ଭୁବନେଶ୍ବର: ଅଭାବୀ ପରିବାରରେ ଅଭାବନୀୟ ଘଟଣା । ବିଧାନସଭା ସାମ୍ନା ରାସ୍ତାକଡ଼ରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ବିଭତ୍ସ ହତ୍ୟା । ଖାରବେଳ ନଗର ଥାନା ପିଏମଜି ଅଫିସ କଡ଼ରେ ଥିବା ଏଟିଏମ୍ ସାମ୍ନାରେ ପଡ଼ିଛି ରକ୍ତାକ୍ତ ମୃତଦେହ । ବିଧାନସଭାକୁ ୭୦ ମିଟର ଦୂରରେ ରକ୍ତାକ୍ତ ମୃତଦେହ ଠାବ କରିଛି ପୋଲିସ । ରକ୍ତାକ୍ତ ମୃତଦେହ ପଡିଥିବା ବେଳେ ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନାଅନୁଯାୟୀ, ଗତକାଲି ରାତିରେ ସ୍ବାମୀ, ସ୍ତ୍ରୀ ଓ ଏକ କୁନି ଝିଅ ବିଧାନସଭା ସାମ୍ନା ରାସ୍ତାକଡରେ ଶୋଇଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆଜି ସକାଳେ ଏହି ଖବର ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଆହତ ପତ୍ନୀ ଓ କୁନି ଝିଅକୁ ହସ୍ପିଟାଲ ପଠାଇଥିଲା । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ କିଏ ଓ କାହିଁକି ଏଭଳି ହତ୍ୟାକାଣ୍ଡ ଭିଆଇଲା ତାହା ଜଣାପଡିନାହିଁ ।
ତେବେ ପାରିବାରିକ କାରଣ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ନା ଏହା ପଛର ଅନ୍ୟ କିଛି କାରଣ ରହିଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଅଭାବରେ ଥିବା ପରିବାର ଭିତରେ ଏମିତି କଣ ହେଲା କାହିଁକି ଏଭଳି ହତ୍ୟାକାଣ୍ଡ ଘଟିଲା ତାହାର କାରଣ ଖୋଜୁଛି ପୋଲିସ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ