ମୁମ୍ବାଇ: ଥମୁନି ସାଜିଦ ଝଡ଼ । ବିଗ୍ବସ୍ ନିର୍ମାତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ଚଳଚ୍ଚିତ୍ର ନିର୍ମାତା ସାଜିଦ ଖାନ । ତାଙ୍କୁ ସୋ’ରୁ ବାହାର କରିବା ପାଇଁ ଦାବି ଜୋର ଧରିଥିବାବେଳେ ଏପଟେ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା (Sherlyn Chopra) ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନ (Juhu Police Station)ରେ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି (complaint against Sajid Khan)। ଯେଉଁଥିରେ ସାଜିଦଙ୍କୁ ଗିରଫ ଦାବି କରିବା ସହିତ ତାଙ୍କୁ ବିଗ୍ ବସ୍ରୁ ବାହାର କରିବାକୁ ଅନୁରୋଧ କରାଯାଇଛି ।
ଶର୍ଲିନଙ୍କ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି, 'ଆମେ ଧାରାର ଖୁଲାସା କରିବାକୁ ଚାହୁଁନାହୁଁ, କିନ୍ତୁ ଜଣେ ମହିଳାଙ୍କ ସମ୍ମାନକୁ ଅପମାନିତ କରିବା ଆଧାରରେ ଆମେ ଏହି ଅଭିଯୋଗ ଦାଖଲ କରିଛୁ । ସେ କିପରି ଭାବରେ ବିଗ୍ ବସ୍ ସୋ’ରେ ତାଙ୍କ ଭାବମୂର୍ତ୍ତୀକୁ ଧଳା କରିବାକୁ ଆସିଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛୁ । ଶର୍ଲିନ ଚୋପ୍ରା ଡେପୁଟି କମିଶନରଙ୍କ ନିକଟରେ ଅଭିଯୋଗ କରିବା ସହିତ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ଅଭିନେତ୍ରୀଙ୍କ ଓକିଲ ସୋହେଲ ସରିଫ କହିଛନ୍ତି ଯେ, ‘ଆଜି ଶର୍ଲିନ ବିଭିନ୍ନ ବିଭାଗ ଅଧୀନରେ ସାଜିଦ ଖାନଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଛନ୍ତି ଏବଂ ସେ ଜୁହୁ ପୋଲିସ ଷ୍ଟେସନରେ ଧାରା 354 ଅନୁଯାୟୀ ସାଜିଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଶର୍ଲିନଙ୍କର ଗୋଟିଏ ସର୍ତ୍ତ ହେଉଛି ସାଜିଦଙ୍କୁ 'ବିଗ୍ ବସ୍'ର ସୋ'ରୁ ନିଲମ୍ବିତ କରାଯିବା ଉଚିତ୍ । ସେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିସାରିଛନ୍ତି ଏବଂ ଦିନେ କି ଦୁଇ ଦିନ ମଧ୍ୟରେ ସାଜିଦ ଥିବା ବିଗ୍ ବସ୍ର ସେହି ଏପିସୋଡ୍ ପ୍ରସାରଣ ବନ୍ଦ କରିବାକୁ ଆମେ କଲର୍ସ ଟିଭିକୁ ନୋଟିସ୍ ପଠାଇବାକୁ ଯାଉଛୁ ବୋଲି କହିଛନ୍ତି ।
ବିଗ୍ ବସ୍ ସୋ’ରେ ସାଜିଦ୍ ଖାନଙ୍କ ଏଣ୍ଟ୍ରିକୁ ନେଇ ଲୋକଙ୍କ ଆପତ୍ତି
ଏହା ପ୍ରଥମ ଥର ନୁହେଁ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ମହିଳା ବିଗ୍ ବସ୍ ସୋ’ରେ ସାଜିଦ୍ ଖାନଙ୍କ ଏଣ୍ଟ୍ରିକୁ ବିରୋଧ କରିଛନ୍ତି । କିଛି ଦିନ ପୂର୍ବରୁ, ତନୁଶ୍ରୀ ଦତ୍ତା ମଧ୍ୟ ସୋ’ର ନୂଆ ସିଜନରେ ସାଜିଦଙ୍କ କାଷ୍ଟ୍ ଉପରେ ବିରୋଧ କରିଥିଲେ । ଶର୍ଲିନଙ୍କ ବ୍ୟତୀତ ଉର୍ଫି ଜାବେଦ, ମନ୍ଦନା କରିମ, କନିଷ୍କା ସୋନି, ରାଣୀ ଚାଟାର୍ଜୀ ଯାଏଁ ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି ।