ଯାଜପୁର: ମହମରେ ଅତି କ୍ଷୁଦ୍ର ବୌଦ୍ଧ ମୂର୍ତ୍ତି ଏବଂ ଚତୁର୍ଦ୍ଧା ମୂର୍ତ୍ତି ଗୁଡ଼ିକର ବିଗ୍ରହ ନିର୍ମାଣ କରି ଏସକ୍ଲୁସିଭ୍ ୱାଲର୍ଡ ରେକର୍ଡ ହାସଲ କରିଛନ୍ତି ଯାଜପୁର ସଦର ବ୍ଲକ ନାଥସାହି ଗାଁର ଯୁବକ ରାକେଶ୍ କୁମାର ପାତ୍ର। ସତରେ ଏହି କ୍ଷୁଦ୍ର ମୂର୍ତ୍ତି ଗୁଡିକ ଦେଖିଲେ ଆଖି ଖୋସିହୋଇ ଯାଉଛି। ଅତି ସୂକ୍ଷ୍ମ ଓ ନିଖୁଣ କାରିଗରୀରେ ସେ ଏହି ମହମ ମୂର୍ତ୍ତି ଗଢିବାର କଳା ହାସଲ କରିଛନ୍ତି । ଯାହାକୁ ନେଇ ସେ ଏବେ ଚାରିଆଡେ ଚର୍ଚ୍ଚାକୁ ଆସିଛନ୍ତି। ରାକେଶଙ୍କ ସ୍ୱପ୍ନ ଆଗକୁ ସେ ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ହାସଲ କରିବେ ।
କ୍ୟାମେରା ଲେନ୍ସରେ ଦେଖାଯାଉଥିବା ଏହି କ୍ଷୁଦ୍ର ମୂର୍ତ୍ତି ଗୁଡିକ ଯେ ଖାଲି ଆଖିରେ ଦେଖି ହେଉନି। ମାତ୍ର ଏହା ଦେଖିବା ପରେ ବି ସହଜରେ ଏହାକୁ ବିଶ୍ୱାସ କରି ହେଉନି । ଯବକାଚ ସାହାଯ୍ୟରେ ମୂର୍ତିକୁ ଦେଖିଲେ ହିଁ ଜଣାପଡୁଛି ତାର କାରୁକାର୍ଯ୍ୟ । ମାତ୍ର ସାଢେ ତିନି ସେଣ୍ଟିମିଟର(ଏକ ଇଞ୍ଚରୁ ସାମାନ୍ୟ ଅଧିକ) ଉଚ୍ଚତାର ସୁନ୍ଦର ସୁନ୍ଦର କ୍ଷୁଦ୍ର ମହମ ମୂର୍ତ୍ତି ଗୁଡ଼ିକ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ରାକେଶ୍। ଗୌତମବୁଦ୍ଧଙ୍କ ମୂର୍ତ୍ତି ଅତି ସୁନ୍ଦର ଭାବରେ ତିଆରି କରି ଏବେ ଏସକ୍ଲୁସିଭ୍ ୱାଲର୍ଡ ରେକର୍ଡ ହାସଲ କରିପାରିଛନ୍ତି ରାକେଶ। ଖାଲି ସେତିକି ନୁହଁ ଲିମ୍ବ କାଠିକୁ ବ୍ୟବହାର କରି ଅଧ ସେଣ୍ଟିମିଟର ଉଚ୍ଚତାର ଚୁତୁର୍ଦ୍ଧାମୂର୍ତି ପ୍ରସ୍ତୁତ କରିପାରିଛନ୍ତି ରାକେଶ । ଯାହାକୁ ନେଇ ସେ ସମଗ୍ର ଯାଜପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଯାଜପୁର ଜିଲ୍ଲା ସଦର ମହକୁମାର ଅନତି ଦୂରରେ ରହିଛି ନାଥସାହି ଗାଁ । ଏହି ଗାଁର ଏକ ଛୋଟିଆ ପରିବାରରେ ରାକେଶଙ୍କ ଜନ୍ମ। ରାକେଶ ପିଲାଟି ଦିନରୁ ଚିତ୍ରକଳା ପ୍ରତି ରୁଚି ରଖିଥିଲେ। ସେ ପିଲାବେଳୁ ବିଭିନ୍ନ ମୂର୍ତି ଆଙ୍କିବା ସହ ଅନେକ ସ୍ଥାନକୁ ଯାଇ ବାଲୁକା କଳା ମଧ୍ୟ ପ୍ରଦର୍ଶନ କରିଛନ୍ତି । ହେଲେ ତାଙ୍କର ସ୍ୱପ୍ନ ଥିଲା କିଛି ନିଆରା କାରୁକାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ଯାହାକି ଆଜି ସେ ସବୁ ଠାରୁ ଛୋଟ ମୂର୍ତି ନିର୍ମାଣ କରି ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।
ପୁଅର ଏହି ସଫଳତା ପାଇଁ ପରିବାର ବେଶ୍ ଖୁସି ଅନୁଭବ କରନ୍ତି। ଆଗକୁ ସରକାରୀ ସହଯୋଗ ଓ ସହାୟତା ମିଳିଲେ ପୁଅ ଆହୁରି ମଧ୍ୟ ଭଲ ଚିତ୍ରକଳା ପ୍ରଦର୍ଶନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ପରିବାର ଲୋକ ଆଶାବାଦୀ ଅଛନ୍ତି । ଯାଜପୁର ମାଟିର ପୁଅ ରାକେଶ ଆଗାମୀ ଦିନରେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ହାସଲ କରିବାକୁ ଆଶା ରଖିଛନ୍ତି । ମାତ୍ର କେବେ ରାକେଶ ଏହି ସ୍ୱପ୍ନକୁ ସାକାର କରୁଛନ୍ତି, ତାକୁ ହିଁ ଯାଜପୁରବାସୀଙ୍କ ଅପେକ୍ଷା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ