ୱାଶିଂଟନ: ସାରା ବିଶ୍ବର ନଜର ଆଗାମୀ ଦିନରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଉପରେ । ଏମିତିରେ ପ୍ରତି ଘଡିରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ନିକଟରେ ଏନେଇ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି କି ଆମେରିକାର ଦୁଇ ମୁଖ୍ୟ ରାଜ୍ୟ ଫ୍ଲୋରିଡା ଓ ପେନସିଲଭାନିଆରେ ପୋଲିଂ ଅନୁଯାୟୀ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ । ଉଭୟଙ୍କ ମଧ୍ୟରେ ପୋଲିଂର ତଫାତ୍ ମଧ୍ୟ ଅଧିକ ଥିବା ଏହି ତଥ୍ୟରେ ପ୍ରକାଶ କରାଯାଇଛି । ଗତ ସେପ୍ଟେମ୍ବର 29 ତାରିଖରେ ଉଭୟଙ୍କ ମଧ୍ୟରେ ହୋଇଥିବା ପ୍ରଥମ ପ୍ରତିଦ୍ବନ୍ଦିତାମୂଳକ ବିତର୍କ ପରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।
ସଦ୍ୟ ଆୟୋଜିତ ବିତର୍କ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ ହାତେଇବାରେ ଅନେକ ସହାୟକ ହେବ ବୋଲି ଆରମ୍ଭରୁ ଆକଳନ କରାଯାଇଛି । ଏହିକ୍ରମରେ ବିତର୍କର କିଛି ଦିନ ପରେ ହୋଇଥିବା ସର୍ଭେ ମୁତାବକ ବାଏଡେନ ଟ୍ରମ୍ପଙ୍କୁ ଦୁଇଟି ମୁଖ୍ୟ ରାଜ୍ୟରେ ପଛରେ ପକାଇଥିବା ସ୍ପଷ୍ଟ ହୋଇଛି । ଦି ନ୍ୟୁୟର୍କ ଟାଇମ୍ସ-ସିଏନା କଲେଜ ପକ୍ଷରୁ ହୋଇଥିବା ଏହି ସର୍ଭେ ଅନୁଯାୟୀ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ 7 ପଏଣ୍ଟ ଭୋଟର ତଫାତ ରହିଛି । ଏହିକ୍ରମରେ ଟ୍ରମ୍ପଙ୍କ ସପକ୍ଷରେ 42 ପ୍ରତିଶତ ଭୋଟ ଥିବା ବେଳେ ବାଏଡେନଙ୍କ ସପକ୍ଷରେ ରହିଛି 49 ପ୍ରତିଶତ ଭୋଟ ।
ସୂଚନା ଅନୁଯାୟୀ ଏହି ଦୁଇ ରାଜ୍ୟରେ 2016 ନିର୍ବାଚନ ସମୟରେ ଟ୍ରମ୍ପ ନିର୍ଦ୍ବନ୍ଦରେ ବିଜୟ ହାସଲ କରିଥିବା ବେଳେ 2020 ନିର୍ବାଚନରେ ଅଙ୍କ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଦେଖାଯାଉଛି । ଚଳିତ ବର୍ଷ ବାଏଡେନ ଫ୍ଲୋରିଡାରେ 1.3 ପ୍ରତିଶତରେ ଆଗୁଆ ଥିବା ବେଳେ ପେନସିଲଭାନିଆରେ 8.4 ପ୍ରତିଶତରେ ସେ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ।
@IANS