କଟକ: ଦଶହରାରେ ପରଦା ଉପରକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ରୁଦ୍ରବତାର' । ଏନେଇ ମ୍ୟୁଜିକ ସେସନ ଆରମ୍ଭ ହୋଇଛି । ସ୍ଟୁଡିଓରେ ଗୀତ ରେକର୍ଡିଂରେ ବ୍ୟସ୍ତ ନିର୍ଦ୍ଦେଶକ, ଗାୟକ ଓ ଗାୟୀକା । ତେବେ ଓଡିଶା ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଯନ୍ତ୍ରବାଦ୍ୟ କଳାକାରଙ୍କୁ ନେଇ ଗ୍ରୁପ ଭାଓଲିନ ଦ୍ବାରା ଗୀତ ରେକର୍ଡ ହୋଇଛି । ବିଶିଷ୍ଠ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ଦ୍ବାରା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ରୁଦ୍ରବତାର ଚଳଚ୍ଚିତ୍ରର ଗୀତ ରୋକର୍ଡ ହୋଇଛି ।
ଜଣେ ଓଡିଆ ଭାବେ 90 ଦଶକରେ ବେହେଲା ବାଦନରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ, ଏବେ ମୁମ୍ବାଇରେ ପ୍ରତିଷ୍ଠିତ । ଦୀର୍ଘ 20 ବର୍ଷ ପରେ ସେ ଓଡିଶା ମାଟିକୁ ଫେରି ଓଡ଼ିଆ ଚଳଚ୍ଚିତ୍ର 'ରୁଦ୍ରବତାର'ରେ ଭାଓଲିନ ପରିବେଷଣ କରିଛନ୍ତି । ଓଲିଉଡର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଅନୁରୋଧ ଓ ନିଜର ବହୁତ ଦିନରୁ ଦେଖିଥିବା ସ୍ୱପ୍ନ ପୁରା କରିବାକୁ ସେ କଟକ ଆସିଛନ୍ତି ।
ଚଳଚ୍ଚିତ୍ର 'ରୁଦ୍ରବତାର' ଗୀତ ପାଇଁ ସେ ଓ ତାଙ୍କ ଟିମ ପରିବେଷଣ କରିଛନ୍ତି ଗ୍ରୁପ ଭାଓଲିନ । ପୂର୍ବରୁ ବଲିଉଡରେ 'ମିଲେହୋ ହମ ତୁମକୋ', 'କର ହର ମେଦାନ ଫତେ' ଓ 'ଗଙ୍ଗୁବାଇ କାଠିଆବାଡି' ଚଳଚ୍ଚିତ୍ରରେ ମଧ୍ୟ ସେ ବେହେଲା ବାଦନ କରିଛନ୍ତି । ସେପଟେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତରେ ଗ୍ରୁପ ଭାଉଲୀନ ପରିବେଷଣ ବେଶ ଉଚ୍ଚକୋଟୀର ହୋଇଛି । ମ୍ୟୁଜିକ ସେସନ ଶେଷ ହେବା ପରେ ଖୁବ କମ ଦିନରେ ଏହାର ଅଡ଼ିଓ ରିଲିଜ କରାଯିବ ବୋଲି କହିଛନ୍ତି ମ୍ୟୁଜିକାଲ ଟିମ ।