ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ୍ ୱାର୍’ ନିକଟରେ ମୁକ୍ତିଲାଭ କରିଛି । ବିବେକ ଏହି ଚଳଚ୍ଚିତ୍ରକୁ ନେଇ ଜୋରସୋର ପ୍ରମୋଟ୍ କରୁଛନ୍ତି । ପ୍ରମୋସନ ସମୟରେ ବିବେକ ଅଗ୍ନିହୋତ୍ରୀ ଏମିତି ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହା ଭାଇରାଲ୍ ହେବାରେ ଲାଗିଛି । ଉଲ୍ଲେଖନୀୟ ଯେ, ବିବେକ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏ କାହା ବିଷୟରେ କିଛି ବି ମନ୍ତବ୍ୟ ଦେବାକୁ ପଛଘୁଞ୍ଚା କରନ୍ତି ନାହିଁ । ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଚର୍ଚ୍ଚାର ପରିସରକୁ ଆସିଛି । ବିବେକ ପ୍ରକୃତରେ ଆଲିଆଙ୍କର ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ତାଙ୍କ ପରିବାରର ସଦସ୍ୟ ବୋଲି କହିଛନ୍ତି ।
ବିବେକ ଆଲିଆଙ୍କ ବିଷୟରେ କହିଲେ ଏମିତି
ନିକଟରେ ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ ନିଜକୁ ଆଲିଆ ଭଟ୍ଟଙ୍କ ପ୍ରଶଂସକ ବୋଲି କହିଛନ୍ତି । ସେ କହିଛନ୍ତି, ‘‘ମୋତେ ଲାଗୁଛି ଯେ ଆଲିଆ ମୋ ପରିବାରର ଏକ ଅଂଶ ଏବଂ ମୁଁ ତାଙ୍କ କାମକୁ ସର୍ବଦା ପସନ୍ଦ କରେ । ମୋତେ ଭଲ ଲାଗେ, ଯେପରି ସେ ଜଣେ ପରିପକ୍ୱ କଳାକାର ଭାବରେ ଆଗକୁ ବଢନ୍ତି ଏବଂ ସର୍ବସାଧାରଣରେ ନିଜକୁ ଉପସ୍ଥାପନ କରନ୍ତି । ଯେତେବେଳେ ବି କୌଣସି ଆଲୋଚନା ହୁଏ, ମୁଁ ଆଲିଆ ବିଷୟରେ କିଛି ନକରାତ୍ମକ ଶୁଣିପାରେ ନାହିଁ । ଜଣେ କଳାକାର କିପରି ପରିପକ୍ୱ ହେବା ଉଚିତ୍ ଆଲିଆ ଏକ ପ୍ରକୃଷ୍ଟ ଉଦାହରଣ ।’’
ଅଲ୍ଲୁ ଅର୍ଜନଙ୍କର ମଧ୍ୟ କଲେ ପ୍ରଶଂସା
ବିବେକ ଅଲ୍ଲୁ ଅର୍ଜୁନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ନିକଟରେ ଅଲ୍ଲୁ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ର ପାଇଁ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ମିମି ଚଳଚ୍ଚିତ୍ର ପାଇଁ କ୍ରିତି ସାନନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲେ । ବିବେକ ମଧ୍ୟ କ୍ରିତିଙ୍କର ପ୍ରଶଂସା କରିଥିଲେ । ସେ କହିଥିଲେ, ମୋ ପତ୍ନୀ ପଲ୍ଲଭୀ ଏବଂ ମୁଁ ଫିଲ୍ମ ‘ମିମି’ ଦେଖିଥିଲୁ ଏବଂ ମୁଁ କ୍ରିତିଙ୍କ ପରିପକ୍ୱ ଏବଂ ପରଫମାନ୍ସ ଦେଖିଛି ।
ଦି ଭ୍ୟାକ୍ସିନ୍ ୱାର୍
ଦି ଭ୍ୟାକ୍ସିନ୍ ୱାର୍ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ଭାରତୀୟ ବୈଜ୍ଞାନିକମାନଙ୍କ ଉପରେ ଆଧାରିତ, ଯେଉଁମାନେ ଦିନରାତି କୋଭିଡ ମହାମାରୀ ପାଇଁ ଟିକା ତିଆରି କରିଥିଲେ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାନା ପାଟେକର, ପଲ୍ଲଭି ଯୋଶୀ ଏବଂ ରାଇମା ସେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । 'ଦ ଭାକ୍ସିନ ୱାର୍' ରିଲିଜ୍ ହେବାର ପ୍ରଥମ ଦିନରେ ମାତ୍ର 1.30 କୋଟି ଟଙ୍କା ବ୍ୟବସାୟ କରିଛି ।