ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଆତ୍ମାହୁତି ଘଟଣା । ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦୀନବନ୍ଧୁଙ୍କ ମୃତ୍ୟୁକୁ ନେଇ ବିଜେଡି ବୃଥା ରାଜନୀତି କରୁଛି ବୋଲି ଅଭିଯୋଗ କରିଛି । ଏହାସହ ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ କୁଳପତିଙ୍କୁ ଦାୟୀ କରି କୁଳପତିଙ୍କ ଗିରଫଦାରି ଦାବି କରିଛି କଂଗ୍ରେସ । ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଓ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ରୂପେ କୁଳପତିଙ୍କୁ ଦାୟୀ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ ।
ଏଥିପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲଙ୍କୁ ତାଙ୍କ ପଦରୁ ହଟାଇବା ସହ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । କଂଗ୍ରେସ କମିଟିର ସଭାପତିଙ୍କ ନେତୃତ୍ବରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରାଯାଇଛି। ଏହା ସହ ଦୀନବନ୍ଧୁଙ୍କ ପୁଅଙ୍କୁ ସ୍ଥାୟୀ ଚାକିରୀ ଦେବା ସହ ପରିବାର ଲୋକଙ୍କୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି କଂଗ୍ରେସ। ମାନ୍ୟବର ହାଇକୋର୍ଟ ଯେଉଁ ତାରିଖରୁ ତାଙ୍କୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହି ଦିନଠାରୁ ହିସାବ କରି ତାଙ୍କ ପରିବାର ଲୋକଙ୍କୁ 7 ଦିନ ଭିତରେ ବର୍ଦ୍ଧିତ ଦରମା ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ