ଭୁବନେଶ୍ବର: ବିଜେପି ନିର୍ବାଚନୀ ଇସ୍ତାହାରରୁ ବାଦ ପଡିଛି ୨୦୧୪ ଇସ୍ତାହାରର ମୁଖ୍ୟ ପ୍ରସଙ୍ଗ ସାଜିଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ବର୍ଷକୁ ୨ କୋଟି ନିଯୁକ୍ତି । ଏହି ଦାବି ଗୁଡିକୁ ନେଇ ୨୦୧୪ରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ୨୦୧୯ ନିର୍ବାଚନୀ ଇସ୍ତାହାରରେ ତାହା ପ୍ରତିଫଳିତ ହୋଇନାହିଁ ।
ରବିବାର, ରାଜ୍ୟ ବିଜେପି ନିଜର ସଙ୍କଳ୍ପ ପତ୍ର ପ୍ରକାଶ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉପସ୍ଥିତ ରହି ଏହି 9ସୂତ୍ରୀ ସଙ୍କଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି । ଯେଉଁଥିରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ସ୍ଥାନ ପାଇନାହିଁ । ଠିକ ସେହିପରି ଧାନର ଏମ୍ଏସପି ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ବାଦ ଦେଇଛି ବିଜେପି । ଏହାସହ ବିଜେଡି ଓ କଂଗ୍ରେସ ମୋଦି ସରକାରଙ୍କ ବେରୋଜଗାରକୁ ମୁଖ୍ୟ ପ୍ରସଙ୍ଗ କରୁଥିବାବେଳେ ଚଳିତ ଇସ୍ତାହାରରେ ବିଜେପି ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ କୌଣସି ଆଖି ଦୃଶିଆ ସଙ୍କଳ୍ପ ସ୍ଥାନ ପାଇନାହିଁ ।
ତେବେ ବିଜେପି ସଙ୍କଳ୍ପ ପତ୍ରରେ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି । ସମସ୍ତଙ୍କୁ ଘର, ପାଣି, ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଯୋଗାଇଦେବାକୁ ବିଜେପି ତାର ସଙ୍କଳ୍ପ ପତ୍ରରେ ସ୍ଥାନ ଦେଇଛି । ଏଥିସହ ରାଜ୍ୟରେ ଚିଟଫଣ୍ଡ ପାଇଁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବା ସହ ଜମାକାରୀଙ୍କ ଟଙ୍କା ଫେରସ୍ତ ଦିଆଯିବା ଉପରେ ଗୁରୁତ୍ବ ଦେଇଛି ଦଳ ।
ତେବେ ଏହି ସଙ୍କଳ୍ପ ପତ୍ରର ଉନ୍ମୋଚନ ଉତ୍ସବରେ ଇସ୍ତାହାର କମିଟିର ମୁଖ୍ୟ ବିଶ୍ବଭୂଷଣ ହରିଚନ୍ଦନ ଯୋଗ ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଆଙ୍କ ସହ ପ୍ରତାରଣା କରିଛନ୍ତି । ମୋଦି ସରକାର କାଳେ ନାଁ ନେଇଯିବେ, ସେଥିପାଇଁ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକ୍ଷମ କରିବାରେ ମୁଖ୍ୟମନ୍ତ୍ରୀ ସାହାଯ୍ୟ କରୁନାହାଁନ୍ତି ବୋଲି ସେ କହିଛନ୍ତି ।
ସେହିପରି, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବିଜେପି ତାର ସଙ୍କଳ୍ପ ପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ବ ଦେଇଥିବା କହିଛନ୍ତି । ବିଜେପି ସରକାରକୁ ଆସିଲେ ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବକେୟା ଋଣ ଛାଡ କରାଯିବ ବୋଲି କହିବା ସହ କୃଷି ପାଇଁ କୃଷକକୁ ବିନା ସୁଧ ହାରରେ ଋଣ ଯୋଗାଇ ଦେବା ନେଇ ଦଳ ସ୍ଥିର କରିଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ