ଢେଙ୍କାନାଳ: ଜିଲ୍ଲାରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତିରୁ ଘଟିଲା ବିଭତ୍ସ ହତ୍ୟା । ସ୍ତ୍ରୀକୁ କଟୁରିରେ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା ସ୍ବାମୀ । ହତ୍ୟା ପରେ କଟାମୁଣ୍ଡ ଓ ରକ୍ତ ଭିଜା କଟୁରି ଧରି ରାସ୍ତାରେ ଚାଲି ଚାଲି ଫାଣ୍ଡିକୁ ଗଲା ପତ୍ନୀହନ୍ତା । ଅଧାବାଟରେ କାବୁ କଲେ ସ୍ଥାନୀୟ ଲୋକେ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣଙ୍କ ହେଉଛନ୍ତି ସଚଳା ମାଝୀ ।
ଆଜି ଭୋର ସମୟରେ ଏହି ବିଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ନାକଫୋଡି ମାଝୀକୁ ଗିରଫ କରି କଟା ମୁଣ୍ଡ ଓ କଟୁରି ଜବତ କରିଥିଲା । ଏହାପରେ ଚନ୍ଦ୍ରଶେଖରପୁର ଗ୍ରାମକୁ ଯାଇ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।
ସଚଳାଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଥିବା ଜଣାପଡିଛି । ତେବେ ସଚଳାଙ୍କ ଚରିତ୍ରକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା। ଶେଷରେ ଅତିଷ୍ଠ ହୋଇ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିଥିଲା ସ୍ବାମୀ ।