ହାଇଦ୍ରାବାଦ: ବର୍ଷ 2022 ବିଦାୟ ନେବାକୁ ଆଉ ହାତ ଗଣତି ଦିନ କେଇଟା ବାକି ଥିବାବେଳେ କଳା ଜଗତକୁ ଆଉ ଏକ ଝଟକା ଲାଗିଛି । ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି ( Tollywood actor Chalapathy Rao passes away ) । 78 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତା ଚଲପତି ରାଓ । ହାଇଦ୍ରାବାଦସ୍ଥିତ ବାସଭବନରେ ଆଜି (ରବିବାର) ହୃଦଘାତରେ ତାଙ୍କ ପରଲୋକ ଘଟିଛି ।
1944 ମଇ 8ରେ କ୍ରିଷ୍ଣା ଜିଲ୍ଲା ବାଲିପାରୁରେ ଜନ୍ମଗ୍ରହଣ କରିଥିଲେ ଚଲପତି ରାଓ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଚଲପତି । 600ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଲପତି ରାଓ ଖାଲି ଜଣେ ଅଭିନେତା ନୁହନ୍ତି ଜଣେ ପ୍ରଯୋଜକ ଭାବରେ ମଧ୍ୟରେ ଜଣାଶୁଣା ଥିଲେ । 1966ରେ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । 'ଗୁଡାଚାରି 116' ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ । ଏହା ପରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଭେଟି ଦେଇଥିଲେ । କଲିୟୁଗ କ୍ରିଷ୍ଣାଦୁ, କାଦାପା ରେଡାମ୍ମା, ଜଗନ୍ନାଟାକାମ, ପେଲାଣ୍ଟା ନୁରେଲ୍ଲା, ରାଷ୍ଟ୍ରପତି ଗିରି ଅଲ୍ଲୁଟା ଆଦି ଚଳଚ୍ଚିତ୍ରରେ ପ୍ରଯୋଜକ ଭାବେ କାର୍ଯ୍ୟ କରିଛନ୍ତି । ଆଉ ପରଦାରେ ଏହି ଅଭିନେତାଙ୍କ ଅଭିନୟ ଦେଖିପାରିବେ ନାହିଁ ଦର୍ଶକ । ଚଲପତି ରାଓଙ୍କ ବିୟୋଗ ଟଲିଉଡ ଜଗତ ପାଇଁ ଅପୂରଣୀୟ କ୍ଷତି ।
ଏହା ବି ପଢନ୍ତୁ...ବିଦାୟୀ ବର୍ଷରେ ଟଲିଉଡ ଜଗତକୁ ଝଟ୍କା, ଆରପାରିରେ ଭେଟେରାନ ଅଭିନେତା କୈକଲା ସତ୍ୟନାରାୟଣ
ଦୁଇ ଦିନ ତଳେ ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା କୈକଲା ସତ୍ୟନାରାୟଣ (Kaikala Satyanarayana)ଙ୍କର ଦେହାନ୍ତ ହୋଇଥିଲା । 87 ବର୍ଷୀୟ ଅଭିନେତା ଗତ କିଛି ମାସ ଧରି ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢୁଥିଲେ । ସତ୍ୟନାରାୟଣଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାର କିଛି ସମୟ ପରେ ସମଗ୍ର ସିନେମା ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗିପଡିଥିଲା । ଏ ଦୁଃଖ ମନରୁ ଲିଭି ନଥିବା ବେଳେ ଆଉ ଜଣେ ବରିଷ୍ଠ ଅଭିନେତା ଚଲପତି ରାଓ ଦୁନିଆରୁ ଅଲବିଦା କହିଛନ୍ତି । ଦୁଇ ଦୁଇ ଜଣ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଛି ଟଲିଉଡ ଜଗତ ।