ବ୍ରାଜିଲ: ବ୍ରାଜିଲର ଅଷ୍ଟ୍ରଜେନେକା ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିଡ ଭ୍ୟାକସିନର ପରୀକ୍ଷଣ ସମୟରେ ଜଣେ ସ୍ବଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏନେଇ ବ୍ରାଜିଲର ସ୍ବାସ୍ଥ୍ୟ ଏଜେନ୍ସି ଅନଭିସା ବୁଧବାର ଘୋଷଣା କରିଛି । ତେବେ ଏହି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି ।
ଭ୍ୟାକସିନର ଟ୍ରାଏଲ ସମୟରେ କିମ୍ବା ପ୍ଲେସବୋ ସଟ୍ ନେବାବେଳେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ମେଡିକାଲ ଗୋପନୀୟତା ଦର୍ଶାଇ ଅନଭିସା ଏହା ବାବଦରେ ଅଧିକ କିଛି ତଥ୍ୟ ଦେବାକୁ ମନା କରିଦେଇଛି । ତେବେ ବ୍ରାଜିଲର ନିୟାମକ ଏହି କୋଭିଡ଼ ଭ୍ୟାକସିନର ପରୀକ୍ଷଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ଇମେଲରେ ଦର୍ଶାଯାଇଛି ।
ଭ୍ୟାକସିନ ଗ୍ରହଣ ଯୋଗୁଁ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ଘଟିଥିବା ନେଇ କିଛି ସଠିକ ତଥ୍ୟ ମିଳି ନ ଥିବା ଭ୍ୟାକସିନ ନିର୍ମାତା ଅଷ୍ଟ୍ରଜେନେକାର ମୁଖପାତ୍ର କହିଛନ୍ତି । ତେଣୁ ପରୀକ୍ଷଣ ସ୍ଥଗିତ ରଖିବାର କିଛି କାରଣ ନାହିଁ । ମେଡିକାଲ ଗୋପନୀୟତା ଏବଂ ପରୀକ୍ଷଣର ନିୟମକୁ ପାଳନ କରି ଅକ୍ସଫୋର୍ଡ ଭ୍ୟାକସିନ ପରୀକ୍ଷଣର ବ୍ୟକ୍ତିଗତ ମାମଲାରେ ଆମେ ମନ୍ତବ୍ୟ ଦେଇପାରିବୁ ନାହିଁ । ହେଲେ ସମସ୍ତ ଆବଶ୍ୟକ ସମୀକ୍ଷା ପ୍ରକ୍ରିୟା ଅନୁସରଣ କରାଯାଇଥିବା ନେଇ ଆମେ ନିଶ୍ଚିତ କରିପାରିବୁ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି ।
ଜନ ହପକିନସ୍ ବିଶ୍ବବିଦ୍ୟାଳୟର ତଥ୍ୟ ମୁତାବକ, ଆଜି ଯାଏଁ 52,73,954 କୋଭିଡ଼ ପଜିଟିଭ ମାମଲା ବ୍ରାଜିଲରେ ପ୍ରକାଶ ପାଇଛି । ସେଥି ମଧ୍ୟରୁ 1, 54,837 ଜଣଙ୍କ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ