ମୁମ୍ବାଇ: ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ରିଲିଜ ହୋଇଛି । ଫିଲ୍ମର ପୁରା କାହାଣୀ ଖ୍ରୀଷ୍ଟମାସ ରାତି ଉପରେ ପର୍ଯ୍ୟବେଷିତ । ଯେଉଁଥିରେ ଦୁଇ ଜଣଙ୍କ ମିଳନ ହୁଏ । ଜଣେ ହେଉଛନ୍ତି ମାରିୟା ଏବଂ ଅନ୍ୟ ଜଣେ ହେଲେ ଅଲବର୍ଟ । ଖ୍ରୀଷ୍ଟମାସ ରାତିରେ ଚାଲିଥିଲା ସେଲିବ୍ରେସନ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଏହି ସେଲିବ୍ରେସନ କୌଣସି ସିନେମା ହଲ କି କ୍ୟାଫେ ନୁହେଁ ବରଂ ଏକ କବରସ୍ଥାନରେ କରାଯାଉଥିଲା । ମାରିୟା ଏବଂ ଅଲବର୍ଟ ଦୁହେଁ ଘରକୁ ଫେରିବା ପରେ ସେଠାରେ ଏକ ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଏହି ମୃତଦେହ କେଉଁଠୁ ଆସିଲା, କିଏ ହତ୍ୟା କରିଛି ଏବଂ ଆଗକୁ କ'ଣ ହେବ ଏହାକୁ ନେଇ ଥ୍ରିଲର କାହାଣୀ ଉପରେ ଚଳଚ୍ଚିତ୍ରଟି ପର୍ଯ୍ୟବେଷିତ ।
ଏହି ସସପେନ୍ସ ଥ୍ରିଲର ଫିଲ୍ମରେ ମାରିୟା ଭୂମିକାରେ କ୍ୟାଟ୍ରିନା କୈଫ୍ ନଜର ଆସିଥିବାବେଳେ ଅଲବର୍ଟଙ୍କ ଭୂମିକାରେ ବିଜୟ ସେତୁପତିଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମର କାଷ୍ଟିଂ ଦେଖିବା ପରେ ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ, କ୍ୟାଟ୍ରିନା ଓ ବିଜୟଙ୍କ ଯୋଡି କାହିଁକି ? କିନ୍ତୁ ଉଭୟଙ୍କର କେମେଷ୍ଟ୍ରି ଦମଦାର ରହିଥିବା କୁହାଯାଉଛି । ଏହି ଫିଲ୍ମରେ କ୍ୟାଟ୍ରିନା ଚମତ୍କାର ଅଭିନୟ କରିଥିବାବେଳେ ବିଜୟ ସେତୁପତି ମଧ୍ୟ ଏକ ଦମଦାର ରୋଲ୍ ପ୍ଲେ କରିଛନ୍ତି । ଯେଉଁଥିରେ ସେ ଛୋଟ ଛୋଟ ପଞ୍ଚ୍ ଲାଇନ କହୁଥିବା ଶୁଣିବାକୁ ମିଳିବ । ଏହି ସସପେନ୍ସ ଚଳଚ୍ଚିତ୍ର ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ଆଶା କରାଯାଉଛି ।
ଏମାନଙ୍କ ବ୍ୟତୀତ ସଞ୍ଜୀବ କପୁର, ରାଧିକା ଆପ୍ଟେ ଏବଂ ଟିନୁ ଆନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସେମାନଙ୍କର ଛୋଟ ଭୂମିକା ରହିଥିଲେ ମଧ୍ୟ ତାହା ବେଶ ଉତ୍କୃଷ୍ଟ । ଫିଲ୍ମରେ ଶିଶୁ କଳାକାରଭାବେ ଏକ ଛୋଟ ଝିଅକୁ ମଧ୍ୟ ଦେଖିବାକୁ ମିଳିଛି । ଯାହାର ଚରିତ୍ର କାହାଣୀକୁ ଏକ ନୂଆ ମୋଡ଼ ନେଉଛି । ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ର ଗତ ଖ୍ରୀଷ୍ଟମାସ ଅର୍ଥାତ୍ ଡିସେମ୍ବର ୨୫ତାରିଖରେ ରିଲିଜ ହେବାକୁ ଥିଲା । କିନ୍ତୁ କୌଣସି କାରଣ ବଶତଃ ବିଳମ୍ବରେ ରିଲିଜ ହୋଇଛି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।
ଏହା ମଧ୍ୟ ପଢନ୍ତୁ...ମକର ସଂକ୍ରାନ୍ତି ଅବସରରେ ବକ୍ସ ଅଫିସରେ ଧମାକା, ରିଲିଜ ହେଲା ୬ଟି ଫିଲ୍ମ