ମୁମ୍ବାଇ: ବଲିଉଡରୁ ହଲିଉଡ ଯାତ୍ରା କରିଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପ୍ରିୟଙ୍କା ଚୋପ୍ରା ତାଙ୍କ କ୍ୟାରିଅରରେ ଯେତିକି ସଫଳତା ହାସଲ କରିଛନ୍ତି । କୌଣସି ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ ସେତେ ଲୋକପ୍ରିୟତା ମିଳିପାରି ନାହିଁ । ପ୍ରିୟଙ୍କା ଆଜି ଜଣେ ଅନ୍ତର୍ଜାତୀୟ ସେଲିବ୍ରିଟି ପାଲଟିଛନ୍ତି । 2000 ମସିହା ରେ ପ୍ରିୟଙ୍କା ମିସ୍ ୱାର୍ଲ୍ଡ ଟାଇଟେଲ ଜିତିଥିଲେ, ଏହାପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ତେବେ ଫିଲ୍ମରେ କାମ ପାଇବା ପାଇଁ ପ୍ରିୟଙ୍କାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ପରେ ପରେ ଏଭଳି କିଛି ଘଟଣା ଘଟିଥିଲା ଯାହା ପାଇଁ ସେ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଛାଡ଼ିଥିଲେ । ଏକ ସାକ୍ଷାତକରାରେ ସେ ବଲିଉଡ ଇଣ୍ଡଷ୍ଟ୍ରି ଛାଡ଼ିବା ପଛର କାରଣ ମଧ୍ୟ କହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ ଏକ ଗମ୍ଭୀର ଖୁଲାସା କରିଛନ୍ତି । 20 ବର୍ଷ ପୁରୁଣାର କଥାକୁ ମନେ ପକାଇ ପ୍ରିୟଙ୍କା ଜଣେ ନିର୍ଦ୍ଦେଶକଙ୍କ ବିଷୟରେ କହିଛନ୍ତି ଯେ, ନିର୍ଦ୍ଦେଶକ ତାଙ୍କୁ ଅନ୍ତବସ୍ତ୍ର ଦେଖାଇବାକୁ କହିଥିଲେ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, 2002-2003 ମସିହାରେ, ସେ ଏକ ଚଳଚ୍ଚିତ୍ରରେ ଜଣେ ଅଣ୍ଡରକଭର ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିଲେ । ଯେଉଁଥିରେ ତାଙ୍କୁ ପୁରୁଷ ଅଭିନେତା ବନ୍ଧୁଙ୍କୁ ପ୍ରତାରଣା କରିବାକୁ ପଡିଲା । ସେ କହିଛନ୍ତି, "ମୋତେ ଜାଣିଶୁଣି ଜଣେ ଅଭିନେତାଙ୍କୁ ଉତ୍ତେଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶକ ମୋତେ ଗୋଟିଏ ପରେ ଗୋଟିଏ ପୋଷାକ ଓହ୍ଲାଇବାକୁ କହିଥିଲେ । ଯଦିଓ ସେ ମୋତେ ସିଧା ସିଧା କହିନଥିଲେ, ସେ ମୋର ଷ୍ଟାଇଲିସ୍ ଜରିଆରେ ଏହା ମୋତେ କହିଥିଲେ ।"
ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, " ମୁଁ ତାହା କରିବାକୁ ଚାହୁଁନଥିଲି । ଏହାପରେ ମୁଁ ଫିଲ୍ମ କରିବାକୁ ମନା କରି ନିର୍ଦ୍ଦେଶକଙ୍କୁ ଟଙ୍କା ଫେରସ୍ତ କରିଥିଲି । ପ୍ରିୟଙ୍କା କହିଛନ୍ତି ଯେ ସେ ଚଳଚ୍ଚିତ୍ର ଛାଡିଛନ୍ତି, ଏହା ପରେ ସେହି ନିର୍ଦ୍ଦେଶକଙ୍କ ସହ କାମ କରି ନାହାନ୍ତି । ସେ ସେଟ୍ ଛାଡ଼ି ଚାଲି ଯାଇଥିଲେ । ସେ ନିଜର ଖୁବ ସମ୍ମାନ କରନ୍ତି । ତାଙ୍କ ପାଇଁ ଆତ୍ମ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।" ନିର୍ଦ୍ଦେଶକଙ୍କ ବିଷୟରେ କଥାବାର୍ତ୍ତା କରି ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କୁ କେବେ ମଧ୍ୟ ଭେଟିବା ପାଇଁ ଚାହାନ୍ତି ନାହିଁ ।
ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା 2002 ତାମିଲ ଚଳଚ୍ଚିତ୍ର ଥାମିଜାନ ସହିତ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ 2003ରେ ଅନ୍ଦାଜ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ । ଏହି ଫିଲ୍ମ ହିଟ୍ ହେବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଏହାପରେ ସେ ମୁଝ୍ ସେ ଶାଦି କରୋଗୀ, ଫ୍ୟାଶନ୍, ଡନ୍, ବର୍ଫି, ବାଜିରାଓ ମସ୍ତାନୀ, ମେରି କୋମ୍, ହ୍ୱାଇଟ୍ ଟାଇଗର ଆଦି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା ।