ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସତୀଶ କୌଶିକ । ମୁମ୍ବାଇର ଭର୍ସୋଭା ଶ୍ମଶାନରେ ରାତି 8.30 ସମୟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ହୃଦଘାତ କାରଣରୁ କୌଶିକ 66 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ଗୁରୁଗ୍ରାମର ଏକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବୁଧବାର ମଧ୍ୟରାତିରେ କୌଶିକଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଅଭିନେତା ସତୀଶ କୌଶିକଙ୍କୁ ଗୁରୁବାର ଦିନ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଅଶ୍ରୁଳ ବିଦାୟ ଦେଇଛନ୍ତି । ଅଭିନେତା ଅନୁପମ ଖେର ଏବଂ ନିର୍ଦ୍ଦେଶକ ଅଶୋକ ପଣ୍ଡିତଙ୍କ ସମେତ ପରିବାର ସଦସ୍ୟ ତଥା ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରାତି 8.30 ସମୟରେ ମୁମ୍ବାଇର ଭର୍ସୋଭା ଶ୍ମଶାନରେ ସତୀଶଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।
ସୂଚନା ଅନୁସାରେ, ସତୀଶ କୌଶିକଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ପରେ ଦିଲ୍ଲୀର ଡିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ କୌଶିକଙ୍କ ମୃତଦେହକୁ ବିମାନରେ ମୁମ୍ବାଇ ନିଆଯାଇଥିଲା । ପରେ ତାଙ୍କ ମର ଶରୀରକୁ ମୁମ୍ବାଇ ବିମାନବନ୍ଦରରୁ ଭର୍ସୋଭା ସ୍ଥିତ ତାଙ୍କ ବାସଭବନକୁ ସନ୍ଧ୍ୟା ପ୍ରାୟ 6.30 ସମୟରେ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆଯାଇଥିଲା ।
ନିର୍ଦ୍ଦେଶକ ଡେଭିଡ ଧାୱନ ଏବଂ ସୁଭାଷ ଘାଇ, ଗୀତିକାର-କବି ଜାଭେଦ ଅଖତର ଏବଂ ଅଭିନେତା ଅନୁପମ ଖେର, ସଲମାନ ଖାନ, ଅର୍ଜୁନ କପୁର, ରଣବୀର କପୁର, ଅଭିଷେକ ବଚ୍ଚନ, ତବୁ ଏବଂ ଶିଳ୍ପା ଶେଟ୍ଟୀ, ଅଭିନେତା-ନିର୍ଦ୍ଦେଶକ ଫରହାନ ଅଖତର, ବୋନି କପୁର, ସଞ୍ଜୟ କପୁର, ନୱାଜୁଦ୍ଦିନ ସିଦ୍ଦିକି, ଜନି ଲିଭର, ବିକ୍ରାନ୍ତ ମାସେ, ସାୟାମି ଖେର, ତନଭି ଆଜମୀ, ଇଶାନ ଖତର, ଇନ୍ଦ୍ର କୁମାର, ଆକ୍ସନ୍ ନିର୍ଦ୍ଦେଶକ ଶ୍ୟାମ କୌଶଲ, ଗାୟକ ଇଲା ଅରୁଣ ଏବଂ ଅନୁ ମଲିକଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ତାଙ୍କର ଅନେକ ବନ୍ଧୁ ଏବଂ ସହକର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ପରିବାର ସମେତ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ରାଜନୈତିକ କରିଡରରେ ଶୋକର ଲହରୀ ଖେଳିଯାଇଛି । ଏଥିସହ ତାଙ୍କ ମୃତ୍ୟୁ ସମ୍ପର୍କରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଥିଲେ।
ସୂଚନା ଥାଉକି, ଚାରି ଦଶନ୍ଧି ମଧ୍ୟରେ ବିଭିନ୍ନ ଚଳଚ୍ଚିତ୍ରର ଅଭିନୟ, ନିର୍ଦ୍ଦେଶନା, ରଚନା କରିଥିବା କୌଶିକଙ୍କୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ଭଲ ପାଉଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ । "ମିଷ୍ଟର ଇଣ୍ତିଆ" ଏବଂ "ଜାନେ ଭୀ ଦ ୟାରୋ" ଭଳି ଫିଲ୍ମରେ ତାଙ୍କର କୋମିକ ଅଭିନୟ ଏବଂ କୌଶିକଙ୍କ ନିର୍ଦ୍ଦେଶନା ଫିଲ୍ମ “ତେରେ ନାମ” ଏବଂ “ମୁଝେ କୁଚ୍ କେହନା ହ” ମଧ୍ୟ ଏବେବି ମନେ ଅଛି।ତେବେ ହରିୟାଣାରେ ଜନ୍ମିତ କୌଶିକ ଦିଲ୍ଲୀର କରୋଲ ବାଗରେ ରହୁଥିଲେ ଏବଂ ପରେ ଅଭିନୟରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଆସିଥିଲେ ।