ଅମରାବତୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବନ । ଚେନ୍ନାଇରେ ବଡ ଧୁମ୍ଧାମରେ ବିବାହ କରିବା ପରେ ଦୁହେଁ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ, କିନ୍ତୁ ମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛନ୍ତି ।
ବିବାହ ପର ଦିନ ଅର୍ଥାତ ଗତ 10 ତାରିଖ ଦିନ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ପ୍ରଭୁ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ତିରୁପତି ମନ୍ଦିର ପରିସରରେ ନୟନତାରା ଚପଲ ପିନ୍ଧି ବୁଲିଥିଲେ । ଏହାକୁ ନେଇ ଏବେ ବିବାଦ ଉପୁଜିଛି । ତିରୁମାଲା ତିରୁପତି ଦେଶସ୍ଥାନମ୍ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସିକ୍ୟୁରିଟି ଅଫିସର ନରସିମ୍ହା କିଶୋରଙ୍କ କହିବାନୁସାରେ, ନୟନତାରା ଏକ ପବିତ୍ର ସ୍ଥାନରେ ଚପଲ ପିନ୍ଧି ଚାଲୁଥିବାର ଦେଖିବାକୁ ମିଳିଥିଲା । ଏହା ସେହି ପବିତ୍ର ସ୍ଥାନ, ଯାହାକୁ ସ୍ଥାନୀୟ ଲୋକ ବହୁତ ମହତ୍ତ୍ବ ଦେଇଥାନ୍ତି ।
କେବଳ ଏତିକି ନୁହେଁ ସିକ୍ୟୁରିଟି ଅଫିସର ଏହା ମଧ୍ୟ କହିଛନ୍ତି ଯେ, ନୟନତାରା ଏବଂ ବିଘ୍ନେଶ ସେମାନଙ୍କ ସହ ଫଟୋଗ୍ରାଫରଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣିଥିଲେ ଯାହା ବେଆଇନ ଅଟେ । ତିରୁମାଲା ତିରୁପତି ଦେଶସ୍ତାନମ୍ ବ୍ୟକ୍ତିଗତ କ୍ୟାମେରାକୁ ଅନୁମତି ଦିଏ ନାହିଁ । ନରସିଂହ କିଶୋର ଆହୁରି କହିଛନ୍ତି, 'ନୟନତାରା ଚପଲ ପିନ୍ଧି ବୁଲୁଥିବା ଦେଖାଯାଇଥିଲା। ଆମର ସୁରକ୍ଷା ଦଳ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଆମେ ସିସିଟିଭିରେ ମଧ୍ୟ ଦେଖିଛୁ ଯେ ସେମାନେ ସେଠାରେ ଏକ ଫଟୋସୁଟ୍ କରିଥିଲେ । ନୟନତାରାଙ୍କ ଜୋତା ପିନ୍ଧି ମନ୍ଦିର ପରିସରରେ ବୁଲିବା ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।
ଆମେ ତାଙ୍କ ସହ ମଧ୍ୟ କଥା ହୋଇଛୁ ଏବଂ ସେ ଭଗବାନ ବାଲାଜୀ, ଟିଟିଡି ଏବଂ ତୀର୍ଥଯାତ୍ରୀଙ୍କୁ କ୍ଷମା ମାଗୁଥିବା ଏକ ଭିଡିଓ ଜାରି କରିବାକୁ ଚାହୁଁଛନ୍ତି । ତଥାପି, ଆମେ ନୋଟିସ ଜାରି କରିଛୁ।' ତେବେ ଏହି ଭୁଲ ପାଇଁ ବିଘ୍ନେଶ ତିରୁପତି ଦେବସ୍ଥାନମ୍କୁ ଏକ ଚିଠି ଲେଖିଛନ୍ତି । ବିଘ୍ନେଶ ସ୍ପଷ୍ଟ ଭାବରେ କହିଥିଲେ ଯେ, ଅଜାଣତରେ ଏକ ଭୁଲ୍ ହୋଇଛି ଏବଂ ସେ କ୍ଷମା ମାଗିବା ପାଇଁ ଏକ ଭିଡିଓ ଜାରି କରିବେ ।
ତିରୁପତି ମନ୍ଦିର ପରିଦର୍ଶନ ସମୟରେ ନୟନତାରା ଏବଂ ବିଘ୍ନେଶ ଶିବନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଅଭିନେତ୍ରୀ ହଳଦିଆ ଏବଂ ସବୁଜ ରଙ୍ଗର ଶାଢୀ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ମଙ୍ଗଳସୁତ୍ର ଏବଂ ସୁନା ଅଳଙ୍କାର ସହିତ ନିଜର ଲୁକକୁ ପୂରା କରିଥିଲେ । ଏଥିସହିତ ବିଘ୍ନେଶ ଧୋତି-କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ