ଭୁବନେଶ୍ବର: ବ୍ୟାଙ୍କ କ୍ୟାସିୟରଙ୍କ କୋଟିପତି ହେବା ନିଶା । ଗଞ୍ଜେଇ ଚାଲାଣ କରି ଭାବିଥିଲେ ରାତାରାତି ହେବେ ମାଲେ ମାଲ । ଏଥି ପାଇଁ ରଖିଥିଲେ ଜଣେ ସହଯୋଗୀ ଓ କିଣିଥିଲେ ଏକ୍ସୟୁଭି କାର। କିନ୍ତୁ କୋଟିପତି ହେବା ନିଶାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛି ଏସଟିଏଫ । ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ଏସଟିଏଫ ହାତରେ ଧରାପଡି ଗିରଫ ହୋଇଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କିଶୋରନଗର ଅନୁଗୁଳ ବ୍ରାଞ୍ଚର କ୍ୟାସିଅର ସୁଶାନ୍ତ କୁମାର ସାହୁ । ପ୍ରାୟ ୧ କ୍ବିଣ୍ଟାଲ ୬୨ କେଜି ଗଞ୍ଜେଇ ଜବତ କରିଛି STF ।

ସୂଚନା ଅନୁଯାୟୀ ଆଜି ଏକ କାରରେ ଏହି ସବୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୁରାକ ପାଇଥିଲା ଏସଟିଏଫ୍ ଟିମ । ଏହାପରେ ଅନୁଗୁଳ କିଶୋର ନଗର ଅଞ୍ଚଳର ବାଙ୍କ ପଳାଶା ନିକଟରୁ କାର ସହ ଗଞ୍ଜେଇ ଜବତ କରିଥିଲା ଏସଟିଏଫ । ଯାହାର ମାଷ୍ଟର ମାଇଣ୍ଡ ଥିଲେ ବ୍ୟାଙ୍କ କ୍ଲର୍କ ସୁଶାନ୍ତ କୁମାର ସାହୁ। ଏସଟିଏଫ୍ ତାକୁ ଗିରଫ କରିବା ସହ ତାଙ୍କ ସହଯୋଗୀ ଜୁଗଳ ସାହୁକୁ ମଧ୍ୟ ଗିରଫ କରିଥିଲା।


ସେମାନଙ୍କ ଠାରୁ ଏକ କାର ସହ ବାଇକ ସମେତ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରୁଛି ଏସଟିଏଫ୍ ଟିମ। ଏନେଇ ଏକ ଏନଡିପିଏସ ଓ ଆର୍ମସ ଆକ୍ଟ ମାମଲାରେ ଦୁଇଜଣଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ