ୱାଶିଂଟନ: କୋରୋନାର କରାଳ ଛାୟାରେ ଆମେରିକା ଆକାଶରେ ମୃତ୍ୟୁର କଳାବାଦଲ। ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ 3 ଲକ୍ଷ 60 ହଜାରରୁ ଉର୍ଦ୍ଧ୍ବ ଚିକିତ୍ସତି ହେଇଥିବା ବେଳେ 11 ହଜାର ଲୋକଙ୍କ ମୃତ୍ୟୁ ହୋଇଛି।
ଏହା ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯେଉଁଠି ଆମେରିକାରେ କାର୍ଯ୍ୟରତ ଭାରତୀୟ ସମ୍ବାଦଦାତାଙ୍କ କୋରୋନା ଜନିତ ମୃତ୍ୟୁ । ବ୍ରହ୍ମ କାଞ୍ଚିବୋତଲାଙ୍କ ଗତ ସୋମବାର ରାତିରେ ନ୍ୟୁୟର୍କର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସେ ନ୍ୟୁଜ୍ ଏଜେନ୍ସି ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆର ପୂର୍ବତନ ସହଯୋଗୀ ଭାବେ କାମ କରୁଥିଲେ ।
ଆମେରିକାରେ କେତେ ପ୍ରବାସୀ ଭାରତୀୟ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି ସେନେଇ କୌଣସି ସରକାରୀ କିମ୍ବା ବେସରକାରୀରେ ସୂଚନା ନାହିଁ । ତେବେ କେତେକ ସୋସିଆଲ୍ ମିଡିଆ ଗ୍ରୁପ ଅନୁସାରେ, ଜଣାପଡିଛି ଯେ ଅନେକ ସଂକ୍ରମିତ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସିରେ ଅଛନ୍ତି। ଏହି ଦୁଇଟି ରାଜ୍ୟ କୋରୋନା ଭାଇରସ ଦ୍ବାରା ପ୍ରଭାବିତ ହୋଇଛି । ଗତ ସୋମବାର 170,000 ଲୋକଙ୍କ ଠାରେ ପଜିଟିଭ ଚିହ୍ନଟ ହେବା ସହ 5700ଙ୍କ ଜୀବନ ଯାଇଛି ।
ସୂଚନା ଅନୁସାରେ, ଜରୁରୀକାଳୀନ ସେବାରେ ନିୟୋଜିତ ଲୋକ ତଥା ଡାକ୍ତର, ସାମ୍ବାଦିକ,ପୁଲିସ ଓ ସଫେଇ କର୍ମଚାରୀ କୋରୋନାରେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହି ଆଶଙ୍କା ଭିତରେ ଅନେକ ସେବାରତ କର୍ମଚାରୀ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ତେବେ ଆମେରିକାର ନ୍ୟୁୟର୍କ ସହର ବର୍ତ୍ତମାନ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି।