ବ୍ରାଜିଲ: ବିଶ୍ବରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ତୃତୀୟ ସର୍ବବୃହତ ସଂକ୍ରମିତ ଦେଶ ଭାବେ ଉଭା ହୋଇଛି ବ୍ରାଜିଲ । ବର୍ତ୍ତମାନ ଦେଶରେ 2,55,000ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ମଙ୍ଗଳବାର ସୁଦ୍ଧା ଦେଶରେ ମୋଟ 2,55,368 ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା 16,853ରେ ପହଞ୍ଚିଛି । ଆକ୍ରାନ୍ତ ସଂଖ୍ୟା ଆଧାରରେ ବ୍ରାଜିଲ ବିଶ୍ବରେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଏହା ଷଷ୍ଠ ସ୍ଥାନରେ ରହିଛି ।
ଏବେ ସୁଦ୍ଧା ଆକ୍ରାନ୍ତ ସଂଖ୍ୟାରେ ଆମେରିକା 1,598,957 ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ 2,90,678 ସଂଖ୍ୟା ସହ ଋଷିଆ ଦ୍ବିତୀୟ ସ୍ଥାନ ବଜାୟ ରଖିଛି । ତେବେ ବ୍ରାଜିଲରେ କୋରୋନାର ବଢୁଥିବା ପ୍ରଭାବ ପାଇଁ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ଦାୟୀ କରାଯାଇଛି । କୋରୋନା ସଂକ୍ରମଣକୁ ସେ ସାମାନ୍ୟ ଫ୍ଲୁ ବା ସଂକ୍ରମଣ ସହ ତୁଳନା କରିବା ସହ ସେ ଏହା କହିଛନ୍ତି କି ଜଣେ କ୍ରୀଡାବିତ ହିସାବରେ ଏହି ସଂକ୍ରମଣ ତାଙ୍କର କିଛି ବିଗାଡି ପାରିବନି ।
ଏପରି କାରଣ ଦର୍ଶାଇ ସେ ଦେଶରେ ଲକଡାଉନ ନିୟମ କୋହଳ କରିବା ପାଇଁ କହିଥିଲେ । ନଚେତ୍ ଅର୍ଥନୀତି ଉପରେ ପ୍ରଭାବ ପଡିବ ବୋଲି ସେ କହିଥିଲେ । ଏନେଇ ସେ ମାର୍ଚ୍ଚରେ ଦେଶର ମେୟର ଓ ରାଜ୍ୟପାଳମାନଙ୍କୁ କହିଥିଲେ କି ଦେଶର ଅର୍ଥନୀତିକୁ ବଞ୍ଚାଇ ରଖିବା ପାଇଁ କଟକଣାକୁ କୋହଳ କରିବାକୁ ହେବ । ସାମାନ୍ୟ ସଂକ୍ରମଣ ପାଇଁ ଦେଶକୁ ବନ୍ଦୀ କରିହେବ ନାହିଁ । ଫଳସ୍ବରୂପ ଆଜି ବ୍ରାଜିଲ କୋରୋନା ଆକ୍ରାନ୍ତ କ୍ଷେତ୍ରରେ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିପାରିଛି ।
@IANS