ହାଇଦ୍ରାବାଦ: କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ଶୁକ୍ରବାର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଯୋଡି ପୁଣି ଥରେ ସ୍କ୍ରିନ ସେୟାର କରିଛନ୍ତି । ତେବେ ଗଲି ବୟ ପରେ ଉଭୟଙ୍କ ଲଭ କେମେଷ୍ଟ୍ରିକୁ ପୁଣି ପସନ୍ଦ କରିଛନ୍ତି ଦର୍ଶକ । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା କଲେକ୍ସନ କରିଥିବା ଏବଂ 2ୟ ଦିନରେ ମଧ୍ୟ ବମ୍ପର କଲେକ୍ସୱନ କରିଛି । ପ୍ରଥମ ଦିନ ଅପେକ୍ଷା 2ୟ ଦିନରେ ଅଧିକା ଆୟ କରି ସଫଳତା ହାସଲ କରିଛି ।
ପ୍ରଥମ ଦିନରେ ଏହି ଫିଲ୍ମ 11.10 କୋଟି ଟଙ୍କା ରୋଜଗାର ସହ ଓପନିଂ କରିଥିଲା । ତେବେ ଦ୍ୱିତୀୟ ଦିନରେ ଫିଲ୍ମ 16 କୋଟି ଟଙ୍କା ଆୟ କରିଛି । ପ୍ରଥମ ଦିନ ତୁଳନାରେ 3.5 କୋଟି ଅଧିକ ଆୟ କରିଛି । ଏହା ସହିତ କରଣ ଜୋହରଙ୍କ ପ୍ରତ୍ୟାବର୍ତ୍ତନ ସଫଳ ବୋଲି ବିବେଚନା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ମୋଟ ରୋଜଗାର 27.10 କୋଟି ଟଙ୍କା ହୋଇଛି । ଏହି ଫିଲ୍ମ ଦୁଇ ଦିନରେ ଭଲ ଆୟ କରିଥିବା ବେଳେ ଆଜି ସପ୍ତାହର ଶେଷ ଦିନ ଅର୍ଥାତ ରବିବାର (ଛୁଟି ଦିନ)ରେ ଫିଲ୍ମ ଅଧିକା କଲେକ୍ସନ କରି 50 କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଆଶା କରାଯାଉଛି ।
'ଏ ଦିଲ ହେ ମୁସ୍କିଲ' ପରେ କରଣ ଜୋହର 7 ବର୍ଷ ପରେ ଏହି ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ଭାବରେ ବି-ଟାଉନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଚଳଚ୍ଚିତ୍ର ସହିତ କରଣ ଜୋହରଙ୍କ ପ୍ରତ୍ୟାବର୍ତ୍ତନ ସଫଳ ହେଉଥିବା ଜଣାପଡିଛି । ଏହି ଚଳଚ୍ଚିତ୍ର ସାରା ଦେଶରେ 3 ହଜାର 200ରୁ ଅଧିକ ପରଦାରେ ରିଲିଜ କରିଛି । 160 କୋଟି ବଜେଟରେ ନିର୍ମିତ 'ରକି ଔର ରାନୀ କି ପ୍ରେମ କାହାନୀ' ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରୋଜଗାର କରୁଛି । ଆଗାମୀ ଦିନରେ ବକ୍ସ ଅଫିସରେ ଫିଲ୍ମ ଭଲ ସଂଗ୍ରହ ସହ ରେକର୍ଡ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅନେକ ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମନ ଜିତିଲା ଆଲିଆ-ରଣଭୀରଙ୍କ ଫିଲ୍ମ, ରୋଜଗାର କଲା ଏତେ କୋଟି
ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ, ଏକ କପଲଙ୍କ ଏକ କାହାଣୀ ଅଟେ, ଯେଉଁମାନେ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ପରିବାର ବି ଭିନ୍ନ । କିନ୍ତୁ ଉଭୟ ପ୍ରେମରେ ପଡ଼ନ୍ତି । ବିବାହ ପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଚଳଚ୍ଚିତ୍ରରେ ରଣଭୀର ସିଂ ଜଣେ ପଞ୍ଜାବୀ ପରିବାରର ରକି ରାନ୍ଧୱା ଭୂମିକାରେ ଅଭିନୟ କରିଛନ୍ତି ତ ଅନ୍ୟପଟେ ଆଲିଆ ଭଟ୍ଟ ଜଣେ ବଙ୍ଗୀୟ ପରିବାରରେ ଟିଭି ସାମ୍ବାଦିକ ରାନୀ ଚାଟାର୍ଜୀଙ୍କ ଭୂମିକାରେ ନଜର ଆସିଛନ୍ତି । ଉଭୟଙ୍କ ପରିବାର ଭିନ୍ନ ହୋଇଥିବାରୁ ଦୁହେଁ ନିଜ ପ୍ରେମ କାହାଣୀକୁ କିପରି ସଫଳ କରୁଛନ୍ତି ତାହା ଫିଲ୍ମରେ ସୁନ୍ଦର ଭାବେ ଦର୍ଶାଯାଇଛି ।