ମୁମ୍ବାଇ: ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କ ବିବାହ ପରେ ନିଜ ନାମ ବଦଳାଇଛନ୍ତି ! ତାଙ୍କ ବିବାହର ଏକ ଫଟୋ ଭାଇରାଲ ହେବା ପରେ ସେ ନିଜ ନାମ ପରିବର୍ତ୍ତନ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ରାକ୍ଷୀ ତାଙ୍କ ନାମ ଫାତିମା ରଖିଥିବା କୁହାଯାଉଛି । ଅଭିନେତ୍ରୀ ନିଜ ବିବାହ ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋରେ ତାଙ୍କ ବିବାହ ପ୍ରମାଣପତ୍ର ରହିଥିବା ଦେଖିବାକୁ ମିଳିଛି । ଏହି ପ୍ରମାଣପତ୍ରରେ ରାକ୍ଷୀ ସାୱନ୍ତ ଫାତିମା ଭାବେ ଦସ୍ତଖତ କରିଥିବା ଦେଖାଯାଇଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସବୁବେଳେ ବିବାଦରେ ରହୁଥିବା ଡ୍ରାମା କୁଇନ ରାକ୍ଷୀ ନିଜ ବୟଫ୍ରେଣ୍ଡ ଆଦିଲ ଦୁରାନିଙ୍କୁ ବିବାହ କରିଛନ୍ତି । ଉଭୟ ପରସ୍ପରକୁ ଦୀର୍ଘ ଦିନ ହେଲା ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଦିଲ ଜଣେ ବ୍ୟବସାୟୀ ଓ ସେ ରାକ୍ଷୀଙ୍କ ଠାରୁ ୬ ବର୍ଷ ସାନ । ଦୁହେଁ କୋର୍ଟରେ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତ୍ରୀ ବିବାହ ପ୍ରମାଣପତ୍ରରେ ଦସ୍ତଖସ୍ତ କରୁଥିବାର ଏବଂ ବରମାଳା ପିନ୍ଧାଉଥିବାର କିଛି ଫଟୋ ପୋଷ୍ଟ କରିଛନ୍ତି । ବିବାହ ପ୍ରମାଣପତ୍ରରେ ରାକ୍ଷୀ ସାୱନ୍ତଙ୍କ ଫାତିମା ଦସ୍ତଖତ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ତେଣୁ ଆଦିଲଙ୍କୁ ବିବାହ ପରେ ଅଭିନେତ୍ରୀ ନିଜ ନାମ ଫାତିମା କରିଥିବା ଚର୍ଚ୍ଚା ହେଉଛି ।
ଅଭିନେତ୍ରୀ ରାକ୍ଷୀ ଇନଷ୍ଟାଗ୍ରାମରେ ବିବାହ ସମୟର ଭିଡିଓ, ଫଟୋ ଓ ପ୍ରମାଣପତ୍ର ସେୟାର କରିଛନ୍ତି । ଫଟୋରେ ସେ ପ୍ରିଣ୍ଟେଡ ନାଲି ଓ କମଳା ରଙ୍ଗର ଏକ ସରାରା ଓ ଓଢଣୀରେ ନଜର ଆସିଛନ୍ତି । ଏହି ଫଟୋ ୭ ମାସ ତଳର ହୋଇଥିବାବେଳେ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛ । ଅଭିନେତ୍ରୀ କାହିଁକି ଏତେ ଦିନ ଯାଏଁ ନିଜ ବିବାହ ଖବର ଲୁଚାଇଥିଲେ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । କହିରଖୁଛୁ କି, ରାକ୍ଷୀ ସାୱନ୍ତଙ୍କ ମାଆ ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡିତ ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ସେ ନିଜେ ଜଣାଇଥିଲେ । ଏହାସହିତ ତାଙ୍କ ମାଆଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ଫ୍ୟାନ୍ସଙ୍କୁ ନିବେଦନ କରିଥିଲେ ।