ୱିଜକନସିନ(ଆମେରିକା): କେବଳ ମଣିଷ ନୁହେଁ ବିଲେଇଙ୍କୁ ମଧ୍ୟ ରହିଛି କୋଭିଡ 19 ଡର । ନିଜ ଭିତରେ ଏମାନେ କୋଭିଡ 19 ଭୂତାଣୁକୁ ସଂକ୍ରମଣ କରିପାରିବେ । ସବୁଠାରୁ ବଡ କଥା ଏହାର ଲକ୍ଷଣ ମଧ୍ୟ ଦେଖାଯିବ ନାହିଁ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି ।
ଆମେରିକାର ୟୁନିଭର୍ସିଟି ଅଫ୍ ୱିଜକନସିନ ସ୍କୁଲ ଅଫ୍ ଭେଟେରିନାରୀ ମେଡିସିନର ପାଥୋବାୟୋଲୋଜିକାଲ ସାଇନ୍ସ ପ୍ରଫେସରମାନେ ଏହି ରିସର୍ଚ୍ଚ କରିଛନ୍ତି । ନିୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ଏହି ରିସର୍ଚ୍ଚ ଆଧାରିତ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏଥିରେ ବିଲେଇଠାରୁ ମଣିଷଙ୍କୁ ଏହି ଭୂତାଣୁ ସଂକ୍ରମଣ ହେବାର କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ । ବିଲେଇ ସଂସ୍ପର୍ଶରେ ଆସି କେହି ମଣିଷ କୋରୋନା ସଂକ୍ରମିତ ହେବା ମଧ୍ୟ ପ୍ରମାଣ ହୋଇନାହିଁ ବୋଲି ଏହି ରିସର୍ଚ୍ଚରେ କୁହାଯାଇଛି ।
କିଛି ବିଲେଇଙ୍କ ନାସାଲର ସ୍ବାବ ଟେଷ୍ଟ କରିବା ପରେ ରିସର୍ଚ୍ଚରମାନେ ଏହି ଭୂତାଣୁ ସେମାନଙ୍କ ଶରୀରରେ ଥିବାର ସ୍ପଷ୍ଟ କରିଥିଲେ । ଏହାପରେ ମାତ୍ର 3 ଦିନ ମଧ୍ୟରେ ଉକ୍ତ ବିଲେଇଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ ବିଲେଇଙ୍କୁ କୋଭିଡ 19 ହୋଇଥିବାର ଜଣାପଡିଥିଲା । ଏହି ସମୟରେ ରିସର୍ଚ୍ଚରମାନେ ଦେଖିବାକୁ ପାଇଥିଲେ ଯେ କୌଣସି ବିଲେଇଙ୍କ ମଧ୍ୟରେ ଆକ୍ରାନ୍ତ ହେବାର କିଛି ବି ଲକ୍ଷଣ ଦେଖିବାକୁ ମିଳିନଥିଲା । ଯାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ଥିଲା କାରଣ ବିନା ଲକ୍ଷଣରେ ଏହି ରୋଗ ସମ୍ପର୍କରେ ଜାଣିବା କଷ୍ଟସାଧ୍ୟ ଥିଲା ।
ତେବେ ରିସର୍ଚ୍ଚମାନେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ କୋଭିଡ 19ରେ ଆକ୍ରାନ୍ତ ବ୍ୟକ୍ତି ବିଲେଇଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ଯଦିଚ ଏହା ପ୍ରମାଣ ହୋଇନାହିଁ ଯେ ବିଲେଇଙ୍କଠାରୁ ସେମାନଙ୍କୁ କୋରୋନା ଭାଇରସ ସଂକ୍ରମିତ ହୋଇପାରେ ତଥାପି ଏହା ଏକ ସତର୍କତାମୂଳକ ପଦକ୍ଷେପ । କାରଣ ଏହି ଭୂତାଣୁ ଉଭୟଙ୍କ ଶରୀରରେ ବ୍ୟାପିପାରୁଛି । ଏହା ବିଲେଇଠାରୁ ସେମାନଙ୍କ ଶରୀରକୁ ଆସିନପାରେ କିନ୍ତୁ ମଣିଷଠାରୁ ବିଲେଇ ଶରୀରରେ ପ୍ରବେଶ କରିପାରେ । ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତି କ୍ବାରେଣ୍ଟାଇନରେ ରହିବାବେଳେ ନିଜ ସ୍ତ୍ରୀ, ଛୁଆ ପିଲାଙ୍କଠାରୁ ଦୂରରେ ରହୁଛି ତେବେ ନିଜ ପୋଷା ବିଲେଇଠାରୁ ମଧ୍ୟ ଦୂରରେ ରହିବାକୁ ରିସର୍ଚ୍ଚରମାନେ ପରାମର୍ଶ ଦେଇଛନ୍ତି ।