ୱାଶିଂଟନ: 22 ଦିନରେ ପହଞ୍ଚିଲାଣି ୟୁକ୍ରେନ ଋଷ ଲଢେଇ । ଯୁଦ୍ଧ ବିଭୀଷିକା ଭିତରେ ତ୍ରାହି ତ୍ରାହି ଡାକୁଛି ୟୁକ୍ରେନ । ବିସ୍ଫୋରଣ ଓ ବାରୁଦ ଗନ୍ଧରେ ଛଟପଟ ହେଉଛନ୍ତି ୟୁକ୍ରେନବାସୀ । ବଢିବାରେ ଲାଗିଛି ୟୁକ୍ରେନ ଧ୍ବସଂ ତାଲିକା । ଏପରି ସ୍ଥଳରେ କୂଟନୈତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଛି । ୟୁକ୍ରେନ ଋଷକୁ ଶୀତଳ କରିବା ପାଇଁ ଆଜି (ଶୁକ୍ରବାର) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଏବଂ ସାମନା କରିବାକୁ ପଡୁଥିବା ନୂଆ ଚ୍ୟାଲେଞ୍ଜ ବାବଦରେ ମଧ୍ୟ ଆଲୋଚନା ହେବ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପର ଠାରୁ ଋଷିଆକୁ ଯେପରି ଚୀନ କୌଣସି ପ୍ରକାର ସହଯୋଗ କିମ୍ବା ସମର୍ଥନ ନ ଦିଏ ସେଥିପାଇଁ ଜିନପିଙ୍ଗଙ୍କ ଉପରେ କୂଚନୈତିକ ଚାପ ପଡୁଛି । ନିକଟରେ ଋଷିଆ ଚୀନକୁ ଚୀନକୁ ସାମରିକ ସହାୟତା ମାଗିଥିବା ଜଣାପଡିଥିଲା । ଏପରି କଲେ ଚୀନ ଭୟଙ୍କର ପରିଣାମ ଭୋଗିବ ବୋଲି ୱାଶିଂଟନ ବେଜିଂକୁ ଚେତାବନୀ ଦେଇଛି ।
ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ କିଛି ଦିନ ତଳେ ୟୁକ୍ରେନକୁ ମାନବୀୟ ସହାୟତା ପଠାଇବା ସହ ତା'ର ଶରଣାର୍ଥୀଙ୍କୁ ଆମେରିକା ସ୍ଥାନ ଦେବ ବୋଲି ରାଷ୍ଟ୍ରପତି ବାଇଡେନ ଘୋଷଣା କରିଥିଲେ । ଯୁଦ୍ଧ ବନ୍ଦ ପାଇଁ ଋଷ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଆମେରିକା । ଆକ୍ରମଣକାରୀ ଋଷ ସେନାର ମୁକାବିଲା ପାଇଁ ୟୁକ୍ରେନ ପାଖରେ ଯେପରି ଅସ୍ତ୍ରଶସ୍ତ୍ର ରହିବ ତାହା ସୁନିଶ୍ଚିତ କରିବାକୁ ଘୋଷଣା କରିଥିଲେ ବାଇଡେନ ।