କୋରାପୁଟ: ଶହୀଦଙ୍କ ମାଟି ବୈପାରୀଗୁଡା ବ୍ଲକ । ବ୍ଲକରେ ରହିଛି 4ଟି ନେତାଙ୍କ ଆସନ । ମାତ୍ର 20 ବର୍ଷ ଶାସନ ମଧ୍ୟରେ ଆଜି ବି ବ୍ଲକରେ ରହିଛି ଅନେକ ସମସ୍ୟା । ଯାହାର ସମାଧାନର ବାଟ ଖୋଜି ବାହାର କରିପାରିନାହାଁନ୍ତି ନିର୍ବାଚିତ ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ କେମିତି ନେତା ଚାହୁଁଛନ୍ତି, ତାହା ପରଖିବାକୁ ଇଟିଭି ଭାରତ ଟିମ ପହଞ୍ଚିଥିଲା ବୈପାରୀଗୁଡାର ତ୍ରିଛକରେ ।
ଆସନ୍ତା 11 ତାରିଖରେ ହେବାକୁ ଥିବା ନିର୍ବାଚନୀ ମତଦାନରେ 4 ଗୋଟି ପଦବୀ ପାଇଁ ସଂଘର୍ଷ କରୁଛି ବୈପାରୀଗୁଡା ବ୍ଲକ୍ । 20 ବର୍ଷ ଶାସନ ମଧ୍ୟରେ ବ୍ଲକରେ କୌଣସି ପ୍ରକାର ସମସ୍ୟାର ସମାଧାନ ହୋଇପାରିନାହିଁ । ବ୍ଲକରେ ଭଲ ରାସ୍ତା ଖଣ୍ଡିଏ ନଥିବାବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଶୋଚନୀୟ ଅବସ୍ଥାରେ ରହିଛି ।
ବ୍ଲକରେ ନାନା ସମସ୍ୟା ଥିବା ସତ୍ତ୍ବେ ନିର୍ବାଚନ ସମୟ ପାଖେଇ ଆସିଲେ ନିର୍ବାଚିତ ପ୍ରାର୍ଥୀ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି । ମାତ୍ର ନିଜ ପ୍ରତିଶ୍ରୁତିକୁ ଆଜି ପର୍ଯ୍ୟନ୍ତ କେହି ରଖିପାରିନାହାଁନ୍ତି । ଏପରିକି ବ୍ଲକର ବିକାଶ ପାଇଁ ରାଜ୍ୟ ସରକାର କୌଣସି ଆଗ୍ରହ ପ୍ରକାଶ କରିନଥିବା ସ୍ଥାନୀୟବାସୀ ଅଭିଯୋଗ ଆଣିଛନ୍ତି । ମାତ୍ର ଚଳିତ ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି ବୈପାରୀଗୁଡାବାସୀ । ପ୍ରତିଶ୍ରୁତି ଦେଇ ଯେଉଁ ପ୍ରାର୍ଥୀ ନିଜ କଥା ରଖିବେ ସେମିତି ନେତା ଚାହୁଁଛନ୍ତି ବୋଲି ସେମାନେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ତେବେ ବୈପାରୀଗୁଡାବାସୀ ଏଥର ନିଜ ମନଲାଖ ନେତା ପାଉଛନ୍ତି କି ନା ତାହା ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ଜଣାପଡିବ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ