ସମ୍ବଲପୁର: ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଗତକାଲି(ବୁଧବାର) ଦାୟିତ୍ବ ଗ୍ରହଣ କରିଛନ୍ତି ଅନନ୍ୟା ଦାସ । ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ,"ସମ୍ବଲପୁରରେ ଲାଗି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରି ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏହାସହ ସମଲେଇ ଯୋଜନା କିପରି ଭଲ ଭାବେ ସମ୍ପୂର୍ଣ୍ଣ ହୋଇ ପାରିବ ସେନେଇ ଗୁରୁତ୍ୱ ଦିଆଯିବ ।"
ସମ୍ବଲପୁରରେ ନୂତନ ଜିଲ୍ଲାପାଳ ଭାବେ ଅନନ୍ୟା ଦାସ ଯୋଗ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅନ୍ୟପଟେ ଆଜି ସେ ସମଲେଇ ଯୋଜନା ନେଇ ଯୋଜନାର ସ୍ୱତନ୍ତ୍ର ଅଧିକାରୀ ଅନିରୁଦ୍ଧ ପ୍ରଧାନ ସମେତ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଏସଏମସି କମିଶନର ପ୍ରଦୀପ କୁମାର ସାହୁ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ସମଲେଇ ଯୋଜନାର ବର୍ତ୍ତମାନର ରୂପରେଖ ସ୍ଥିତି ଏବଂ ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।
ବିସ୍ଥାପନ, ଥଇଥାନ, କ୍ଷତିପୂରଣ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏହାସହ ଆଗାମୀ ବର୍ଷା ଦିନରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି, ସହରର ଡ୍ରେନେଜ ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଅନନ୍ୟା ଦାସ ।
ଇଟିଭି ଭାରତ, ସମ୍ବଲପୁର