ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ସହ ଜଡ଼ିତ ଏକ ଦୁଃଖଦ ଖବର ଆସିଛି । ତାଙ୍କ ଶ୍ୱଶୁର ଜନ୍ ସ୍ବିଣ୍ଡଲଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ୍ ଲେଖି ଏହି ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ଅଭିନେତ୍ରୀ ଏବଂ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ପ୍ରୀତି ଜିଣ୍ଟା ବିବାହ ସମୟର ନିଜର ଏବଂ ତାଙ୍କ ଶ୍ବଶୁରଙ୍କ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, “ପ୍ରିୟ ଜନ୍, ମୁଁ ଆପଣଙ୍କୁ ବହୁତ ମନେ ପକାଇବି । ଆପଣଙ୍କ ଉଦାରତା ଏବଂ ଦୟାଳୁ ଭାବନାକୁ ମନେ ପକାଇବି । ଆପଣଙ୍କ ସହ ସୁଟିଂକୁ ଯିବା, ଆପଣଙ୍କ ପସନ୍ଦର ଭାରତୀୟ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଆପଣଙ୍କ ସହ ସବୁ ଟପିକ୍ ଉପରେ ଆଲୋଚନା କରିବା ମୋତେ ଭଲ ଲାଗୁଥିଲା ।" ପ୍ରୀତି ଆହୁରି କହିଛନ୍ତି ଯେ, ଆପଣଙ୍କ ବିନା ଘର ଆଗ ଭଳି ଳାଗିବ ନାହିଁ । ମୋତେ ଜଣାଅଛି ଆପଣ ନିଶ୍ଚିନ୍ତ ଏବଂ ଶାନ୍ତି ଜାଗାରେ ରହିଛନ୍ତି । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ । ପ୍ରୀତିଙ୍କ ଏହି ଫଟୋ ସେୟାର ହେବା ପରେ ସମସ୍ତ କଳାକାର ଏବଂ ଫ୍ୟାନ୍ସ ମଧ୍ୟ ତାଙ୍କ ଶ୍ବଶୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୂଚନା ଥାଉ କି, ପ୍ରୀତି ଜିଣ୍ଟାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଅଭିନେତ୍ରୀ 90 ଦଶକରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ସେ 1998ରେ 'ଦିଲ୍ ସେ' ଫିଲ୍ମ ସହ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ଏହା ପରେ ପ୍ରୀତି ଅନେକ ହିଟ୍ ଚଳଚ୍ଚିତ୍ର କରିଥିଲେ । 2008 ମସିହାରେ ଏହି ଅଭିନେତ୍ରୀ କାନାଡାର ଚଳଚ୍ଚିତ୍ର 'ହେଭେନ ଅନ ଅର୍ଥ'ରେ କାମ କରିଥିଲେ ଏବଂ ପରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ରରୁ ବିରତି ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସମୁଦ୍ର କୂଳରେ ସ୍ବାମୀଙ୍କ ସହ ଏନ୍ଜୟ କରୁଛନ୍ତି ବଲିଉଡର ଡିମ୍ପଲ ଗର୍ଲ, ଦେଖନ୍ତୁ ଝଲକ
ଏହା ପରେ, ସେ 2013ରେ ପୁଣି ଏକ ରୋମାଣ୍ଟିକ୍ କମେଡି ଫିଲ୍ମ 'ଇଶ୍କ୍ ଇନ୍ ପ୍ୟାରିସ୍' ସହ ବଲିଉଡକୁ ଫେରିଥିଲେ । ଏହାପରେ, ସେ 2016 ମସିହାରେ ଜିନ୍ ଗୁଡଇନଫ୍ଙ୍କୁ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀ ସ୍ୱାମୀ ଏବଂ ପରିବାର ସହିତ ଲସ୍ ଏଞ୍ଜେଲସ୍ରେ ରୁହନ୍ତି । ସେ ନିଜ ବ୍ୟବସାୟ ସଂପର୍କିତ କାର୍ଯ୍ୟରେ ପ୍ରାୟତଃ ଭାରତକୁ ଆସନ୍ତି । ପ୍ରୀତି ଜିଣ୍ଟା ଯାଆଁଳା ସନ୍ତାନଙ୍କ ମା' ଅଟନ୍ତି। ସେ 2021 ମସିହାରେ ସରୋଗେସି ମାଧ୍ୟମରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ । ପ୍ରୀତି କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି, ସେ ଜଣେ ଭଲ ଲେଖକ ଓ କିଙ୍ଗସ୍ 11 ପଞ୍ଜାବ କ୍ରିକେଟ୍ ଦଳର ସହମାଲିକ ମଧ୍ୟ ରହିଛନ୍ତି ।