ମୁମ୍ବାଇ: ଦମଦାର ଡ୍ୟାନ୍ସ ଏବଂ ଲୁକ୍ସ ପାଇଁ ଜଣାଶୁଣା ବଲିଉଡର ଅନ୍ୟତମ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ ରୋଶନ ତାଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି । 'ବିକ୍ରମ ବେଦା' ପରେ ଅଭିନେତା ହ୍ରିତିକ ରୋଶନ ଫିଲ୍ମ 'ଫାଇଟର୍' ନେଇ ଆସୁଛନ୍ତି । ଆରମ୍ଭରୁ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖରେ ଅନେକ ପରିବର୍ତ୍ତନ କରାଯାଇଛି । କିନ୍ତୁ ବର୍ତ୍ତମାନ ଏହି ରିୟଲ୍ ଆକ୍ସନ୍ ଡ୍ରାମା 'ଫାଇଟର୍'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।
ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଫାଇଟର୍' ୨୦୨୪ ମସିହାର ପ୍ରାରମ୍ଭରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଭାରତର ସଶସ୍ତ୍ର ବାହିନୀ ପାଇଁ ଉତ୍ସର୍ଗୀକୃତ ହୋଇଥିବାରୁ ଫିଲ୍ମର ଉଭୟ କଳାକାର ହ୍ରିତିକ ଏବଂ ଦୀପିକା ପାଦୁକୋନ ବହୁତ ଉତ୍ସାହିତ ଦେଖାଯାଉଛନ୍ତି ।
ଫାଇଟର୍ ଗତ ମାସରେ ଅର୍ଥାତ୍ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଏହାର ତାରିଖ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ଫିଲ୍ମର ରିଲିଜ୍ ତାରିଖ ଜାନୁଆରୀ ୨୦୨୩କୁ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ପାଇଁ ରିଲିଜ ତାରିଖକୁ ଆଗକୁ ନିଆଯାଇଥିଲା । ବହୁ ବିଚାର ବିମର୍ଶ ପରେ ବର୍ତ୍ତମାନ ୨୫ ଜାନୁୟାରୀ ୨୦୨୪ରେ ଫିଲ୍ମ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଦେଶର ସୁରକ୍ଷା ବାହିନୀ ଉପରେ ଆଧାରିତ
ହ୍ରିତିକ-ଦୀପିକା 'ଫାଇଟର୍'ରେ ଉଭୟ କଳାକାର ଭାରତୀୟ ବାୟୁସେନାର ପାଇଲଟ୍ ଭାବରେ ଅଭିନୟ କରିବାକୁ ଯାଉଛନ୍ତି । ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ, ବଳିଦାନ ଏବଂ ଦେଶପ୍ରେମକୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଏହି ଚଳଚ୍ଚିତ୍ରରେ ଅନିଲ କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଜବରଦସ୍ତ ଆକ୍ସନ୍ ଏବଂ ସସପେନ୍ସ ପାଇଁ ଜଣାଶୁଣା ଚଳଚ୍ଚିତ୍ରର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ସହିତ ହ୍ରିତିକ ରୋଶନଙ୍କର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର । ଏହାପୂର୍ବରୁ, ଉଭୟଙ୍କ ଯୋଡି ୨୦୧୪ରେ 'Bang Bang' ଏବଂ ୨୦୧୯ର ବ୍ଲକବଷ୍ଟର 'War' ଭଳି ଚଳଚ୍ଚିତ୍ର ସହିତ ବଡ ପରଦାରେ ଧୁମ୍ ମଚାଇଥିଲେ ।