୍ତି ।
ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଉଭୟ ପ୍ରତିଦ୍ବନ୍ଦ୍ବୀଙ୍କ ଦୃଷ୍ଟିକୋଣ
କୋରୋନାଭାଇରସ୍
ଟ୍ରମ୍ପ୍ଙ୍କ ପୁନଃ ନିର୍ବାଚନ କ୍ଷେତ୍ରରେ ବୃହତ୍ତମ ବାଧକ
ସମଗ୍ର ଗ୍ରୀଷ୍ମ କାଳରେ ଟ୍ରମ୍ପ ସ୍ବୀକାର କରିଆସିଥିଲେ ଯେ ଏହି ବିଶ୍ବ ମହାମାରୀ ଜନିତ “ସ୍ଥିତି ଭଲ ହେବା ତୁଳନାରେ ଅଧିକ ଖରାପ ହେବ” ଏବଂ ଏହି ସଂକଟକୁ “ଆମେରିକା କରାୟତ୍ତ” କରିପାରିଛି । ତା’ପରେ ସେ ନିଜେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିଲେ ।
ପୁଣି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଲାଗି ଟ୍ରମ୍ପଙ୍କ ଆଶାରେ ସବୁଠାରୁ ବଡ଼ ବାଧକ ସାଜିଛି ବିଶ୍ବ ମହାମାରୀ ଏବଂ ନିର୍ବାଚନ ଦିନର ମାତ୍ର କେଇ ସପ୍ତାହ ଆଗରୁ ସେ ନିଜେ ଭୂତାଣୁ ସଂକ୍ରମିତ ହେବା ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାର କେନ୍ଦ୍ରରେ ରହିଛି ।
‘ଆସୋସିଏଟେଡ୍ ପ୍ରେସ୍-ଏନ୍ଓଆର୍ସି ସେଣ୍ଟର ଫର୍ ପବ୍ଲିକ୍ ଆଫେୟାର୍ସ ରିସର୍ଚ୍ଚ’ ପକ୍ଷରୁ ନିକଟରେ ହୋଇଥିବା ଏକ ମତାମତ ସର୍ଭେ ଅନୁସାରେ, ପ୍ରାୟ 7ରୁ 10 ଜଣ ଆମେରିକୀୟଙ୍କ ମତରେ ଦେଶ ଭୁଲ ବାଟରେ ଗତି କରୁଛି ଏବଂ ଆମେରିକାରେ 207,000ରୁ ଅଧିକ ଲୋକଙ୍କ ପ୍ରାଣ ନେଇଥିବା ଏହି ଭୂତାଣୁ ଜନିତ ସଂକଟ ପରିଚାଳନା କରିବାରେ ଟ୍ରମ୍ପଙ୍କ ଭୂମିକାକୁ ମାତ୍ର 39% ଲୋକ ସମର୍ଥନ କରନ୍ତି ।
ମାର୍ଚ୍ଚ ଓ ଏପ୍ରିଲରେ କୋରୋନାଭାଇରସ୍ ସହାୟତା ଦିଗରେ 3 ଟ୍ରିଲିଅନ୍ (ଲକ୍ଷ କୋଟି) ଡଲାର ପାଣ୍ଠିକୁ କଂଗ୍ରେସ ଅନୁମୋଦନ କରିଥିଲା ଏବଂ ଆଉ ଏକ ପର୍ଯ୍ୟାୟ ପାଣ୍ଠି ଯୋଗାଣକୁ କେନ୍ଦ୍ର କରି ଡେମୋକ୍ରାଟ୍ ଏବଂ ହ୍ବାଇଟ୍ ହାଉସ୍ ମଧ୍ୟରେ ଟଣାଓଟରା ଲାଗି ରହିଛି ଏବଂ ଏ କ୍ଷେତ୍ରରେ ସେ କ’ଣ ଚାହୁଁଛନ୍ତି, ସେ ସଂପର୍କରେ ଟ୍ରମ୍ପ୍ ଭିନ୍ନ ଭିନ୍ନ ବାର୍ତ୍ତା ଦେବାରେ ଲାଗିଛନ୍ତି ।
ସଂକଟର ସମାଧାନ ଉପାୟ ସଂପର୍କିତ ସମସ୍ତ ଉତ୍ତରଦାୟିତ୍ବ ଟ୍ରମ୍ପ୍ ପ୍ରାୟତଃ ଗଭର୍ଣ୍ଣରମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି ।
ବିଶ୍ବ ମହାମାରୀ ସଂକଟକୁ କେନ୍ଦ୍ର କରି ଟ୍ରମ୍ପ୍ଙ୍କ ତୁଳନାରେ ବାଇଡେନ୍ ସଂପୂର୍ଣ୍ଣ ଭିନ୍ନମତ ପୋଷଣ କରନ୍ତି ଏବଂ ଏଭଳି ସଂକଟର ସମାଧାନ କ୍ଷେତ୍ରରେ ରାଷ୍ଟ୍ରପତି ଏବଂ ସଂଘୀୟ ସରକାର ଦାୟୀ ବୋଲି ଯୁକ୍ତି କରନ୍ତି । ଏ କ୍ଷେତ୍ରରେ ଟ୍ରମ୍ପ୍ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଲାଗି ଏହା ହିଁ ଦାୟୀ ବୋଲି ସେ କହିଛନ୍ତି ।
ସର୍ଭେ ରିପୋର୍ଟ
ବ୍ୟାବସାୟିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହାୟତା କ୍ଷେତ୍ରରେ, ରାଜ୍ୟ ଓ ସ୍ଥାନୀୟ ସରକାରମାନଙ୍କ ସହିତ ସଂଘୀୟ ସରକାର ସହୃଦୟତାର ସହ ଖର୍ଚ୍ଚ କରିବେ ବୋଲି ବାଇଡେନ୍ ମତପୋଷଣ କରନ୍ତି । ପ୍ରତିରକ୍ଷା ଉତ୍ପାଦନ ନିୟମକୁ ଜୋରଦାର ଢଙ୍ଗରେ ଲାଗୁ କରିବେ ବୋଲି ସେ କହିଛନ୍ତି । ଏହି ଆଇନ ବଳରେ ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି କେତେକ ବେସରକାରୀ ସଂସ୍ଥାର କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିପାରିବେ ।
ଏହା ସହିତ, ଦେଶବାସୀଙ୍କ ସହ ଅବିରତ ଯୋଗାଯୋଗ ରକ୍ଷା କରିବା କ୍ଷେତ୍ରରେ ସରକାରୀ ବିଜ୍ଞାନୀ ଓ ଚିକିତ୍ସକମାନଙ୍କ ସ୍ଥିତିରେ ଉନ୍ନତି କରିବା ଲାଗି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆମେରିକା ପୁଣି ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଯୋଗ ଦେବ ବୋଲି କହିଛନ୍ତି । ତାଙ୍କ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରୟୋଗ କରି ସାରା ଦେଶରେ ମାସ୍କ ସଂପର୍କିତ ନୀତି ପ୍ରଣୟନ କରିବେ ବୋଲି ମଧ୍ୟ କହିଛନ୍ତି । ହେଲେ ଏହି ନୀତି କେତେ ଦୂର କାର୍ଯ୍ୟକାରୀ ହୋଇପାରିବ ତା ଉପରେ ପ୍ରଶ୍ନବାଚୀ ଲାଗି ରିହଛି ।
ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶିକ୍ଷାଲାଭ କରିବା ନିମନ୍ତେ ସ୍କୁଲଗୁଡ଼ିକୁ ପୁଣି ଖୋଲିବା ଉପରେ ଟ୍ରମ୍ପ୍ ଜୋର ଦେଇ ଆସୁଛନ୍ତି ଏବଂ ସଂଘୀୟ ସରକାର ବିଭିନ୍ନ ରାଜ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ‘ରାପିଡ୍ କୋରୋନା ଭାଇରସ୍ ଟେଷ୍ଟ୍’ ଉପକରଣ ଯୋଗାଇ ଦେବେ ବୋଲି ସେ କହିଛନ୍ତି । କିଣ୍ଡରଗାର୍ଟନ୍ରୁ 12 ଗ୍ରେଡ୍ ଯାଏଁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ଖୋଲିବା କ୍ଷେତ୍ରରେ ଏହି ଉପକରଣଗୁଡ଼ିକର ଉପଯୋଗ କରିବା ଲାଗି ସେ ଗଭର୍ଣ୍ଣରମାନଙ୍କୁ କହିଛନ୍ତି ।
ସ୍କୁଲ୍ ପୁଣି ଖୋଲିବା ଲାଗି ଟ୍ରମ୍ପ ଦେଇଥିବା ଆହ୍ବାନକୁ ଚାର୍ଟର ସ୍କୁଲ୍ ଏବଂ ସ୍କୁଲ୍ ପସନ୍ଦ କରିବାର ଅଧିକାର ସପକ୍ଷରେ ତାଙ୍କ ମତାମତ ପ୍ରତି ସମର୍ଥନ ରୂପରେ ସେ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି । ଦୀର୍ଘ ଦିନ ହେଲା ଚାର୍ଟର ସ୍କୁଲ ଏବଂ ସ୍କୁଲ୍ ଭାଉଚର କାର୍ଯ୍ୟକ୍ରମ ସପକ୍ଷରେ ମତପୋଷଣ କରିଆସୁଥିବା ଶିକ୍ଷା ସଚିବ ବେଟ୍ସି ଡିଭୋସ୍ ଦେଇଥିବା ପ୍ରସ୍ତାବ ଅନୁସାରେ ବନ୍ଦ ରହିଥିବା ଡିଷ୍ଟ୍ରିକ୍ଟ ସ୍କୁଲ ପାଇଁ ସଂଘୀୟ ସରକାର ଦେଉଥିବା ପାଣ୍ଠିକୁ ଖୋଲିସାରିଥିବା ବେସରକାରୀ ସ୍କୁଲ୍ ପାଇଁ ଖର୍ଚ୍ଚ କରିବାକୁ ପରିବାରମାନଙ୍କୁ ଅନୁମତି ଦିଆଯାଇପାରେ । ଟ୍ରମ୍ପଙ୍କ ଶାସନ କାଳର ଅଧିକାଂଶ ସମୟରେ ସଂଘୀୟ ଚାର୍ଟର ସ୍କୁଲ ପାଇଁ ସରକାରୀ ସହାୟତାରେ ବିଶେଷ ବୃଦ୍ଧି କରାଯାଇଛି । କିନ୍ତୁ ଏହାର ପ୍ରତ୍ୟୁତ୍ତରରେ, କଂଗ୍ରେସ ପକ୍ଷରୁ ସହାୟତା ପରିମାଣରେ ଅପେକ୍ଷାକୃତ ସ୍ବଳ୍ପ ବୃଦ୍ଧି କରାଯାଇଛି ।
ଉଚ୍ଚଶିକ୍ଷା ସଂପର୍କରେ ଟ୍ରମ୍ପ୍ ବାରମ୍ବାର ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ କ୍ୟାମ୍ପସ୍ରେ “ମୌଳବାଦୀ ବାମପନ୍ଥୀ ଚିନ୍ତାଧାରା” ପ୍ରବର୍ତ୍ତନ କରାଯାଉଛି । କେତେକ ବିଶ୍ବବିଦ୍ୟାଳୟକୁ ପାଣ୍ଠି ଯୋଗାଣ ବନ୍ଦ କରିଦେବାକୁ ମଧ୍ୟ ସେ ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ, କେତେକ ସ୍କୁଲକୁ ଟିକସ ଛାଡ଼ ବ୍ୟବସ୍ଥା ଓ ସଂଘୀୟ ପାଣ୍ଠି ଯୋଗାଣର ସମୀକ୍ଷା କରିବା ଲାଗି ସେ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେବେ ।
ବାଇଡେନ୍ ଚାହାଁନ୍ତି ଯେ, ଯେଉଁ ସଂଘୀୟ ଆଇନ ବଳରେ ଘୂର୍ଣ୍ଣିଝଡ଼ ଓ ଜଙ୍ଗଲରେ ନିଆଁ ଲାଗିବା ଭଳି ବିପର୍ଯ୍ୟୟ ସମୟରେ ସହାୟତା ଦିଆଯାଉଛି, ସେହି ଆଇନ ବଳରେ ବିଶ୍ବ ମହାମାରୀ ସଂପର୍କିତ ବ୍ୟୟ ନିମନ୍ତେ ସ୍କୁଲଗୁଡ଼ିକ ଅଧିକରୁ ଅଧିକ ସଂଘୀୟ ସହାୟତା ପାଆନ୍ତୁ ।
କୋଭିଡ୍ ବ୍ୟତୀତ, ବାଇଡେନ୍ ଚାହାନ୍ତି ଯେ, କୌଣସି ପରିବାରର ବାର୍ଷିକ ଆୟ 1,25,000 ଡଲାର ପର୍ଯ୍ୟନ୍ତ ହୋଇଥିଲେ ସେହି ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଟ୍ୟୁସନ୍ ଫି’ ଛାଡ଼ କରିବା ଲାଗି ସଂଘୀୟ ସରକାର ରାଜ୍ୟ ସରକାରମାନଙ୍କ ସହ ସହଭାଗିତା ସ୍ଥାପନ କରନ୍ତୁ । ପାରିବାରିକ ଆୟ ନିର୍ବିଶେଷରେ, ଦୁଇ ବର୍ଷ ପାଇଁସ୍କୁଲ୍କୁ ଯାଉଥିବା ସମସ୍ତଙ୍କ କ୍ଷେତ୍ରରେ ଏହି ସହାୟତା ଲାଗୁ କରାଯିବ । ଐତିହାସିକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ କୃଷ୍ଣକାୟମାନଙ୍କର କଲେଜକୁ ଅଧିକ ସହାୟତା ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସାମଗ୍ରିକ ଭାବେ ତାଙ୍କର ଶିକ୍ଷା ଯୋଜନାରେ 10 ବର୍ଷ ପାଇଁ ପ୍ରାୟ 850 ବିଲିଅନ୍ ଡଲାର ଖର୍ଚ୍ଚ ପ୍ରସ୍ତାବ ରହିଛି ।
3 ଓ 4 ବର୍ଷ ବୟସର ସବୁ ଶିଶୁଙ୍କ ପାଇଁ କିଣ୍ଡରଗାର୍ଟନ ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମ ଉପଲବ୍ଧ କରାଇବାକୁ ସେ ଆହ୍ବାନ ଦେଇଛନ୍ତି । ସ୍ବଳ୍ପ ଆୟକାରୀ ପରିବାରରୁ ଆସୁଥିବା ପିଲାମାନଙ୍କ ପାଇଁ ସ୍କୁଲର ଖର୍ଚ୍ଚ ବୃଦ୍ଧି କରିବା, ଶ୍ରେଣୀଗୃହ ବାହାରେ କ୍ୟାମ୍ପସ୍ରେ କାର୍ଯ୍ୟରତ ସାମାଜିକ କର୍ମୀଙ୍କ ଭଳି ପଦବିଧାରୀଙ୍କ ନିମନ୍ତେ ଅଧିକ ସହାୟତା, ପବ୍ଲିକ୍ ସ୍କୁଲର କୋଠାବାଡ଼ି ନିର୍ମାଣରେ ସଂଘୀୟ ସରକାରଙ୍କ ଅର୍ଥବ୍ୟୟ, ଏବଂ ସଂଘୀୟ ଅକ୍ଷମତା ଆଇନ ଅନୁସାରେ ସମସ୍ତ ସ୍କୁଲର ଖର୍ଚ୍ଚଭରଣା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି । କରଦାତାଙ୍କ ଅର୍ଥକୁ ଲାଭ ଅର୍ଜନକାରୀ ଚାର୍ଟର ସ୍କୁଲ୍ ବ୍ୟବସାୟରେ ଖର୍ଚ୍ଚ କରିବା ପ୍ରସ୍ତାବକୁ ବାଇଡେନ୍ ବିରୋଧ କରିଛନ୍ତି ଏବଂ ତାଙ୍କ ଶିକ୍ଷା ସଚିବଙ୍କର ଶ୍ରେଣୀଗୃହ ସଂପର୍କରେ ଅଭିଜ୍ଞତା ଥିବ ବୋଲି କହିଛନ୍ତି ।
ସ୍ବାସ୍ଥ୍ୟସେବା
ହ୍ବାଇଟ୍ ହାଉସ ପାଇଁ ଜଣେ ପ୍ରାର୍ଥୀ ଭାବରେ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଓବାମାଙ୍କର ସ୍ବାସ୍ଥ୍ୟସେବା ଆଇନକୁ ‘ତୁରନ୍ତ’ ପ୍ରତ୍ୟାହାର କରି ତା ବଦଳରେ ‘ସମସ୍ତଙ୍କୁ ବୀମା’ ସୁବିଧା ପ୍ରଦାନ କରୁଥିବା ତାଙ୍କ ନିଜର ଯୋଜନା କାର୍ଯ୍ୟକାରୀ କରାଇବେ । ତାଙ୍କର ସେହି ଯୋଜନାକୁ ଆମେରିକାବାସୀ ଆଜି ଯାଏ ଅପେକ୍ଷା କରିଛନ୍ତି ।
କୋରୋନାଭାଇରସ୍ ବିଶ୍ବ ମହାମାରୀ ମୁକାବିଲାରେ ତାଙ୍କ ପ୍ରଶାସନର ନୀତି ପ୍ରତ୍ୟାଖ୍ୟାତ ହେବା ପରେ ନିକଟରେ ଟ୍ରମ୍ପ୍ ପୁଣି ସ୍ବାସ୍ଥ୍ୟସେବା ପ୍ରସଙ୍ଗ ପରିସରକୁ ଫେରିଛନ୍ତି ଏବଂ ସମସ୍ତଙ୍କୁ ସୁହାଇଲା ଭଳି ରହିଥିବା ସ୍ବାସ୍ଥ୍ୟସେବା ନୀତି ବା ‘ଆଫୋର୍ଡେବଲ କେୟାର ଆକ୍ଟ’କୁ ସୁପ୍ରିମ କୋର୍ଟ ନାକଚ କରନ୍ତୁ ବୋଲି ତାଙ୍କ ସରକାର ଚାହୁଁଥିବା ବେଳେ ଏହାର ଭବିଷ୍ୟତ ସଂପର୍କରେ ଅନିଶ୍ଚିତତା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତଙ୍କୁ ସୁହାଇବା ଭଳି ଉତ୍ତମ ଗୁଣମାନର ସ୍ବାସ୍ଥ୍ୟସେବା ଯୋଗାଣ, ପ୍ରେସ୍କ୍ରିପ୍ସନରେ ଥିବା ଔଷଧର ମୂଲ୍ୟ ହ୍ରାସ, ଗ୍ରାହକଙ୍କ ପାଖରେ ଅଧିକ ବିକଳ୍ପ ଏବଂ ଅଧିକ ପାରଦର୍ଶିତା ସଂପର୍କିତ ତାଙ୍କ 4 ବର୍ଷ ପୁରୁଣା ପ୍ରତିଶ୍ରୁତିକୁ ସେ ପୁଣି ଦୋହରାଉଛନ୍ତି ।
ଓବାମାଙ୍କ ସ୍ବାସ୍ଥ୍ୟସେବା ନୀତି, ଓବାମାକେୟାରକୁ ହଟାଇ ଦେବା ପରେ ବି ଅତ୍ୟଧିକ ମେଡିକାଲ ବିଲ୍ର ଯୁଗ ଶେଷ କରିବା ଲାଗି ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଘୋଷଣା କରିଥିଲେ ଏବଂ ପୂର୍ବରୁ ରୋଗାକ୍ରାନ୍ତ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ଆମେରିକା ସରକାର ନୀତି ଘୋଷଣା କରିବେ ବୋଲି କହିଥିଲେ । ହେଲେ, ପୂର୍ବରୁ ରହିଥିବା ରୋଗ ଜନିତ ଅବସ୍ଥାରୁ ସୁରକ୍ଷା ଆଇନରେ ପରିଣତ ହୋଇସାରିଛି ଏବଂ ଭିନ୍ନ ଏକ ନୀତି ଲାଗି ନୂଆ ଆଇନ ପ୍ରଣୟନ ପାଇଁ ଟ୍ରମ୍ପଙ୍କୁ ପୁଣି କଂଗ୍ରେସ ପାଖକୁ ଯିବାକୁ ପଡ଼ିବ । ରାଷ୍ଟ୍ରପତି ନିର୍ବାଚନ ପୂର୍ବବର୍ତ୍ତୀ ପ୍ରଥମ ବିତର୍କରେ ଟ୍ରମ୍ପ ଓବାମାକେୟାର ନୀତିକୁ ହଟାଇ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ପ୍ରଗତି ହାସଲ କଥା କହିଥିଲେ ହେଁ ବିସ୍ତୃତ ସ୍ବାସ୍ଥ୍ୟସେବା ନୀତି ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।
ଓବାମାଙ୍କ ସ୍ବାସ୍ଥ୍ୟସେବା ନୀତିକୁ ସଂପ୍ରସାରିତ କରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ଏବଂ ଏଥିରେ “ମେଡିକେୟାର ଭଳି ସାଧାରଣ ବିକଳ୍ପ”କୁ ସଂଯୋଗ କରିବା ଲାଗି ବାଇଡେନ୍ ଚାହାଁନ୍ତି । ବେସରକାରୀ ବୀମା ସଂସ୍ଥାମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ସହିତ ଏହା କାର୍ଯ୍ୟକ୍ଷମ ବୟସର ଆମେରିକୀୟମାନଙ୍କ ପାଇଁ ଉପଲବ୍ଧ ହେବ । ଆଗାମୀ 10 ବର୍ଷ ଭିତରେ ଏଥିରେ 750 ବିଲିଅନ୍ ଡଲାର ଖର୍ଚ୍ଚ ହେବ ବୋଲି ବାଇଡେନ୍ ଆକଳନ କରିଛନ୍ତି । ଏ କ୍ଷେତ୍ରରେ ବାଇଡେନ୍ ଓ ଟ୍ରମ୍ପ୍ଙ୍କ ଦୃଷ୍ଟିକୋଣ ହେଲା ଯେ, ଟ୍ରମ୍ପ 2010 ମସିହାର ଆଇନକୁ ହଟାଇ ଦେବାକୁ ଚାହାଁନ୍ତି ଏବଂ ଅନ୍ୟ ପକ୍ଷରେ ପ୍ରଗତିଶୀଳ ନୀତିରେ ସମସ୍ତ ବେସରକାରୀ ବୀମା ବ୍ୟବସ୍ଥା ବଦଳରେ ଏକକ ନୀତି ପ୍ରଚଳନ କରିବାକୁ ଚାହାଁନ୍ତି । ବାଇଡେନ୍ଙ୍କ ଦୃଷ୍ଟିରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପ୍ରଦାନ ଦିଗରେ ତାଙ୍କ ନୀତି ଉଦ୍ଦିଷ୍ଟ ଏବଂ ସେ ଏହାକୁ କଂଗ୍ରେସରେ ଅନୁମୋଦିତ କରାଇ ନେଇପାରନ୍ତି ।
2010ର ସ୍ବାସ୍ଥ୍ୟସେବା ଆଇନକୁ କାଏମ ରଖିବାରେ ସ୍ବର୍ଗତ ଉଦାରବାଦୀ ବିଚାରପତି ରୁଥ ବେଡର ଗିନ୍ସବର୍ଗଙ୍କ ଭୋଟ୍ର ପ୍ରମୁଖ ଭୂମିକା ରହିଥିବା ବେଳେ ଟ୍ରମ୍ପଙ୍କ ଦ୍ବାରା ମନୋନୀତ ସଂଘୀୟ ଆପିଲେଟ୍ ବିଚାରପତି ଆମି କୋନି ବାରେଟ୍ ଅଦାଲତଙ୍କ ଏହି ନିଷ୍ପତ୍ତି ପଛରେ ଥିବା ଯୁକ୍ତିର ସମାଲୋଚନା କରିଥିଲେ ବୋଲି ଦର୍ଶାଇ ବର୍ତ୍ତମାନ ସୁପ୍ରିମ କୋର୍ଟରେ ଖାଲି ପଡ଼ିଥିବା ପଦବୀ ପ୍ରସଙ୍ଗକୁ ସ୍ବାସ୍ଥ୍ୟସେବା ପ୍ରସଙ୍ଗର ରୂପ ଦେବାକୁ ବାଇଡେନ ଚାହିଁଛନ୍ତି ।
ବୈଦେଶିକ ନୀତି
ତାଙ୍କର ପ୍ରଥମ କାର୍ଯ୍ୟକାଳରେ, “ପ୍ରଥମେ ଆମେରିକା” ମନ୍ତ୍ରକୁ ପାଥେୟ କରି ଟ୍ରମ୍ପ୍ ତାଙ୍କ ବୈଦେଶିକ ନୀତି ଗଢ଼ିଥିଲେ ।
କିନ୍ତୁ ନିର୍ବାଚନ ଦିବସ ପୂର୍ବରୁ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରଚାର ଅବସରରେ, ଇସ୍ରାଏଲ ସହ ବ୍ୟାବସାୟିକ ଏବଂ କୂଟନୈତିକ ସଂପର୍କ ସ୍ଥାପନ ଦିଗରେ ବାହାରିନ ଓ ୟୁନାଇଟେଡ୍ ଆରବ ଏମିରେଟ୍ସର ଉପସାଗରୀୟ ରାଜତନ୍ତ୍ରକୁ ପ୍ରେରିତ କରିଥିବା କଥା କହି ଟ୍ରମ୍ପ ନିଜକୁ ଜଣେ ଅନ୍ତର୍ଜାତୀୟ ଶାନ୍ତିଦୂତ ରୂପରେ ଉପସ୍ଥାପିତ କରୁଛନ୍ତି । ଅନ୍ୟ ଆରବୀୟ ରାଷ୍ଟ୍ରସମୂହ ମଧ୍ୟ ଇସ୍ରାଏଲ ସହ ଔପଚାରିକ ସଂପର୍କ ରଖିବାକୁ ଯାଉଛନ୍ତି ବୋଲି ଟ୍ରମ୍ପ୍ କହନ୍ତି ।
ପ୍ରତିଶ୍ରୁତି ଅନୁସାରେ ଆମେରିକା-ମେକ୍ସିକୋ ସୀମାରେ 200 ମାଇଲ (320 କିଲୋମିଟର) ପାଚେରି ନିର୍ମାଣକୁ ଟ୍ରମ୍ପ ତାଙ୍କର ସଫଳତା ମଧ୍ୟରେ ଗଣନା କରନ୍ତି । ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦର 2% ବ୍ୟୟ କରିବା ଲାଗି ଅଧିକରୁ ଅଧିକ ‘ନାଟୋ’ ରାଷ୍ଟ୍ର ସମୂହକୁ ଉତ୍ସାହିତ କରିବା ଏବଂ ଆଫଗାନିସ୍ତାନ ଓ ଅନ୍ୟ ଯୁଦ୍ଧ ପ୍ରବଣ ଅଞ୍ଚଳରେ ଆମେରିକୀୟ ସେନାର ଉପସ୍ଥିତି ହ୍ରାସ କରିବାକୁ ବି ତାଙ୍କର ସଫଳତା ରୂପେ ଉପସ୍ଥାପନ କରନ୍ତି । ସେ ମଧ୍ୟ ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରି ଯିବା ଲାଗି ତାଙ୍କର ଇଚ୍ଛା ସଂପର୍କରେ ଘୋଷଣା କରିସାରିଛନ୍ତି
ବିଶ୍ବ ତାପନକୁ 3.6 ଡିଗ୍ରୀ ଫାରେନ୍ହାଇଟ୍ରୁ ନିମ୍ନରେ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏହି ବୁଝାମଣାକୁ ‘କେବଳ କେତେକ ଅନ୍ୟ ଦେଶ ପାଇଁ ସୁବିଧାଜନକ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଅହିତକର” ବୋଲି ଦର୍ଶାଇ ଟ୍ରମ୍ପ୍ ଏଥିରୁ ଆନୁଷ୍ଠାନିକ ଭାବେ ଓହରି ଯାଇପାରନ୍ତି । ଓବାମାଙ୍କ ଦ୍ବାରା ସ୍ବାକ୍ଷରିତ ଏହି ବୁଝାମଣାର ଗୋଟିଏ ସର୍ତ୍ତ ହେଉଛି ଯେ ସ୍ବାକ୍ଷର କରିବାର ଚାରି ବର୍ଷ ପୂର୍ବରୁ କୌଣସି ଦେଶ ଏଥିରୁ ଓହରି ଯାଇପାରିବେ ନାହିଁ । ଆମେରିକା ପାଇଁ ଏହି ତାରିଖ ହେଉଛି ନଭେମ୍ବର 4, ଯାହାକି ଆମେରିକା ନିର୍ବାଚନର ଗୋଟିଏ ଦିନ ପରେ ।
ଫେବ୍ରୁଆରୀ 29 ତାରିଖ ଦିନ ତାଲିବାନ ସହିତ ଆମେରିକାର ବୁଝାମଣା ଅନୁସାରେ, ଯଦି ବିଦ୍ରୋହୀମାନଙ୍କର ଏହି ଗୋଷ୍ଠୀ କେତେକ ସର୍ତ୍ତ ପୂରଣ କରନ୍ତି, ତେବେ 12ରୁ 14 ମାସ ମଧ୍ୟରେ ଆମେରିକୀୟ ସୈନ୍ୟମାନେ ଆଫଗାନିସ୍ତାନ ଛାଡ଼ି ଚାଲିଯିବେ ବୋଲି ସ୍ଥିର ହୋଇଥିଲେ ହେଁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବେ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି । ବର୍ତ୍ତମାନ ଆଫଗାନିସ୍ତାନରେ ପ୍ରାୟ 4,500 ଆମେରିକୀୟ ସୈନ୍ୟ ଅଛନ୍ତି ଏବଂ ଏ ବର୍ଷ ଶେଷ ସୁଦ୍ଧା ସେମାନଙ୍କୁ ସେଠାରୁ ଫେରାଇ ଆଣିବେ ବୋଲି ଟ୍ରମ୍ପ କହିଛନ୍ତି
।
ଉତ୍ତର କୋରିଆର କିମ୍ ଜଙ୍ଗ ଉନ୍ଙ୍କ ସହ ତାଙ୍କର ସାକ୍ଷାତ୍ ଆଲୋଚନାକୁ ଏକ ବିରାଟ ସଫଳତା ବୋଲି ଟ୍ରମ୍ପ୍ ବିଚାର କରନ୍ତି । ହେଲେ ଆଣବିକ କାର୍ଯ୍ୟକ୍ରମରୁ ତାଙ୍କ ଦେଶ ଓହରି ଯିବା ଲାଗି କିମ୍ଙ୍କୁ ପ୍ରବର୍ତ୍ତାଇବାରେ ରାଷ୍ଟ୍ରପତି ବିଫଳ ହୋଇଛନ୍ତି । କିନ୍ତୁ ସେ କିମ୍ଙ୍କୁ ତିନି ଥର ସାକ୍ଷାତ କରିଛନ୍ତି ଏବଂ ଏହା ଫଳରେ ସେ କେବଳ ଏହି ସ୍ବେଚ୍ଛାଚାରୀ ଶାସକଙ୍କୁ ବୈଧତା ପ୍ରଦାନ କରିଛନ୍ତି ବୋଲି ସମାଲୋଚକମାନେ କହନ୍ତି ।
ବାଇଡେନ୍ କହନ୍ତି ଯେ ଟ୍ରମ୍ପଙ୍କ ଆଭିମୁଖ୍ୟ ଯୋଗୁଁ ସହଯୋଗୀ ରାଷ୍ଟ୍ର ସହିତ ନଷ୍ଟ ହୋଇଯାଇଥିବା ସଂପର୍କର ପୁନଃ ସ୍ଥାପନ କାମ “ନିର୍ବାଚନ ପରଦିନ” ହିଁ ସେ ଆରମ୍ଭ କରିବେ । ଟ୍ରମ୍ପଙ୍କ ଏହି ଆଭିମୁଖ୍ୟକୁ “ଏକା ଏକା ଆମେରିକା” ବୋଲି କହି ସେ ପରିହାସ କରିଛନ୍ତି । ‘ନାଟୋ’ ସଂଗଠନର ଭିତ୍ତି ପୁନର୍ଗଠନ, ପୂର୍ବ ୟୁରୋପ ଏବଂ ଏସିଆରେ ରୁଷିଆର ଆକ୍ରମଣାତ୍ମକ ଏବଂ ସଂପ୍ରସାରଣବାଦୀ ଅଭିଯାନକୁ ପ୍ରତିହତ କରିବା ଦିଗରେ ସେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ସମସ୍ତ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରକୁ ଏକାଠି କରିବେ ବୋଲି ବାଇଡେନ୍ କହିଛନ୍ତି ।
ବାଇଡେନ୍ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ନିର୍ବାଚନରେ ତାଙ୍କ ଦେଶର ହସ୍ତକ୍ଷେପ ସଂପର୍କରେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ତୁରନ୍ତ ମୁହାଁମୁହିଁ ହେବେ । ‘ସବୁଦିନ ପାଇଁ ଯୁଦ୍ଧ ସମାପ୍ତ’ କରିବାକୁ ବାଇଡେନ୍ ସଂକଳ୍ପବଦ୍ଧ ହୋଇଥିଲେ ହେଁ, କେବଳ ବହୁସଂଖ୍ୟକ ଯୁଦ୍ଧକ୍ଷେତ୍ର ଅଭିଯାନ ନୁହେଁ, ବରଂ ବିଶ୍ବରେ ସ୍ଥିରତା ସ୍ଥାପନ କ୍ଷେତ୍ରରେ ଆମେରିକାର ସ୍ବତନ୍ତ୍ର ସେନାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ସଂପ୍ରତି ସଂପୂର୍ଣ୍ଣ ନିସ୍ତେଜ ଅବସ୍ଥାରେ ରହିଥିବା ଆମେରିକାର କୂଟନୈତିକ ବାହିନୀର ପୁନର୍ଗଠନ, ପ୍ୟାରିସ ଜଳବାୟୁ ରାଜିନାମାରେ ପୁନଃ ଯୋଗଦାନ ଏବଂ କାର୍ବନ୍ ପ୍ରଦୂଷଣ ହ୍ରାସ କରିବା ଲାଗି ଚୀନ ଓ ଅନ୍ୟ କେତେକ ବୃହତ୍ ଅର୍ଥବ୍ୟବସ୍ଥା ସଂପନ୍ନ ଦେଶ ଉପରେ ଚାପ ପ୍ରୟୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ବାଣିଜ୍ୟ
ବାଣିଜ୍ୟ କ୍ଷେତ୍ରରେ ମେକ୍ସିକୋ ଏବଂ କାନାଡା ସହିତ ସାନି ବୁଝାମଣା ଏବଂ ଚୀନ ସହିତ ପ୍ରଥମ ପର୍ଯ୍ୟାୟ ବୁଝାମଣାକୁ ତାଙ୍କ ଶାସନ କାଳର ଐତିହାସିକ ସଫଳତା ବୋଲି ଟ୍ରମ୍ପ୍ ବିବେଚନା କରନ୍ତି । ବିଶ୍ବ ମହାମାରୀ ଯୋଗୁଁ ଉଭୟ ଦେଶର ସଂପର୍କରେ ତିକ୍ତତା ଉପୁଜିବାର ଦୁଇ ମାସରୁ କମ୍ ସମୟ ପୂର୍ବରୁ, ଆମେରିକା ଓ ଚୀନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ବୁଝାମଣା ଜାନୁଆରୀରେ ସ୍ବାକ୍ଷରିତ ହୋଇଥିଲା । ଟ୍ରମ୍ପ କହନ୍ତି ଯେ, ପ୍ରଥମ ପର୍ଯ୍ୟାୟ ବୁଝାମଣା ବଳରେ ଦୁଇ ବର୍ଷ ଭିତରେ ଚୀନ ଆମେରିକା ପାଖରୁ ମୋଟାମୋଟି 200 ବିଲିଅନ୍ ଡଲାରର କୃଷି ଉତ୍ପାଦ, ଶକ୍ତି ଓ ଅନ୍ୟ ଆମେରିକୀୟ ଉତ୍ପାଦ କିଣିଥିଲା । ପ୍ରତିବଦଳରେ ଚୀନରେ ନିର୍ମିତ ସ୍ମାର୍ଟଫୋନ୍, ଖେଳନା ଏବଂ ଲାପ୍ଟପ୍ କମ୍ପ୍ୟୁଟର ଉପରୁ ଆମେରିକା ଯୋଜନାକ୍ରମେ ଶୁଳ୍କ ବାତିଲ କରିଦେଇଥିଲା । ଚୀନରୁ 120 ବିଲିଅନ୍ ଡଲାରର ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ମଧ୍ୟ ଆମେରିକା ଅଧାଅଧି, ପ୍ରାୟ 7.5% ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ରିହାତି ପ୍ରଦାନ କରିଥିଲା ।
ଦ୍ବିତୀୟ ପର୍ଯ୍ୟାୟ ଚୁକ୍ତିରେ ଉଭୟ ଦେଶ କେତେକ କଠୋର ପ୍ରସଙ୍ଗ ସଂପର୍କରେ ନିଷ୍ପତ୍ତି ନେବାର ଥଲା ଏବଂ ଏଥିରେ ଚୀନ ଏହାର ସରକାରୀ ନିୟନ୍ତ୍ରିତ ଉଦ୍ୟୋଗକୁ ସହାୟତା ପ୍ରଦାନ ବନ୍ଦ କରୁ ବୋଲି ଟ୍ରମ୍ପ ଇଚ୍ଛା ପ୍ରକାଶ କରିଥିଲେ । ହେଲେ, ସବୁବେଳେ କୋରୋନାଭାଇରସ୍କୁ “ଚାଇନା ଭାଇରସ୍” ବୋଲି କହିଆସୁଥିବା ଟ୍ରମ୍ପ୍ ବେଜିଂ ସହିତ ଏକ ପ୍ରଭାବଶାଳୀ ବାଣିଜ୍ୟ ରାଜିନାମା ସଂପନ୍ନ କରାଇବାରେ କେତେଦୂର ସକ୍ଷମ ହେବେ ତାହା ଦେଖିବାକୁ ବାକି ରହିଛି । ନିକଟରେ ଟ୍ରମ୍ପ କହିଥିଲେ ଯେ ଚୀନ ସହ କଥାବାର୍ତ୍ତା କରିବାକୁ ଏବେ ସେ “ଆଗ୍ରହୀ ନୁହଁନ୍ତି” ।
ବର୍ଷ ବର୍ଷ ଧରି ‘ମୁକ୍ତ ବାଣିଜ୍ୟ’ କଥା କହିବା ପରେ ଏବେ ଉଭୟ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ପ୍ରଶାସନ ଅନ୍ତର୍ଜାତୀୟ ବାଣିଜ୍ୟର ସଂପ୍ରସାରଣ ସପକ୍ଷରେ ରହିଛନ୍ତି ଏବଂ ବାଇଡେନ୍ ମଧ୍ୟ ବିଦେଶରେ “ନିଷ୍ପକ୍ଷ ବାଣିଜ୍ୟ”କୁ ଆଦରି ନେଇଥିବା ଦୁଇ ଦଳୀୟ ନୀତି ସହ ଯୋଗ ଦେଇଛନ୍ତି । ତାଙ୍କ ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆମେରିକାର ବିଭିନ୍ନ ଘରୋଇ ସଂସ୍ଥାରୁ ସଂଘୀୟ ସରକାର 400 ବିଲିଅନ୍ ଡଲାରର ସାମଗ୍ରୀ (ବିଶ୍ବ ମହାମାରୀ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସାମଗ୍ରୀ ସମେତ) କିଣିବାକୁ ନିର୍ଦ୍ଦେଶ ଦେଇ ବାଇଡେନ୍ ଆମେରିକାର ନିର୍ମାଣ ଉଦ୍ୟୋଗକୁ ସଂପନ୍ନ କରାଇବାକୁ ଚାହୁଁଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ପ୍ରଯୁକ୍ତିବିଦ୍ୟା ସଂସ୍ଥାରେ ଗବେଷଣା ଓ ବିକାଶ ନିମନ୍ତେ 300 ବିଲିଅନ୍ ଡଲାରର ନୂତନ ସହାୟତା ଦେବାକୁ ମଧ୍ୟ ସେ ଚାହୁଁଛନ୍ତି । ବାଇଡେନ୍ କହନ୍ତି ଯେ ସେ କୌଣସି ଅନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତିରେ ଅଂଶଗ୍ରହଣ କରିବା ପୂର୍ବରୁ ଘରୋଇ କ୍ଷେତ୍ରରେ ନୂତନ ବ୍ୟୟର ସମ୍ଭାବନା ସୃଷ୍ଟି କରାଯିବ । ବାଇଡେନ୍ ଉପ ରାଷ୍ଟ୍ରପତି ଥିବା ସମୟରେ ପ୍ରଶାନ୍ତ ମହାସାଗରୀୟ ସୀମାପାର ସହଭାଗିତା ବା ଟ୍ରାନ୍ସ-ପ୍ୟାସିଫିକ୍ ପାର୍ଟନରସିପ୍ ଶୀର୍ଷକ ବହୁପାକ୍ଷିକ ବାଣିଜ୍ୟ ଚୁକ୍ତି ପ୍ରଚଳନ କରିବାକୁ ଚାହିଁଥିଲେ ଏବଂ ଆମେରିକା ଭଳି, ଚୀନ୍ ଏ ପର୍ଯ୍ୟନ୍ତ ଏହାର ସଦସ୍ୟ ହୋଇାହିଁ ।
ଅର୍ଥବ୍ୟବସ୍ଥା, ଟିକସ
ବିଶ୍ବ ମହାମାରୀ ବ୍ୟାପିବା ପୂର୍ବରୁ ବେକାର ସମସ୍ୟା ହ୍ରାସ ଏବଂ ଷ୍ଟକ୍ ମାର୍କେଟ୍ରେ ଆଖିଦୃଶିଆ ଅଗ୍ରଗତି ଟ୍ରମ୍ପ୍ଙ୍କ ବଡ଼ ସଫଳତା ଭାବରେ ପରିଗଣିତ ହେଉଥିଲା । ବିଶ୍ବ ମହାମାରୀ ପ୍ରାଦୁର୍ଭାବର ପ୍ରଥମ କେଇ ସପ୍ତାହରେ ଅତି ନିମ୍ନଗାମୀ ହୋଇପଡ଼ିଥିବା ଷ୍ଟକ୍ ମାର୍କେଟ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରିଆସୁଥିବା ସମୟରେ ଦେଶରେ ବେକାରୀ ହାର 7.9% ରହିଛି । ଏବଂ ବିଶ୍ବ ମହାମାରୀ ବ୍ୟାପିବା ପରଠାରୁ ସାରା ଦେଶର 1 କୋଟି ଲୋକ ଚାକିରି ହରାଇଛନ୍ତି ଏବଂ ଏହି ସଂଖ୍ୟା 2008-2009ର ମହା ମାନ୍ଦାବସ୍ଥା ସମୟ ତୁଳନାରେ ବି ଅଧିକ ।
ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ ତ୍ରୈମାସିକୀ ବେଳକୁ ଆମେରିକାର ଅର୍ଥବ୍ୟବସ୍ଥା ପୁଣି ଦୃଢ଼ ଅବସ୍ଥାକୁ ଫେରି ଆସିବ ଏବଂ 2021ରେ ଏହା “ରକେଟ୍ ଜାହାଜ” ଭଳି ଗତିଶୀଳ ହେବ ବୋଲି ଟ୍ରମ୍ପ୍ ପୂର୍ବାନୁମାନ କରିଥିଲେ । କୋରୋନାଭାଇରସ୍ର ପ୍ରତିଷେଧକ ଟିକା କିମ୍ବା ଏହାର ଏକ ପ୍ରଭାବଶାଳୀ ଚିକିତ୍ସା ଉପାୟ ଖୁବ୍ ଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରତିଶ୍ରୁତି ଦେବା ସହିତ ସାଧାରଣ ଜୀବନ ପୁଣି ସ୍ବାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଟ୍ରମ୍ପ୍ କହିଥିଲେ । ଏ ବର୍ଷ ଗ୍ରୀଷ୍ମକାଳରେ ଦରମା ଉପରେ ଟିକସ କାଟ ପାଇଁ ସେ ଯେଉଁ ପଦକ୍ଷେପ ନେବାକୁ ବସିଥିଲେ ତାହା ଦ୍ବିଦଳୀୟ ବିରୋଧ ଯୋଗୁଁ ସମ୍ଭବ ହୋଇପାରି ନଥିଲା । ହେଲେ, ଦ୍ବିତୀୟ ଥର ପାଇଁ ନିର୍ବାଚନରେ ବିଜୟଲାଭ ଏବଂ ଭୋଟରଙ୍କ ନିଷ୍ପତ୍ତି ତାଙ୍କର ଏହି ଚିନ୍ତାଧାରାକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ସହାୟକ ହେବ ।
ବାଇଡେନ୍ଙ୍କ ତର୍କ ଅନୁସାରେ, ପ୍ରଥମ ଏବଂ ପ୍ରଧାନ କଥା ହେଉଛି ଯେ କୋଭିଡ୍-19 ନିୟନ୍ତ୍ରିତ ନହେଲା ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାର ସଂପୂର୍ଣ୍ଣ ପୁନରୁଦ୍ଧାର ହୋଇପାରିବ ନାହିଁ । ଏକ ଦୀର୍ଘକାଳୀନ ପୁନରୁଦ୍ଧାର ପ୍ରକ୍ରିୟା ନିମନ୍ତେ, ସଂପ୍ରସାରିତ ମାନ୍ଦାବସ୍ଥାରୁ ନିସ୍ତାର ପାଇବା ଏବଂ ସଂପତ୍ତି କ୍ଷେତ୍ରରେ ଦୀର୍ଘ କାଳ ଧରି ରହିଆସିଥିବା ଯେଉଁ ଅସମାନତା କାରଣରୁ ଅଣ-ଶ୍ବେତାଙ୍ଗ ଆମେରିକୀୟମାନେ ପ୍ରଭାବିତ ହେଉଛନ୍ତି, ତାହାକୁ ଦୂର କରିବା ଦିଗରେ ସଂଘୀୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଦରକାର ବୋଲି ସେ ମତପୋଷଣ କରିଛନ୍ତି ।
ତାଙ୍କର ବୃହତ୍ତମ ଭବିଷ୍ୟତ ଯୋଜନାରେ, 2035 ସୁଦ୍ଧା ଆମେରିକାର ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକରୁ କାର୍ବନ ପ୍ରଦୂଷଣ ଦୂର କରିବା ଲାଗି ଏକ 2 ଟ୍ରିଲିଅନ୍ ଡଲାର ବ୍ୟୟବରାଦ ସମ୍ବଳିତ ଚାରି ବର୍ଷିଆ କାର୍ଯ୍ୟକ୍ରମ ଏବଂ ସମସ୍ତ କାର୍ଯ୍ୟକ୍ଷମ ବୟସ୍କ ଆମେରିକୀୟମାନଙ୍କ ପାଇଁ ଏକ ସାର୍ବଜନୀନ ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା (ଉଦାର ଭାବରେ ସବ୍ସିଡି ସହିତ) । ଶିକ୍ଷା, ଭିତ୍ତିଭୂମି ଏବଂ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ନୂତନ ବ୍ୟୟବରାଦ ସହିତ ରାଷ୍ଟ୍ରୀୟ ନ୍ୟୂନତମ ମଜୁରିକୁ ଘଣ୍ଟା ପ୍ରତି 15 ଡଲାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ସର୍ବପୁରାତନ ରିପବ୍ଲିକାନ୍ ପାର୍ଟି ଦ୍ବାରା 2017ରେ କାର୍ଯ୍ୟକାରୀ ହୋଇଥିବା ନୂତନ ଦର ବ୍ୟବସ୍ଥାର ସବୁ ନହେଲେ ବି କେତେକ ଟିକସକୁ ବାଇଡେନ ପ୍ରତ୍ୟାହାର କରିନେବେ । କର୍ପୋରେଟ୍ ଆୟକର ହାରକୁ ସେ 28%ରେ (ପୂର୍ବ ତୁଳନାରେ କମ୍ କିନ୍ତୁ ବର୍ତ୍ତମାନ ତୁଳନାରେ ଅଧିକ) ରଖିବାକୁ ଚାହାଁନ୍ତି ଏବଂ ଆୟକର ବୃଦ୍ଧି କରିବା ସହିତ ବାର୍ଷିକ 400.000 ଡଲାର କରଯୋଗ୍ୟ ଆୟ କରୁଥିବା ବ୍ୟକ୍ତିଙ୍କ ଦରମା ଉପରେ କରବୃଦ୍ଧି କରାଇବାକୁ ଚାହାଁନ୍ତି । ଏହା ଦ୍ବାରା 10 ବର୍ଷ ଭିତରେ 4 ଟ୍ରିଲିଅନ୍ ଡଲାରରୁ ଅଧିକ ପାଣ୍ଠି ସୃଷ୍ଟି ହୋଇପାରିବ ବୋଲି ଆକଳନ କରାଯାଇଛି ।
ପ୍ରବାସନକୁ ଅର୍ଥବ୍ୟବସ୍ଥାର ଏକ ପ୍ରସଙ୍ଗ ରୂପେ ବାଇଡେନ୍ ଗ୍ରହଣ କରନ୍ତି । ସେ ଆଇନସମ୍ମତ ପ୍ରବାସନ ବ୍ୟବସ୍ଥାର ସଂପ୍ରସାରଣ କରିବାକୁ ଚାହାଁନ୍ତି । ଏବଂ ବାଇଡେନ୍ଙ୍କ ମତରେ ଦେଶରେ ପ୍ରାୟ 1 କୋଟି 10 ଲକ୍ଷ ବାସିନ୍ଦା ବେଆଇନ ଭାବରେ ରହୁଥିଲେ ହେଁ ଶ୍ରମିକ ଓ ଉପଭୋକ୍ତା ଭାବରେ ଅର୍ଥନୀତି କ୍ଷେତ୍ରରେ ସେମାନଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିବାରୁ ସେମାନଙ୍କୁ ନାଗରିକତ୍ବ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଗର୍ଭପାତ
ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାର କେଇ ବର୍ଷ ପୂର୍ବରୁ ଟ୍ରମ୍ପ୍ ନିଜକୁ ଗର୍ଭପାତ ଅଧିକାରର ଜଣେ ଦୃଢ଼ ପ୍ରବର୍ତ୍ତକ ଭାବରେ ବର୍ଣ୍ଣନା କରୁଥିଲେ । ହେଲେ, ୱାଶିଂଟନକୁ ଆସିବା ପରେ, ଗର୍ଭପାତ ପ୍ରକ୍ରିୟାର ସୀମିତ ଉପଲବ୍ଧତା ଦିଗରେ ତାଙ୍କ ପ୍ରଶାସନର ପ୍ରୟାସ ଯୋଗୁଁ ବିଭିନ୍ନ ଗର୍ଭପାତ ବିରୋଧୀ ଗୋଷ୍ଠୀ ତାଙ୍କୁ ପ୍ରଶଂସା କରିବାରେ ଲାଗିଲେ ।
ଜଣେ ପ୍ରାର୍ଥୀ ଭାବରେ ଏବଂ ରାଷ୍ଟ୍ରପତି ଭାବରେ ଟ୍ରମ୍ପ୍, ସାରା ଦେଶରେ ଗର୍ଭପାତକୁ ଆଇନସମ୍ମତ କରିବା ଲାଗି ରୋ’ ବନାମ ୱେଡ୍ ମାମଲାରେ ପ୍ରଦତ୍ତ ଐତିହାସିକ ରାୟ ପ୍ରତି ବିରୋଧ ଭାବ ପ୍ରକାଶ କରିଆସିଛନ୍ତି ଏବଂ ଏହି ପ୍ରସଙ୍ଗରେ ରାଜ୍ୟମାନେ ନିଷ୍ପତ୍ତି ନେବା ଉଚିତ ବୋଲି କହିଆସିଛନ୍ତି ।
ଅନେକ କ୍ଷେତ୍ରରେ ଗର୍ଭପାତ ସଂପର୍କିତ ଖର୍ଚ୍ଚଭରଣା ପାଇଁ ଉପଯୋଗ କରାଯାଉଥିବା ମେଡିକେଡ୍ ଉପରେ ନିଷେଧାଦେଶ ଜାରିକୁ ସେ ସମର୍ଥନ କରିଆସିଛନ୍ତି ଏବଂ ଗର୍ଭଧାରଣର ପ୍ରଥମ 10 ସପ୍ତାହ ମଧ୍ୟରେ ଗର୍ଭପାତ ଲାଗି ବ୍ୟବହାର କରାଯାଉଥିବା ଦୁଇଟି ଔଷଧ ବିକ୍ରି ଉପରେ ନିୟନ୍ତ୍ରଣ ଜାରି କରିବାକୁ ସେ ଚାହିଁଛନ୍ତି ।
ଅଗଷ୍ଟରେ ଆୟୋଜିତ ରିପବ୍ଲିକାନ୍ ନ୍ୟାସନାଲ କନ୍ଭେନ୍ସନ୍ରେ ସେ ଦେଇଥିବା ଭାଷଣରେ ଟ୍ରମ୍ପ ଘୋଷଣା କରିଥିଲେ ଯେ “ଜନ୍ମ ନେଇଥାନ୍ତୁ କିମ୍ବା ନେଇ ନଥାନ୍ତୁ, ଶିଶୁମାନଙ୍କୁ ଭଗବାନ ଜୀବନ ଧାରଣର ଅଧିକାର ଦେଇଛନ୍ତି ।” ଜଣେ ସପ୍ତମ ସର୍କିଟ୍ କୋର୍ଟ ଅଫ ଆପିଲ୍ସର ବିଚାରପତି ବାରେଟ୍ଙ୍କୁ ସୁପ୍ରିମ କୋର୍ଟକୁ ମନୋନୀତ କରିବା ଦ୍ବାରା ଗର୍ଭପାତ ବିରୋଧୀ ଅଭିଯାନର ସମର୍ଥକମାନଙ୍କର ଆଶା ଉଦ୍ରେକ ହୋଇଛି । ବାରେଟ୍ ଯଦି ନିଯୁକ୍ତି ପାଆନ୍ତି, ତେବେ, ପରବର୍ତ୍ତୀ ସମୟରେ ରୋ ମାମଲାର ରାୟ ଖାରଜ ହେବା ଲାଗି ପଥ ପରିଷ୍କାର ହୋଇଯିବ ।
ତାଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ପାଇଁ ମନୋନୀତ ବ୍ୟକ୍ତିଙ୍କ ସମ୍ଭାବ୍ୟ ତାଲିକା ଦେବାକୁ ବାଇଡେନ୍ ରାଜି ହୋଇନାହାନ୍ତି ସତ, ହେଲେ ସେ ବାରମ୍ବାର କହିଆସିଛନ୍ତି ଯେ, ଗର୍ଭଧାରଣରୁ ମୁକ୍ତି ପାଇବା ଲାଗି ଜଣେ ମହିଳାଙ୍କର ସାମ୍ବିଧାନିକ ଅଧିକାର ସଂପର୍କରେ ରୋ ବନାମ ୱେଡ୍ ମାମଲାରେ ପ୍ରଦତ୍ତ ରାୟକୁ ସେ ସମର୍ଥନ କରନ୍ତି । କଂଗ୍ରେସ ଦ୍ବାରା ଏହି ଅଧିକାରକୁ ଆଇନ ପରିସରଭୁକ୍ତ କରିବା ଲାଗି ଆହ୍ବାନକୁ ସେ ସମର୍ଥନ କରିଛନ୍ତି । ଏହା ଫଳରେ ଗର୍ଭପାତ କ୍ଷେତ୍ରରେ ସାମ୍ବିଧାନିକ ସୁରକ୍ଷାକୁ କୋର୍ଟ ଖାରଜ କରିଦେଲେ ବି ଏହା ବୈଧାନିକ ଭାବରେ ଆଇନସମ୍ମତ ହୋଇ ରହିବ ।
ବାଇଡେନ୍ ଜଣେ କ୍ୟାଥୋଲିକ ଅନୁଗାମୀ ଏବଂ ଗର୍ଭପାତକୁ ଏକ ନୈତିକ ପ୍ରସଙ୍ଗ ଭାବରେ ଧରି ନେବା ବିରୋଧରେ ବର୍ଷ ବର୍ଷ ଧରି ବ୍ୟକ୍ତିଗତ ସଂଘର୍ଷ କରିଆସିଥିବା କଥା ସାଧାରଣରେ ପ୍ରକାଶ କରିଆସିଛନ୍ତି । ସେ ଦର୍ଶାଇଥିଲେ ଯେ, ଗର୍ଭପାତ ସେବା ବାବଦରେ କରଦାତାଙ୍କ ଅର୍ଥ ବିନିଯୋଗ ଉପରେ ନିଷେଧାଦେଶ ଜାରି ପୂର୍ବକ ଗୃହୀତ ହାଇଡ୍ ସଂଶୋଧନକୁ ସେ ସମର୍ଥନ କରିବାର କାରଣ ରହିଥିଲା । ହେଲେ, ମହିଳାମାନଙ୍କର ଏବଂ ଡେମୋକ୍ରାଟିକ୍ କର୍ମୀମାନଙ୍କ ବିଭିନ୍ନ ଗୋଷ୍ଠୀର ଚାପ ପଡ଼ିବା ପରେ 2020 ନିର୍ବାଚନ ପ୍ରଚାର ସମୟରେ ସେ ତାଙ୍କ ପୂର୍ବ ଦୃଷ୍ଟିକୋଣକୁ ବଦଳାଇଛନ୍ତି । ସେ କହିଲେ ଯେ ସେ ଚାପ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି । କିନ୍ତୁ, ରିପବ୍ଲିକାନ୍ ଆଇନ ସାରା ଦେଶରେ ଗର୍ଭପାତ ସେବାର ଉପଲବ୍ଧତାକୁ ଏତେ ଦୂର ସୀମିତ କରି ଦେଇଛି ଯେ ଗରିବ ଏବଂ କର୍ମଜୀବୀ ମହିଳାମାନଙ୍କ ପାଇଁ ସେମାନଙ୍କ ସାମ୍ବିଧାନିକ ଅଧିକାର ହାସଲ କ୍ଷେତ୍ରରେ ହାଇଡ୍ ସଂଶୋଧନ ଏକ ଅଗ୍ରହଣୀୟ ପ୍ରତିବନ୍ଧକ ରୂପେ ଉଭା ହୋଇଛି ।