ଭୁବନେଶ୍ବର: ଆଜି ଓଡିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଜନ୍ମଦିନ(Leslie Tripthy Birthday) । ନବେ ଦଶକର ଏହି ଷ୍ଟାଇଲିସ୍ ଗାର୍ଲ ଦର୍ଶକଙ୍କୁ ଅନେକ ସୁପରିହିଟ୍ ଆଲବମ ଭେଟି ଦେଇଛନ୍ତି । ଲେସଲିଙ୍କ ଅନ୍ଦାଜ ଏବଂ ଅଭିନୟ ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା । ମାୟାବନୀ ବନ ଯୋଛନା ହେଉ ଅବା କିଛି ପ୍ରେମ ହେଲା ଆଖିରେ, ତୋ ପ୍ରେମରେ ଥିଲା କେତେ ଛଳନା, ଏଇ ମୋର ବଞ୍ଚିବାର ଶେଷ ବାହାନା, ତୁମକୁ ମୁଁ ଭଲ ପାଏ ବୋଲି, ଏପରି ଅନେକ ସୁପରହିଟ୍ ଆଲବମ୍ କରିଛନ୍ତି ଲେସଲି । ବିଶେଷକରି ତାଙ୍କର 'ମାୟାବିନୀ ବନ ଯୋଛନା' ଓଡିଆ ଆଲବମ ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସୃଷ୍ଟି କରିଥିଲେ ।
୧୯୮୩ ମସିହା ଜୁନ ୨୬ ତାରିଖରେ ବ୍ରହ୍ମପୁରରେ ଲେସଲି ତ୍ରିପାଠୀଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ଡ. ଶୈଳେନ୍ଦ୍ର ନାରାୟଣ ତ୍ରିପାଠୀ । ସେ ବୃତ୍ତିରେ ଜଣେ ଇଂରାଜୀ ପ୍ରଫେସର ଅଟନ୍ତି । ଲେସଲି ଚେନ୍ନାଇ ଏସିଆନ କଲେଜ ଅଫ୍ ଜର୍ଣ୍ଣାଲିଜମରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ । ସେ ଅନେକ ଆର୍ଟିକିଲ ମଧ୍ୟ ଲେଖିଛନ୍ତି । ଲେସଲି ଓଡିଆ ଆଲବମ୍ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତ୍ରୀ ଥିଲେ । ହେଲେ ପରେ ବଲିଉଡରେ ଏଣ୍ଟ୍ରି କରିଥିଲେ ।
୨୦୦୪ ମସିହାରେ ଫିଲ୍ମ ଡବ୍ଲ୍ୟୁ(W) ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଏହି ମାୟାବିନୀ ଗାର୍ଲ । କେବଳ ବଲିଉଡ ନୁହେଁ, ତେଲୁଗୁ ଏବଂ ଭୋଜପୁରୀ ଫିଲ୍ମରେ ମଧ୍ୟ ସେ କରିଛନ୍ତି ଏବଂ ଏବେ ବି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ଲେସଲି ଜଣେ ସଫଳ ମଡେଲ ମଧ୍ୟ ଅଟନ୍ତି । ସେ ବର୍ତ୍ତମାନ ମଡଲିଂ ଜଗତରେ ଖୁବ୍ ସକ୍ରିୟ ଅଛନ୍ତି । ହେଲେ ଦିନେ ଓଡିଆ ଦର୍ଶକଙ୍କୁ କିମିଆ କରୁଥିବା ଏହି ଆଲବମ କୁଇନ ଦୀର୍ଘ ବର୍ଷ ହେବ ଓଡିଶାରୁ ଦୂରେଇ ରହିଛନ୍ତି ।