ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ଶୀତ କାଳୀନ ପକ୍ଷୀ ଗଣନା ସମ୍ପୂର୍ଣ୍ଣ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଆଗମନ କରିଥିବା ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ମୋଟ 98 ପ୍ରଜାତିର 1,24,864ଟି ପକ୍ଷୀ ଆସିଥିବା ଚଳିତ ବର୍ଷ ପକ୍ଷୀ ଗଣନାରୁ ଜଣାପଡିଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ସୂଚନା ଦେଇଛନ୍ତି । ଏଥିରୁ 41ଟି ପ୍ରଜାତିର 1,03,117 ଟି ବିଭିନ୍ନ ବିଦେଶାଗତ ପକ୍ଷୀ ଥିବା ସୂଚନା ଦିଆଯାଇଛି ।
ତେବେ ଗତ ବର୍ଷ ଅପେକ୍ଷା ଏଥର ଅଧିକ ପ୍ରଜାତି ଓ ଅଧିକ ସଂଖ୍ୟକ ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତବର୍ଷ 93 ପ୍ରଜାତିର ପକ୍ଷୀ ଆସିଥିବାବେଳେ ଏଥର 98 ଟି ପ୍ରଜାତିର ପକ୍ଷୀ ଆସିଛନ୍ତି । ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ତିଆରି କରାଯାଇଥିବା ଡିଏଫଓ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ