ପାଟନା: ପାଟନାରେ ଛାତି ଥରା ଘଟଣା । ଜଣେ ବିବାହିତା ମହିଳାଙ୍କୁ ଏକ ସପ୍ତାହ ଧରି ୫ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ପୋଲସର ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୦ ତାରିଖରେ ମହିଳା ଜଣଙ୍କ ସ୍ବାମୀଙ୍କ ସହ ଯୁକ୍ତିତର୍କ କରି ଘରୁ ବାହାରି ଆସିଥିଲେ । ଏହାପରେ ସେ କୋଲକାତା ଯିବା ପାଇଁ ପାଟନା ଜଙ୍କସନରେ ପହଞ୍ଚି ଏକ ହୋଟେଲ ମାଲିକଙ୍କୁ ଟ୍ରେନ ବିଷୟରେ ପଚାରିଥିଲେ । ଏହାର ସୁଯୋଗ ନେଇ ହୋଟେଲ ମାଲିକ ତାଙ୍କ ୨ ସାଙ୍ଗଙ୍କୁ ଜଣାଇବା ପରେ ଟ୍ରେନ ଆସିବା ପର୍ଯ୍ୟନ୍ତ ଏକ ଘରେ ରହିବାକୁ କହିଥିଲେ । କିଛି ସମୟ ପରେ ୩ଜଣ ଯୁବକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ୨ ଜଣ ଅଟୋ ଡ୍ରାଇଭର ମଧ୍ୟ ସାମିଲ ହୋଇଥିଲେ । ତେବେ ଅକ୍ଟୋବର ୧୭ ତାରିଖ ରାତି ପର୍ଯ୍ୟନ୍ତ ପୀଡିତା ଜଣକ ସେହି କୋଠରୀରେ ବନ୍ଦୀ ହୋଇ ରହିଥିବା ବେଳେ ଜଣେ ଅଭିଯୁକ୍ତ ତାଙ୍କ ଉପରେ ନଜର ରଖିଥିଲେ ।
ତେବେ ସ୍ତ୍ରୀ କୋଲକାତାରେ ନପହଞ୍ଚିବାରୁ ତାଙ୍କ ସ୍ବାମୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ମହିଳାଙ୍କ ନମ୍ବରକୁ ଟ୍ରାକ କରି ପାଟନା ଜଙ୍କସନରେ ପହଞ୍ଚିଥିଲେ । ଏହାପରେ ଜଣେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉକ୍ତ କୋଠରୀରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।