ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଆସନ୍ତା ଫେବୃୟାରୀ 6 ତାରିଖରେ ଏହି ଚର୍ଚ୍ଚିତ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜ ବିବାହକୁ ନେଇ ଉଭୟେ କୌଣସି ସ୍ପଷ୍ଟ ସୂଚନା ଦେଇନଥିବାବେଳେ ବିବାହ ଭେନ୍ୟୁ ନେଇ ଚର୍ଚ୍ଚା ଚାଲିଛି ।
ଆଜିକାଲି ଡେଷ୍ଟିନେସନ ୱେଡିଂ ଟ୍ରେଣ୍ତରେ ଚାଲିଛି । ସେଲିବ୍ରେଟିମାନେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ରାଜକୀୟ ହୋଟେଲକୁ ୱେଡିଂ ଡେଷ୍ଟିନେସନ ଭାବେ ଚୟନ କରୁଛନ୍ତି । ସେହପରି କିଆରା ଓ ସିଦ୍ଧାର୍ଥଙ୍କ ବିବାହ ମଧ୍ୟ ରାଜସ୍ଥାନରେ ହେବ । ଜୈସଲମେର ସହରର ସୂର୍ଯ୍ୟଗଡ଼ ହୋଟେଲରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ବିକି କୌଶଲ-କ୍ୟାଟ୍ରିନା ଏବଂ ରଣବୀର-ଆଲିଆଙ୍କ ପରେ ଚଳିତ ବର୍ଷ କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ପ୍ରଂଶସକ । ରିପୋର୍ଟ ଅନୁଯାୟୀ, ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଆସନ୍ତା ଫେବୃଆରୀ 6 ରେ ବିବାହ କରିବାକୁ ଯାଉଛନ୍ତି । ବିବାହ କାର୍ଯ୍ୟକ୍ରମରେ ଉଭୟ ଘନିଷ୍ଠ ବନ୍ଧୁ ଏବଂ ପରିବାର ବର୍ଗ ସାମିଲ ହେବେ । ତେବେ ଫେବୃୟାରୀ 4ରୁ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଯେଉଁଥିରେ ପ୍ରିୱେଡିଂ ସେରିମନି, ମହେନ୍ଦୀ, ହଳଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି । ଫେବୃଆରୀ 6ରେ ଉଭୟ ରାଜସ୍ଥାନର ଜୈସଲମେର୍ ପ୍ୟାଲେସ୍ ହୋଟେଲରେ ସାତ ଫେରା ନେବେ । କଡା ସୁରକ୍ଷା ମଧ୍ୟରେ ଏହି ବିବାହ ହେବ ଏବଂ ଉଭୟଙ୍କ ପରିବାର ସଦସ୍ୟ ଏଥିରେ ସାମିଲ ହେବେ । ପ୍ରାୟ 4 ବର୍ଷ ଦୁହେଁ ଦୁହିଙ୍କୁ ଡେଟ କରିବା ପରେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ।
ପର୍ଯ୍ୟଟନ ଏବଂ ଫିଲ୍ମ ସୁଟିଂ ପରେ ରାଜସ୍ଥାନର ଜୈସଲମେର ପ୍ୟାଲେସ୍ ହୋଟେଲ ୱେଡିଂ ଡେଷ୍ଟିନେସନ ଭାବେ ପରିଗଣିତ ହୋଇଛି । ଜୈସଲମେର ପ୍ୟାଲେସ୍ ହୋଟେଲ ସହର ଠାରୁ ପ୍ରାୟ 20ରୁ 25 କିଲୋମିଟର ଦୂର ସୁମ ରୋଡରେ ଅବସ୍ଥିତ । ଡିସେମ୍ବର 2010ରେ ଜୟପୁରର ଜଣେ ବ୍ୟବସାୟୀ ଏହି ହୋଟେଲ ନିର୍ମାଣ କରିଥିଲେ । ପ୍ରାୟ 65 ଏକର ବିଶିଷ୍ଟ ସୂର୍ଯ୍ୟଗଡ଼ ହୋଟେଲ ହଳଦିଆ ପଥରରେ ନିର୍ମାଣ ହୋଇଛି । ଯାହା ଏକ ଦୁର୍ଗ ପରି ଦେଖାଯାଏ । ବିବାହ ଭେନ୍ୟୁ ପାଇଁ ଏହି ହୋଟେଲଟି ସାରା ବିଶ୍ବରେ ପ୍ରସିଦ୍ଧ । ଏଠାରେ ବିବାହ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ।
ହୋଟେଲରେ ବାୱଡି ନାମକ ଏକ ସ୍ଥାନ ଅଛି । ସ୍ବତନ୍ତ୍ର ବିବାହ ସମାରୋହ ପାଇଁ ଏହି ସ୍ଥାନ ପ୍ରସ୍ତୁତ କରାଯାଇଛି । ମଣ୍ଡପ ଚାରି ପାଖରେ ଚାରୋଟି ସ୍ତମ୍ଭ ସ୍ଥାପନ କରାଯାଇଛି । କିଆରା ଓ ସିଦ୍ଧାର୍ଥ ଏହି ମଣ୍ଡପରେ ସାତଫେରା ନେବେ । ହୋଟେଲର ଦୁଇ ପାର୍ଶ୍ବରେ ବଡ଼ ବଗିଚା ରହିଛି । ଯେଉଁଠାରେ ଏକ ହଜାରରୁ ଅଧିକ ଅତିଥି ବସିପାରିବେ । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୈସଲମେରର ସୂର୍ଯ୍ୟଗଡ଼ ହୋଟେଲରେ ରାଜକୀୟ ବିବାହ ଆୟୋଜିତ ହୁଏ । ଏପ୍ରିଲରୁ ସେପ୍ଟେମ୍ବର ମାସରେ ହୋଟେଲରେ ବିବାହ ପାଇଁ ଗୋଟିଏ ଦିନରେ ପ୍ରାୟ 1 କୋଟି 20 ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ପର୍ଯ୍ୟଟନ ଋତୁ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦିନକୁ ପ୍ରାୟ 2 କୋଟି ଟଙ୍କା ଚାର୍ଜ ହୋଇଥାଏ ।