ସମ୍ବଲପୁର: ଅଡ଼ୁଆରେ ତିନି ଓଲିଉଡ ଅଭିନେତ୍ରୀ। ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡ଼ିଓ ଉତ୍ତୋଳନ କରି ସେ ଅଡ଼ୁଆରେ ପଡ଼ିଛନ୍ତି । ଡ୍ୟାମର ନିଷିଦ୍ଧାଞ୍ଚଳରୁ ଏହି ଭିଡିଓଟି ଏବେ ଭାଇରାଲ ହୋଇଛି ।
ହୀରାକୁଦ ଡ୍ୟାମ ଉପରେ ଫଟୋ କିମ୍ବା ଭିଡିଓ କରିବା ନିଷିଦ୍ଧ ତଥା ଦଣ୍ଡନୀୟ । ତେବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଞ୍ଚଳରୁ ଭିଡିଓ ଉତ୍ତୋଳନ କରି ନିଜର ସୋସିଆଲ ମିଡିଆ ପେଜ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସମ୍ବଲପୁରର ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭିଡିଓରେ ତିନି ଜଣ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭଲି ଥିବାବେଳେ ତାଙ୍କ ସହ ଜଣେ ଶାସକ ଦଳର ମନ୍ତ୍ରୀଙ୍କ ଝିଅ ମଧ୍ୟ ନଜର ଆସୁଛନ୍ତି । ଦୁଇ ଦିନ ତଳେ ସମ୍ବଲପୁରର ଏକ ହୋଟେଲର ପ୍ରମୋସନ ପାଇଁ ଏକ କାର୍ଯ୍ୟକ୍ରମରେ ଓଲିଉଡ ଇଣ୍ଡ୍ରଷ୍ଟିଜର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିବା ସହ ହୀରାକୁଦ ଡ୍ୟାମ ବୁଲିବାକୁ ଯାଇଥିଲେ ।
ସେଠାରେ ଡ୍ୟାମ ଉପରକୁ ଯାଇ ନିଷିଦ୍ଧାଞ୍ଚଳରେ ଫଟୋ ସହ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ଯେ, ଏହି ଘଟଣା ନେଇ ହୀରାକୁଦ ଏସଡିପିଓଙ୍କୁ ସୋମବାର ସନ୍ଧ୍ୟା 5ଟା ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ତଦନ୍ତ ରିପୋର୍ଟ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ