ନୂଆଦିଲ୍ଲୀ: ଅନେକ ବାଦ ବିବାଦ ପରେ ମଧ୍ୟ ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ପ୍ରଦର୍ଶିତ ହୋଇଛି । ଏପରିକି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ସଙ୍ଗଠନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରିବାକୁ ମନା କରି ଫିଲ୍ମ ରିଲିଜ କରିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ JNUରେ ପ୍ରଦର୍ଶିତ କରାଯାଇଛି । ଏବଂ ଏହି ସମୟରେ 'ଦ କେରଳ ଷ୍ଟୋରୀ'ର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍, ନିର୍ମାତା ଅମୃତଲାଲ ଶାହା ଏବଂ ଅଭିନେତ୍ରୀ ଅଦା ଶର୍ମା ଜେଏନୟୁରେ ଉପସ୍ଥିତ ରହି ଫିଲ୍ମକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ ।
ତେବେ ସାଧାରଣତଃ JNUରେ କୌଣସି ଫିଲ୍ମର ସ୍କ୍ରିନିଂ ଦେଖାଇବା ପରେ ଧମାକା ହୋଇଥାଏ । କିନ୍ତୁ ଏହି ଫିଲ୍ମ ସହ ତାହା ହୋଇନଥିଲା । ବରଂ ବହୁ ସଂଖ୍ୟକ ଛାତ୍ର ଏହି ଫିଲ୍ମରେ ଦର୍ଶାଯାଇଥିବା ଯନ୍ତ୍ରଣାକୁ ବୁଝିଥିଲେ ଏବଂ ଏହାକୁ ଦେଖି ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଥିଲେ । ଛାତ୍ରମାନଙ୍କୁ ଫିଲ୍ମ 'ଦ କେରଳ ଷ୍ଟୋରୀ' ଦେଖାଇବା ପାଇଁ ଏବିଭିପି ସମସ୍ତ ଦାୟିତ୍ବ ଗ୍ରହଣ କରିଥିଲା । ସୋସିଆଲ ମିଡିଆରେ ସେ ଏଥିପାଇଁ ପ୍ରଚାର ମଧ୍ୟ କରିଥିଲେ ।
ମଙ୍ଗଳବାର ସନ୍ଧ୍ୟାରେ କେରଳର 32 ହଜାର ଝିଅଙ୍କ ନିଖୋଜକୁ ଆଧାର କରି ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଜେଏନୟୁର ଅଡିଟୋରିୟମ୍ ନମ୍ବର 1 ରେ କନଭେନସନ୍ ସେଣ୍ଟରରେ ପ୍ରଦର୍ଶିତ ହୋଇଥିଲା । ଫିଲ୍ମରେ ଅନେକ ଦୃଶ୍ୟ ଥିଲା ଯାହା ଚକିତ କରିଥିଲା । ତେବେ ସ୍କ୍ରିନିଂ ସମୟରେ ଜେଏନୟୁରେ ଉପସ୍ଥିତ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍, ନିର୍ମାତା ଭିପୁଲ ଅମୃତଲାଲ ଶାହା ଏବଂ ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଫିଲ୍ମ ସ୍କ୍ରିନିଂ ପରେ, ଛାତ୍ରମାନେ ସେମାନଙ୍କ ମନରେ ଆସିଥିବା ପ୍ରଶ୍ନ ପଚାରିଥିଲେ ।
ସମସ୍ତ ପ୍ରଶ୍ମର ଉତ୍ତର ଦେବା ସହ ଫିଲ୍ମ ନିର୍ମାଣରେ ତାଙ୍କୁ କେଉଁ ପରିସ୍ଥିତି ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ସେନେଇ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ କହିଥିଲେ । ତାଙ୍କ କହିବାନୁସାରେ, ଫିଲ୍ମରେ 32 ହଜାର ଝିଅଙ୍କ ନିଖୋଜ ହେବାର କାହାଣୀ ଦେଖାଯାଇଛି । କିନ୍ତୁ ବାସ୍ତବରେ ଏହି ମାମଲା 50 ହଜାରରୁ ଅଧିକ ଅଟେ । ସେହିପରି ଫିଲ୍ମର ନିର୍ମାତା ବିପୁଲ ଅମୃତଲାଲ ଶାହା କହିଛନ୍ତି ଯେ ଏଭଳି ଫିଲ୍ମ ନିର୍ମାଣ ପାଇଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସହିବାକୁ ପଡିଛି ।
ସେ ଆହୁରି ମଧ୍ୟ କହିଥିଲେ, ଯେଉଁମାନେ ପ୍ରଥମେ ଏହି ଫିଲ୍ମ ଠାରୁ ନିଜକୁ ଦୂରେଇ ରଖିଥିଲେ, ସେମାନେ ବର୍ତ୍ତମାନ ନିଜକୁ ଏହି ଫିଲ୍ମର ଏକ ଅଂଶ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା ଫିଲ୍ମକୁ ନେଇ କହିବା ପୂର୍ବରୁ ଜୟ ଶ୍ରୀ ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନରୁ ଆରମ୍ଭ କରିଥିଲେ । ସେ କହିଥିଲେ ଯେ ସେ କେବଳ ଫିଲ୍ମର ଚରିତ୍ରରେ ଅଭିନୟ କରିନାହାଁନ୍ତି ବରଂ ତାହାକୁ ସେ ନିଜେ ବଞ୍ଚିଛନ୍ତି ।
ସୂଚନା ଥାଉ କି, ଅନେକ ବିବାଦ ପରେ 'ଦ କେରଳ ଷ୍ଟୋରୀ' ଆସନ୍ତା 5 ତାରିଖରେ ସମସ୍ତ ସିନେମାହଲରେ ରିଲିଜ ହେବ । ଫିଲ୍ମ ନିର୍ମାଣ ଠାରୁ ଆରମ୍ଭ କରି ରିଲିଜ୍ ପର୍ଯ୍ୟନ୍ତ ଅନେକ ସଂଗଠନ ଏହାକୁ ବିରୋଧ କରିଆସୁଛନ୍ତି । ଏପରିକି ସମାଲୋଚକମାନେ ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ଶେଷରେ ସୁପ୍ରିମକୋର୍ଟ ଏହି ଫିଲ୍ମକୁ ମେ 5 ରେ ରିଲିଜ କରିବାକୁ ଅନୁମତି ଦେଇଥିଲେ । ଭାରତର ଅନେକ ସଂଗଠନ ଏହାକୁ ବିରୋଧ କରୁଥିବାବେଳେ ଅନେକ ସଂଗଠନ ଏହି ଫିଲ୍ମକୁ ସମର୍ଥନ କରିଥିଲେ ।