ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଗର୍ଭବତୀ ନେଇ ଘୋଷଣା କରିବା ଦିନ ଠାରୁ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଅଭିନେତ୍ରୀ ନିଜ ପ୍ରେଗେନ୍ସି ସମୟକୁ ବେଶ ଉପଭୋଗ କରିଥିଲେ । ସର୍ବଦା ଫ୍ୟାନ୍ସଙ୍କ ସହ ନିଜର ପ୍ରେଗେନ୍ସି ଅପଡେଟ୍ ସେୟାର କରୁଥିଲେ । ତେବେ ଅଗଷ୍ଟ 1ରେ ଇଲିଆନା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପୁଅର ଏକ ଝଲକ ଏବଂ ନାଁ ସହ ଏହି ଖୁସି ଖବର ସେୟାର କରିଥିଲେ । ତେବେ ବର୍ତ୍ତମାନ ଇଲିଆନା ମା' ହେବାର ଏକ ସପ୍ତାହ ହୋଇଛି । ସୋସିଆଲ ମିଡିଆରେ ସେ ନିଜ ପୁଅ ସହ କ୍ୟୁଟ୍ ଫଟୋ ସେୟାର କରିଛନ୍ତି ।
ଇଲିଆନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୁଅ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ପୁଅର ଚେହେରା ଦେଖାଯାଉନି । କିନ୍ତୁ, ପୁଅଙ୍କ ହାତକୁ ଅଭିନେତ୍ରୀ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଇଲିଆନା କ୍ୟାପସନରେ ଲେଖିଛନ୍ତି, ତୁମର ମା' ହୋଇ ଏକ ସପ୍ତାହ ହୋଇଗଲା ।'' ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏବଂ ତାରକା ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ଦେଇଛନ୍ତି ।
ସୂଚନା ଥାଉ କି, ଇଲିଆନା ପୁଅର ପ୍ରଥମ ଝଲକ ସେୟାର କରି ପୁଅର ନାଁ ଘୋଷଣା କରିଥିଲେ । ସେ ତାଙ୍କ ପୁଅର ନାଁ କୋଆ ପୋନିକ୍ସ ଡୋଲାନ ରଖିଛନ୍ତି । ଅଗଷ୍ଟ 6ରେ ଇଲିଆନା ଏହି ଫଟୋ ସେୟାର କରି ଲେଖିଥିଲେ ଯେ,''ନିଜ ବେବି ବୟକୁ ସ୍ବାଗତ କରି କେତେ ଖୁସି ଅଛି । ତାହାକୁ ଶଦ୍ଦରେ ପ୍ରକାଶ କରିପାରିବି ନାହିଁ ।'' ଇଲିଆନା ଏପ୍ରିଲରେ ନିଜ ଗର୍ଭବତୀ ଖବର ଘୋଷଣା କରିଥିଲେ । ହେଲେ ଅଭିନେତ୍ରୀ ବିନା ବିବାହରେ ମା' ହେବା ଖବର ସମସ୍ତଙ୍କୁ ଚକିତ କରିଥିଲା । ଯାହା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ଶିଶୁର ବାପାଙ୍କୁ ନେଇ ଅଭିନେତ୍ରୀଙ୍କୁ ଅନେକ ପ୍ରଶ୍ନ କରିଥିଲେ ।
ହେଲେ ଏବେ ସୁଦ୍ଧା ଅଭିନେତ୍ରୀ ନିଜ ଶିଶୁର ବାପାଙ୍କ ପରିଚୟ ଦେଇନାହାନ୍ତି । କିନ୍ତୁ ପରେ ସେ ତାଙ୍କ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଡଙ୍କ ସହ ଏକ ଅସ୍ପଷ୍ଟ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଥିଲେ । ପରେ ସେ ନିଜ ଡିନର ଡେଟର ଫଟୋ ପୋଷ୍ଟ କରି ନିଜ ସାଥୀଙ୍କ ଚେହେରା ଦେଖାଇଥିଲେ । ଏହା ପୂର୍ବରୁ ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ କରୁଥିଲେ । କିନ୍ତୁ ଏହି ପୋଷ୍ଟ ପରେ ଫଟୋରେ ଥିବା ବ୍ୟକ୍ତି ସେବାଷ୍ଟିଆନ୍ ନଥିବାରୁ କଳ୍ପନା ଜଳ୍ପନା ଏବଂ ରୁମରର ଅନ୍ତ ଘଟିଛି । ତେବେ ଇଲିଆନାଙ୍କ ସାଥୀ କିଏ ଏବଂ ସେ କଣ କରନ୍ତି ସେ ବିଷୟରେ ଅଭିନେତ୍ରୀ କୌଣସି ସୂଚନା ଦେଇନାହାଁନ୍ତି ।