ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ପାଇଁ ଉତ୍ସବ ମୁଖର ହୋଇଉଠେ ସମ୍ବଲପୁର ସହର । ଏହି ଅବସରରେ ଘରେଘରେ କୁଣିଆଙ୍କ ଆସର ଜମିଥାଏ । କିନ୍ତୁ ନା ଏମାନଙ୍କୁ ନିମନ୍ତ୍ରଣ କରାଯାଏ ନା ଏମାନେ ନିମନ୍ତ୍ରିତ ଅତିଥି । ତଥାପି ଏମାନେ ଶୀତଳଷଷ୍ଠୀ ଯାତ୍ରାକୁ ଆସନ୍ତି । ଏମାନଙ୍କ ବିନା ଶୀତଳଷଷ୍ଠୀ ଯାତ୍ରା ଅଧୁରା । ଏମାନେ ହେଉଛନ୍ତି କିନ୍ନର । ଆଜିବି ସମାଜରେ ଏମାନଙ୍କ ପ୍ରତି ଭିନ୍ନ ଦୃଷ୍ଟିକୋଣ ରହିଛି । ତେବେ କାହିଁକି ଏମାନେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଆସନ୍ତି ? କଣ ରହିଛି ଆଧ୍ୟାତ୍ମିକ ବିଶ୍ବାସ, ଆସନ୍ତୁ ଜାଣିବା ।
ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ କିନ୍ନରଙ୍କ ଏକଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରତ୍ୟେକ ବର୍ଷ ହଜାର ହଜାର କିନ୍ନର ଦେଶର ବିଭିନ୍ନ ସ୍ଥାନରୁ ଆସି ଯାତ୍ରାରେ ସମିଲ ହୁଅନ୍ତି । ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହରେ ଏମାନେ ସମିଲ ହୁଅନ୍ତି । ଯୁଗଳଦର୍ଶନ ଶୋଭଯାତ୍ରାରେ ଏମାନଙ୍କ ନୃତ୍ୟ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ । ତେବେ ଏମାନଙ୍କ ଆଗମନ ପଛରେ ଏକ ଗଭୀର ବିଶ୍ବାସ ରହିଛି । ଏହି କଳୁଷପୂର୍ଣ୍ଣ ସମାଜରେ କିନ୍ନରମାନଙ୍କୁ ଏକ ଅଭିଶପ୍ତ ଜନ୍ମ ବୋଲି କୁହାଯାଏ । ଏଥିପାଇଁ ଅର୍ଦ୍ଧନାରୀଶ୍ବର ଭଗବାନ ଭୋଳାନାଥ ଶିବଙ୍କ ବିବାହ ଶୋଭଯାତ୍ରାରେ ସାମିଲ ହେଲେ ସେମାନଙ୍କୁ ଏହି ଅଭିଶପ୍ତ ଜନ୍ମରୁ ମୁକ୍ତି ମିଳିବ ବୋଲି ବିଶ୍ବାସ କରିନ୍ତି । ଏହି ଦୃଢ଼ ଅଧ୍ୟାତ୍ମିୟ ବିଶ୍ବାସ ସେମାନଙ୍କୁ ଶୀତଳଷଷ୍ଠୀ ଯାତ୍ରାକୁ ଆକର୍ଷିତ କରିଥାଏ ।
ଐତିହାସିକଙ୍କ ମତରେ ଭଗବାନ ଶିବଙ୍କ ବିବାହରେ କାହାକୁ ବାରଣ କରାଯାଇନି । ତେଣୁ ପ୍ରତିବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ କିନ୍ନର ମାନେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଆସିଥାନ୍ତି । କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ସେମାନେ ଆସିବାକୁ ସୁଯୋଗ ପାଇ ନଥିଲେ । ଚଳିତ ଥର କିନ୍ନରମାନଙ୍କୁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଥିବା ସେମାନେ ବେଶ ଖୁସିଥିବା କହିଛନ୍ତି । ଅନ୍ୟପଟେ ଶୀତଳଷଷ୍ଠୀ ଯାତ୍ରା କିନ୍ନର ମାନଙ୍କୁ ଏକ ଅବସର ଦେଇ ଥାଏ । ନିଜର ରାଜ୍ୟ ତଥା ରାଜ୍ୟ ବାହାରର ସାଙ୍ଗସାଥିଙ୍କ ସହ ବର୍ଷକରେ ଥରେ କିଛି ମୁହୂର୍ତ୍ତ ବିତେଇବା ପାଇଁ । 400 ବର୍ଷ ପୁରୁଣା ଏହି ପରମ୍ପରା କିନ୍ନର ମାନଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରି ଆସୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ