ବ୍ରହ୍ମପୁର: ଆସନ୍ତାକାଲି(ଗୁରୁବାର) ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଗଞ୍ଜାମ ଜିଲ୍ଲାର ଆସିକା ଲୋକସଭା ଆସନ ସହ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମିଶାଇ ମୋଟ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀର ହେବ ଭୋଟଗ୍ରହଣ ।
ତେବେ ଏଥର ମୋଟ 1,946 ବୁଥ୍ରେ 17 ଲକ୍ଷ 69 ହଜାର 64 ଜଣ ଭୋଟର୍ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ ଅଛନ୍ତି 9 ଲକ୍ଷ 35 ହଜାର 591 ପୁରୁଷ ଏବଂ 8 ଲକ୍ଷ 33 ହଜାର 342 ମହିଳା ଭୋଟର । ସେହିପରି 131ଜଣ କିନ୍ନର ଭୋଟର ରହିଛନ୍ତି । ଏହାସହ 32 ହଜାର 159 ଭିନ୍ନକ୍ଷମ ଭୋଟର ରହିଛନ୍ତି ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୋଟ୍ 12 ହଜାର 864 କର୍ମଚାରୀ ମୁତୟନ କରାଯାଇଛି । ଏହାସହ 3,892 ଜଣ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରାଯାଇଛି । ସେହିପରି 21ଟି ବୁଥ୍ରେ ସିସିଟିଭି, 213 ବୁଥ୍ରେ ୱେବ୍ କାଷ୍ଟିଙ୍ଗ, 35ଟି ବୁଥ୍ରେ ଭିଡିଓ ଗ୍ରାଫିକ୍, 24ଟି ବୁଥରେ ଫଟୋ ଊତ୍ତୋଳନର ବ୍ୟବସ୍ଥା କରାଯାଇଛି ।
ତେବେ ଜିଲ୍ଲାରେ 118ଟି ପୋଲିସ ବିଭାଗର ମୋବାଇଲ ପାର୍ଟି ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିବେ ବୋଲି ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ