ଭୁବନେଶ୍ବର: ‘ରାଜ୍ୟରେ ଚଳିତ ନିର୍ବାଚନ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ସେ ଦୃଷ୍ଟିରୁ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବଳର ଯବାନ ମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଏକ ସୁସ୍ଥ ନିର୍ବାଚନୀ ବାତାବରଣ ସୃଷ୍ଟି କରିବା ପାଇଁ ଆମେ ପ୍ରଚେଷ୍ଟା କରୁଛୁ’ ବୋଲି କହିଛନ୍ତି କାମଚଳା ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା ।
ରାଜ୍ୟରେ ଆଉ ଦିନକ ପରେ ଅର୍ଥାତ 11 ତାରିଖରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବିଶେଷ କରି ମାଓ ପ୍ରଭାବିତ ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ତେଣୁ ପୋଲିସ ପାଇଁ ନିହାତି ଭାବେ ଚ୍ୟାଲେଞ୍ଜିଂ ହେବ ବୋଲି ଡିଜିପି କହିଛନ୍ତି । ଏ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଏବଂ ପରାମର୍ଶ ମୁତାବକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସେ ଜଣାଇଛନ୍ତି ।
କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧିନସ୍ଥ 28ଟି ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ବିଶେଷ କରି କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା ଅଧିନସ୍ଥ 14ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏସଏଫ ମୁତୟନ କରାଯାଇଛି । ସମସ୍ତ ରାଜପଥକୁ ଖୁବଶୀଘ୍ର ସିଲ୍ କରାଯିବ ଏବଂ ବର୍ତ୍ତମାନ ଯାତାୟାତ କରୁଥିବା ପ୍ରତିଟି ଗାଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଉଛି । ନକ୍ସଲ ଗତିବିଧି ଉପରେ ମଧ୍ୟ ଗୁଇନ୍ଦା ବିଭାଗ ତୀକ୍ଷ୍ଣ ନଜର ରଖିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ