ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନର ନିର୍ମିତ ଚଳଚ୍ଚିତ୍ର "ପ୍ରତୀକ୍ଷା"ର ଟ୍ରେଲର ଓ ଅଡିଓ ରିଲିଜ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ଏକ ତାରକା ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତୀତରେ ହାକିମ ବାବୁ, ପୁଅ ମୋର କଳା ଠାକୁର, ତୁଳସୀଅପା ଏବଂ ସମ୍ପ୍ରତି ବ୍ଲକବଷ୍ଟର ୱେବ୍ ସିରିଜ୍ - ଗ୍ୟାଙ୍ଗସ୍ ଅଫ୍ ପୁରୀର ନିର୍ମାତା ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସର ଏକ ବହୁ ପ୍ରତୀକ୍ଷିତ ପୂର୍ଣାଙ୍ଗ ଚଳଚ୍ଚିତ୍ର "ପ୍ରତୀକ୍ଷା" ଡିସେମ୍ବର ୨ ତାରିଖରେ ସମଗ୍ର ଓଡିଶାରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।
ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ବିଶ୍ବାସ କରନ୍ତି ଯେ ଅମୀୟ ପଟ୍ଟନାୟକ ପ୍ରତିକୃଳ୍ପ ଆଗାମୀ ଚଳଚ୍ଚିତ୍ର ପ୍ରତୀକ୍ଷା ଓଡ଼ିଆ ଚଳଚ୍ଚିତ୍ରର ହୃଦ ଗୌରବକୁ ଫେରାଇ ଆଣିବା ସହିତ ସମ୍ପ୍ରତି ଚଳଚ୍ଚିତ୍ରରୁ ହଜିଯାଉଥିବା ଓଡ଼ିଆ ପରିଚର୍ଯ୍ୟା ସହିତ ଦର୍ଶକଙ୍କୁ ପରିଚିତ କରାଇବ । ଚଳଚ୍ଚିତ୍ର "ପ୍ରତୀକ୍ଷା", ଶାରଳା ପୁରସ୍କାର ବିଜେତା ଲେଖକ ଗୌରହରି ଦାସଙ୍କ ଦ୍ବାରା ଲିଖତ ଏକ କ୍ଷୁଦ୍ର ଗଳ୍ପରୁ ଅନୁପ୍ରାଣିତ ହୋଇଛି ।
ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁପମ ଏବଂ ତାଙ୍କ ସହଯୋଗୀମାନେ ବହୁ ପରିଶ୍ରମ କରିଛନ୍ତି । କାହାଣୀକୁ ଚଳଚ୍ଚିତ୍ର ରୂପ ଦେବାକୁ ତିନି ବର୍ଷ ସମୟ ନେଇଛନ୍ତି । ଏହି ଚଳଚ୍ଚିତ୍ରଟି ଭୁବନେଶ୍ବରରେ ସୁଟିଂ କରାଯାଇଛି । କାହାଣୀଟି ଭୁବନେଶ୍ବର ଉପରେ ଆଧାରିତ ହୋଇଥିବାରୁ ପ୍ରାମାଣିକ ଲୁକ୍ ଏବଂ ଅନୁଭବ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି ।
ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରମୁଖ ଭୂମିକାରେ ଅଛନ୍ତି ଦୀପାନ୍ବିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ, ସୁଶୀଲ ମିଶ୍ର, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ ଏବଂ ସ୍ବତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଷନ ବିଷୋୟୀ, କ୍ୟାମେରା ପରିଚାଳନା କରିଛନ୍ତି ଦୀପକ କୁମାର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ । କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ବିକାଶ ରଥ, ହ୍ୟୁମାନ ସାଗର ଏବଂ ବିଶ୍ବଜିତ୍ ମହାପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର