ନିଆଳି: ଭିଜିଲାନ୍ସ ହାତରେ ଲେଡି ଏଏସଆଇ (ASI) । କମିଶନରେଟ ପୋଲିସ ଅଧୀନ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାର ଏଏସଆଇ ପୁଷ୍ପଲତା ପାଇକରାୟ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନିଜର ସରକାରୀ କ୍ବାର୍ଟରରେ ଜଣଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ଟିମ୍ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲେ ।
ସୂଚନା ଅନୁଯାୟୀ, ASI ପୁଷ୍ପଲତା ପାଇକରାୟ ଜଣେ ଅଭିଯୋଗକାରୀ ଠାରୁ କେସର ଚାର୍ଜସିଟରେ କଠୋର ଦଫା ଲଗାଇବା ପାଇଁ ଏହି ଲାଞ୍ଚ ନେଉଥିଲେ । ଏ ସମ୍ପର୍କରେ ଖବର ପାଇ ଭିଜିଲାନ୍ସ ଟିମ୍ ସେଠାରେ ଚଢାଉ କରି ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି । ASIଙ୍କ ଘର ସମେତ ଅଫିସରେ ଭିଜିଲାନ୍ସ ରେଡ ମାରିଛି । ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପୁଷ୍ପଲତା କମିଶନରେଟ ପୋଲିସରେ ସର୍ବାଧିକ କେସ୍ କ୍ଲୋଜ ପାଇଁ ଡିଜି ଡିସ୍କ ସମ୍ମାନରେ ସମ୍ମାନିତ ହୋଇଥିଲେ । ତେବେ ଅନେକ ସମୟରେ ଏହିପରି କେସ୍ କ୍ଲୋଜ ଆଳରେ ଟଙ୍କା କାରବାର କରୁଥିବାର ତାଙ୍କ ନାଁରେ ଅଭିଯୋଗ ରହିଥିଲା । ଏପରିକି ଚାର୍ଜ ସିଟରେ କୋହଳ ଦଫା ବା କଠୋର ଦଫା ଲଗାଇବା ପାଇ ମଧ୍ୟ ଟଙ୍କା ନେଉଥିବାର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଶେଷରେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଇଟିଭି ଭାରତ, ନିଆଳି