ସମ୍ବଲପୁର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ତିଆରି କରୁଛନ୍ତି ଜାତୀୟ ପତାକା । ତେବେ ଜିଲ୍ଲା ପ୍ରଶାସନର ମିଶନ ଶକ୍ତି ପକ୍ଷରୁ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ୧୦ ଦିନରେ ଦେଢ ଲକ୍ଷ ତ୍ରିରଙ୍ଗା ତିଆରି କରିଛନ୍ତି ।
ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ୧୦ ଦିନର ସମୟ ଦିଆଯାଇଥିଲା । ତେବେ ସ୍ବୟଂ ସହାୟକ ଗୋଷ୍ଠୀର ୪୦ ଜଣ ମହିଳା ଦିନ ରାତି ଏକ କରି ୧୦ ଦିନ ଭିତରେ ଦେଢ଼ ଲକ୍ଷ ତ୍ରିରଙ୍ଗା ତିଆରି କରି ଆଜି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏହି ମହିଳା ମାନେ କଟକ, ସୁରତ ଓ କୋଲକାତାରୁ କପଡା ମଗାଇ ତ୍ରିରଙ୍ଗା ତିଆରି କରିଛନ୍ତି । ତେବେ ତ୍ରିରଙ୍ଗା ନିର୍ମାଣ କରି ଏହି ମହିଳା ମାନେ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ।
ଦେଶ ୭୫ବର୍ଷ ସ୍ବାଧୀନତା ଦିବସ ଲାଗି 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରିଛି । ଏହି ଐତିହାସିକ ଦିନକୁ ଆହୁରି ସ୍ମରଣୀୟ ରଖିବା ଲାଗି କେନ୍ଦ୍ର ସରକାର 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଦିନ ପ୍ରତ୍ୟେକ ଦେଶବାସୀ ନିଜ ଘର ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ବାନ ରହିଛି ।
ଇଟିଭି ଭାରତ, ସମ୍ବଲପୁର