କାଲିଫର୍ଣ୍ଣିଆ: ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଲ୍ୟାଣ୍ଡିଂ ପାଇଁ ବିକଶିତ କମ୍ପ୍ୟୁଟର ଟେକ୍ନୋଲୋଜି ଓ ଅନ୍ୟ ନୂଆ ସିଷ୍ଟମରେ ଭରପୂର ପରଜର୍ଭରେନ୍ସ ରୋଭର ହେଉଛି ନାସାର ସବୁଠାରୁ ବୃହତ୍ତମ, ଓଜନଦାର ଓ ଅତି ସୂକ୍ଷ୍ମ ଯାନ ଯାହା ମଙ୍ଗଳ ଗ୍ରହକୁ ପଠାଯାଇଛି । ଏହି ଯାନ ମଙ୍ଗଳ ମିଶନର ସ୍ତରକୁ ଅଧିକ ଉଚ୍ଚ କରିବା ସହ ଦୀର୍ଘ ବର୍ଷ ଧରି ମନରେ ଉଙ୍କି ମାରୁଥିବା ଅନେକ ବୈଜ୍ଞାନିକ ପ୍ରଶ୍ନର ଉତ୍ତର ଦେବାରେ ମଧ୍ୟ ସକ୍ଷମ ହୋଇଛି ।
ମଙ୍ଗଳଗ୍ରହରେ ଜୀବନର ସତ୍ତାର କ’ଣ? ମଙ୍ଗଳ ଗ୍ରହର ପୃଷ୍ଠର ଗଠନ କିପରି ରହିଛି ? ଲାଲ୍ ଗ୍ରହରେ ଜଳବାୟୁ କିପରି ରହିଛି ଆଦି ଅନେକ ବୈଜ୍ଞାନିକ ପ୍ରଶ୍ନର ଉତ୍ତର ଅନେକ ବର୍ଷ ହେବ ମିଳିପାରିନାହିଁ । ହେଲେ ଏହି ରୋଭର ମିଶନ ଏହି ରହସ୍ୟ ଉନ୍ମୋଚନ କରିବା ବୋଲି ଆଶା ଉଜ୍ବଳ ହୋଇଥିବା ପ୍ରକାଶ କରିଛନ୍ତି ନାସା ମୁଖ୍ୟାଳୟରେ ଗ୍ରହ ବିଜ୍ଞାନ ନିର୍ଦ୍ଦେଶକ ଥିବା ଲୋରି ଗ୍ଲେଜ ।
ତେବେ ଏହି ମିଶନର ଲକ୍ଷ୍ୟ କ’ଣ ଓ ଏହା ମଙ୍ଗଳ ଗ୍ରହରେ କ’ଣ କରିବ ସେନେଇ ଜାଣନ୍ତୁ 7 ରୋଚକ ତଥ୍ୟ:
ନାସା ଦ୍ବାରା ଆରମ୍ଭ ହୋଇଥିବା ଏହି ମିଶନ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବ:
ରୋଭର ହେଉଛି ଅତି ଜଟିଳ ମିଶନ। ଏହା ନା ଯେ କେବଳ ସନ୍ଦିଗ୍ଧ ଗ୍ରହରେ ଲ୍ୟାଣ୍ଡ କରିବ ବରଂ ଏହାକୁ ଗ୍ରହରେ ପହଞ୍ଚି ନିଜ ବୈଜ୍ଞାନିକ ଲକ୍ଷ୍ୟ ପୂରଣ କରିବାକୁ ହେବ । ଗ୍ରହରେ ପୁରାତନ ମାଇକ୍ରୋବିଆଲ ଜୀବନର ସତ୍ତା, ଗ୍ରହର ଭୂତତ୍ତ୍ବ ଓ ଜଳବାୟୁର ମାନ ନିର୍ଦ୍ଧାରଣ, ଭବିଷ୍ୟତରେ ପୃଥିବୀ ଫେରାଇ ଆଣିବା ପାଇଁ ନିର୍ଦ୍ଦିଷ୍ଟ ପଥରର ସଂଗ୍ରହ ଓ ଗ୍ରହରେ ମାନବର ଜୀବନ ସମ୍ଭବ କି ନାହିଁ ତାହା ପରୀକ୍ଷା କରିବା ଏହି ମିଶନର ମୂଳ ଲକ୍ଷ୍ୟ ।
ଏହି ମିଶନରେ ରୋଭରର ନାମକରଣ ପାଇଁ ନାସା ଏକ ପ୍ରତିଯୋଗିତାର ଆୟୋଜନ କରିଥିଲା । ଯେଉଁଥିରେ 28,000 ନାମର ସୁପାରିଶ ହୋଇଥିଲା । ହେଲେ ଏହାର ଜଟିଳ କାର୍ଯ୍ୟଶୈଳୀକୁ ନଜରରେ ରଖି ଶେଷରେ ଏହାର ନାମ ‘ପରଜର୍ଭରେନ୍ସ’ ରଖାଯାଇଥିଲା । ସେପଟେ କୋରୋନା ମହାମାରୀ ପାଇଁ ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ଅନେକ ଯୋଜନାକୁ ସଙ୍ଘବଦ୍ଧ କାର୍ଯ୍ୟ ଦ୍ବାରା ସଫଳ ରୂପ ଦେବାର ଆବଶ୍ୟକତା ରହିଥିବା ନାସା ପ୍ରକାଶ କରିଛି ।
ଏହି ମିଶନର ଫ୍ଲାଇଟ ସିଷ୍ଟମ ନିର୍ଦ୍ଦେଶକ ରେ ବେକରଙ୍କ କହିବା ଅନୁଯାୟୀ ଜଣେ ଇଞ୍ଜିନିୟର ଭାବେ ତାଙ୍କ ପାଇଁ ଏହି ସୂକ୍ଷ୍ମ ଓ ଜଟିଳ ରୋଭରକୁ ପ୍ରସ୍ତୁତ କରିବା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ କଠିନ କାର୍ଯ୍ୟ ରହିଥିଲା । ସେପଟେ କୋରୋନା ମହାମାରୀ ମଧ୍ୟ ତାଙ୍କ କାର୍ଯ୍ୟ ପାଇଁ ଆହୁରି ନୂଆ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ହେଲେ ଦଳ ନିଜ କର୍ମନିଷ୍ଠତା ପ୍ରତିପାଦନ କରିବା ସହ ରୋଭର ପ୍ରସ୍ତୁତି ଶେଷ କରିଛି । ଦୀର୍ଘ ବର୍ଷର ପରିଶ୍ରମର ସଫଳତା ପାଇବା ପାଇଁ ଏବେ କେବଳ ଲଞ୍ଚିଂକୁ ଅପେକ୍ଷା ରହିଥିବା ସେ କହିଥିଲେ ।
ଅନ୍ୟ ମଙ୍ଗଳ ରୋଭରର ଭୁଲରୁ ଶିଖି ପ୍ରସ୍ତୁତ ହୋଇଛି ପରଜର୍ଭରେନ୍ସ:
ନାସାର ପ୍ରଥମ ମିଶନ ସୋଜର୍ଣ୍ଣରରେ 1997 ମସିହାରେ ମଙ୍ଗଳ ଗ୍ରହର ଅନୁଧ୍ୟାନ ପାଇଁ ଏକ ରୋବୋର୍ଟର ପ୍ରସ୍ତୁତି ଆରମ୍ଭ ହୋଇଥିଲା । 2004 ମସିହାରେ ଏହା ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଥିଲା । ଏହି ମିଶନ ଦ୍ବାରା ମଙ୍ଗଳ ଗ୍ରହରେ ପୂର୍ବରୁ ଜଳର ସ୍ଥିତି ନେଇ ପ୍ରମାଣ ମିଳିଥିଲା ।
ଏହାପରେ 2012 ମସିହାର ମଙ୍ଗଳ ମିଶନରେ ଲ୍ୟାଣ୍ଡିଂ ସାଇଟ ଗେଲ କ୍ରେଟରରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ହ୍ରଦର ସ୍ଥିତି ନେଇ ପ୍ରମାଣ ମିଳିଥିଲା । ଏଥିସହ ମଙ୍ଗଳ ଗ୍ରହରେ ମାଇକ୍ରୋବିଆଲ ଜୀବନର ସତ୍ତା ପାଇଁ ପ୍ରଯୁଜ୍ୟ ଜଳବାୟୁ ରହିଥିବା ନେଇ ମଧ୍ୟ ଜଣା ପଡିଥିଲା । ବର୍ତ୍ତମାନ ପରଜର୍ଭରେନ୍ସ ଦ୍ବାରା ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ନାସା ପ୍ରସ୍ତୁତ ରହିଛି । ଏଥିରେ ଆଷ୍ଟ୍ରୋବାୟୋଲୋଜି ନେଇ ରହିଥିବା ପ୍ରଶ୍ନର ସମାଧାନ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଯାହା ଦ୍ବାରା ମଙ୍ଗଳ ଗ୍ରହରେ କୌଣସି ମାନବ ସ୍ଥିତି ରହିଥିଲା କି ନାହିଁ ତାହା ସ୍ପଷ୍ଟ ହେବ ।
ପୂର୍ବରୁ ମାଇକ୍ରାବିଆଲ ଜୀବନ ସତ୍ତାର ସନ୍ଧାନ ପାଇବା ପାଇଁ ପ୍ରକୃଷ୍ଟ ସ୍ଥାନରେ ଲ୍ୟାଣ୍ଡ କରିବ ରୋଭର:
28 ମାଇଲ ବା 48 କିଲୋମିଟର ଲମ୍ବ ଲ୍ୟାଣ୍ଡିଂ ସାଇଟ ଜେଜେରୋ କ୍ରେଟରରେ ଚଳିତବର୍ଷର ରୋଭର ଲ୍ୟାଣ୍ଟ କରିବ । ଏହି ସାଇଟ ମଙ୍ଗଳ ଗ୍ରହରେ ଦୀର୍ଘ ସମୟ ପୂର୍ବେ ମହାକାଶୀୟ ପଥର ଧକ୍କାରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତ ମାର୍ଟିଆନ ଇକ୍ବେଟରର ଉତ୍ତରରେ ରହିଥିବା ଆଇସିଡିସ ପ୍ଲାନିଟିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ । ଏହା ପୂର୍ବରୁ ପ୍ରମାଣ ମିଳିଛି କି 3ରୁ 4 ବିଲିୟନ ବର୍ଷ ପୂର୍ବେ ଜେଜେରୋଠାରେ ଏକ ବିଶାଳ ହ୍ରଦ ମହଜୁଦ ରହିଥିଲା ।
ତେବେ ଏହି ରୋଭର କେଉଁଠାରେ ଲ୍ୟାଣ୍ଟ କରିବା ଦରକାର ସେନେଇ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଆଲୋଚନା ହୋଇଥିଲା । ଏନେଇ ମିଶନର ପ୍ରୋଜେକ୍ଟ ବୈଜ୍ଞାନିକ କେନ ଫାର୍ଲେଙ୍କ କହିବା ଅନୁଯାୟୀ ଅନେକ ଆଲୋଚନା ପରେ ଶେଷରେ ଜେଜେରୋଠାରେ ଲ୍ୟାଣ୍ଡି ପାଇଁ ନିଷ୍ପତ୍ତି ହୋଇଥିଲା । କାରଣ ଏହି ସ୍ଥାନରେ ଅର୍ଗାନିକ ମଲିକ୍ୟୁଲ ଓ ମାଇକ୍ରୋବିଆଲ ଜୀବନର ଅନ୍ୟ ସମ୍ଭାବ୍ୟ ପ୍ରମାଣ ମିଳିବାର ଯଥେଷ୍ଟ ସୁଯୋଗ ରହିଛି ।
ମଙ୍ଗଳଗ୍ରହର ଭୂତତ୍ତ୍ବ ଓ ଜଳବାୟୁ ସମ୍ପର୍କରେ ଜରୁରୀ ତଥ୍ୟ ସଂଗ୍ରହ କରିବ ପରଜର୍ଭରେନ୍ସ:
ଜେଜେରୋ ପୃଷ୍ଠରେ ଅବତରଣ ପରେ ମାର୍ସ ଅର୍ବିଟର ବିଭିନ୍ନ ଫଟୋ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବ । ପ୍ରାୟ 200 ମାଇଲ ବା 322 କିଲୋମିଟର ଉର୍ଦ୍ଧ୍ବରୁ ରହି ଏହି ତଥ୍ୟ ସଂଗ୍ରହ କରାଯିବ । ହେଲେ ଗ୍ରହରେ ପୂର୍ବରୁ କୌଣସି ଜୀବନ ସତ୍ତା ରହିଥିଲା କି ନାହିଁ ଜାଣିବା ପାଇଁ ପୃଷ୍ଠର ଅଧିକ ନିକଟତର ଯିବାକୁ ହେବ ।
ଏହି ତଥ୍ୟରୁ ଜଣା ପଡିପାରିବ କି ପୃଥିବୀ ଓ ମଙ୍ଗଳ ଗ୍ରହର ଉପାଦାନ ସମାନ ଥାଇ ମଧ୍ୟ ଉଭୟ ଗ୍ରହରେ ଏଭଳି ପରିବର୍ତ୍ତନ କିପରି ସମ୍ଭବ ହୋଇପାରିଛି । ଗୋଟିଏ ଗ୍ରହରେ ଜୀବନ ଏବେ ବି ସମ୍ଭବ ରହିଥିବା ବେଳେ ଅନ୍ୟ ଗ୍ରହରେ କାହିଁକି ଜୀବନ ସମ୍ଭବ ହୋଇ ପାରୁନାହିଁ ସେ ପ୍ରଶ୍ନର ମଧ୍ୟ ଉତ୍ତର ମିଳିପାରିବ ।
ମଙ୍ଗଳ ଗ୍ରହର ପୂର୍ଣ୍ଣ ଭ୍ରମଣରେ ପରଜର୍ଭରେନ୍ସ ପ୍ରଥମ ରୋଭର:
ମଙ୍ଗଳଗ୍ରହରେ ମାଇକ୍ରୋସ୍କୋପିକ ଜୀବନର ସତ୍ତାର ପ୍ରମାଣ ସଂଗ୍ରହ କରିବା ମଙ୍ଗଳ ଗ୍ରହର ବର୍ତ୍ତମାନ ସ୍ଥିତି ପଛର ପ୍ରକୃତ କାରଣ ପାଇଁ ଏକ ବଡ ସୁରାକ ହେବ । ତେବେ ପରଜର୍ଭରେନ୍ସ ପ୍ରଥମ ରୋଭର ଯିଏ ମଙ୍ଗଳ ଗ୍ରହରୁ ବିଭିନ୍ନ ସାମ୍ପଲ ଯଥା ପଥରର ଅଂଶ ଓ ମାଟିର ଅଂଶ ଆଦି ସଂଗ୍ରହ କରି ପୃଥିବୀକୁ ଫେରିବ ।
ପୂର୍ବରୁ ଅନେକ ପରୀକ୍ଷଣ ମହାକାଶରେ ହିଁ ହେଉଥିବା ବେଳେ ପ୍ରଥମ ଥର ପାଇଁ ଏହି ସାମ୍ପଲ ସବୁ ପୃଥିବୀ ପୃଷ୍ଠକୁ ଅଣାଯିବ । ଏଥିପାଇଁ ନାସା ସହ ହାତ ମିଳାଇଛି ୟୁରିପିଆନ ସ୍ପେଶ ଏଜେନ୍ସି । ପୃଥିବୀ ପୃଷ୍ଠରେ ଏହି ସାମ୍ପଲର ଅତ୍ୟାଧୁନିକ ପ୍ରଣାଳୀରେ ପରୀକ୍ଷା କରାଯାଇ ମଙ୍ଗଳ ଗ୍ରହ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଇପାରିବ । ଏଥିପାଇଁ ଟେରିଷ୍ଟ୍ରିଆଲ ଲାବୋରେଟୋରୀର ବ୍ୟବହାର କରାଯିବ ।
ପରଜର୍ଭରେନ୍ସ ଏପରି ଟେକ୍ନୋଲୋଜି ଓ ଯନ୍ତ୍ରପାତି ଦ୍ବାରା ଖଞ୍ଜା ଯାହା ଭବିଷ୍ୟତରେ ମଣିଷକୁ ନେଇ ମଙ୍ଗଳ ଓ ଚନ୍ଦ୍ରକୁ ଯାଇପାରିବ:
ଅବତରଣ ସମୟରେ ବିଭିନ୍ନ ସମସ୍ୟାରୁ ବଞ୍ଚାଇବା ପାଇଁ ପରଜର୍ଭରେନ୍ସରେ ରହିଛି ଚେରେନ ସମ୍ପର୍କିତ ପଥ ପ୍ରଦର୍ଶକ ବା ନାଭିଗେସନ ସିଷ୍ଟମ । ସେହିପରି ଏଥିରେ ରହିଥିବା ମାର୍ସ ଲାବୋରେଟୋରୀ ଏଣ୍ଟ୍ରି, ଡିସେଣ୍ଟ ଓ ଲ୍ୟାଣ୍ଡିଂ ଇନଷ୍ଟ୍ରୁମେଣ୍ଟେସନ 2(ମେଡଲି2) ସେନ୍ସର ସୁଟ ଯାତ୍ରା ସମୟରେ ବାୟୁମଣ୍ଡଳରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ । ଯାହା ଭବିଷ୍ୟତରେ ମଣିଷର ମଙ୍ଗଳ ଯାତ୍ରାରେ ସାହାଯ୍ୟ କରିବ ।
ପରଜର୍ଭରେନ୍ସରେ ଥିବା ସେଲ୍ଫ-ଡ୍ରାଇଭିଂ ସ୍ମାର୍ଟ ଦ୍ବାରା ଅନ୍ୟ ଗ୍ରହକୁ ଯାତ୍ରା ସମୟରେ ଗ୍ରହର ପୃଷ୍ଠରେ ମଣିଷ ସହଜରେ ଚଲାବୁଲା କରିବାରେ ସକ୍ଷମ ହେବ । ସେହିପରି ଏଥିରେ ଥିବା ମାର୍ସ ଏନଭାୟାରମେଣ୍ଟ ଆନାଲାଇଜର(ମେଡା) ଇନଷ୍ଟ୍ରୁମେଣ୍ଟ ସୁଟ ମଙ୍ଗଳ ଗ୍ରହର ପାଣିପାଗ, ଜଳବାୟୁ ଓ ଧୂଳି କଣିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିପାରିବ ।
11 ମିଲିୟନ ଲୋକଙ୍କୁ ସାଥୀରେ ନେଇ ଚାଲିବ ପରଜର୍ଭରେନ୍ସ :
ପରଜର୍ଭରେନ୍ସ ଓ ମାର୍ସ 2020 ସ୍ପେଶକ୍ରାଫ୍ଟର ଅନ୍ୟ ଭାଗରେ 23ଟି କ୍ୟାମେରା ଖଞ୍ଜା ଯାଇଛି । ଯାହା ଅନ୍ୟ କୌଣସି ଇଣ୍ଟରପ୍ଲାନେଟାରୀ ମିଶନରେ ବ୍ୟବହୃତ କ୍ୟାମେରା ସଂଖ୍ୟାଠାରୁ ଢେର ଅଧିକ । ଏହା ଇଞ୍ଜିନିୟରମାନଙ୍କୁ ଲ୍ୟାଣ୍ଡିଂ ପ୍ରକ୍ରିୟାର ହାଇ ଡେଫିନିସନ ଚିତ୍ର ଉତ୍ତୋଳନ କରିବାରେ ସାହାଯ୍ୟ କରିବ । ସେପଟେ ଏହି ରୋଭର 2021 ମାର୍ଚ୍ଚରେ ମଙ୍ଗଳ ପୃଷ୍ଠରେ ଅବତରଣ କରିବ ।
ପରଜର୍ଭରେନ୍ସରେ କ୍ୟାମେରା ସମେତ 3ଟି ସିଲିକନ ଚିପ୍ସ ରହିବ । ଏହି ଚିପ୍ସରେ ପ୍ରାୟ 11 ମିଲିୟନ ଲୋକଙ୍କ ନାମ ରହିବ । ଯେଉଁମାନେ ଏହି ମିଶନରେ ଯାତ୍ରା କରିବା ପୂର୍ବରୁ ସ୍ବାକ୍ଷରିତ କରିଥିଲେ । ତେଣୁ କୁହାଯାଇପାରିବ କି ଏକ ସଙ୍ଗେ 11 ମିଲିୟନ ଲୋକେ ପରଜର୍ଭରେନ୍ସ ସହ ପରୋକ୍ଷ ଭାବେ ମଙ୍ଗଳ ଯାତ୍ରା କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ