ସମ୍ବଲପୁର: ଜିଲ୍ଲା ବୁର୍ଲା ପିଏଚଡି କାର୍ଯ୍ୟାଳୟ ଭିତରେ ଠିକାଦାରଙ୍କୁ ଆକ୍ରମଣ ହୋଇଛି । ଏଥିରେ ଜଣେ ଠିକାଦାର ଆହତ ହୋଇଥିବା ବେଳେ ତାଙ୍କ ହାତ ଆଙ୍ଗୁଠି ଛିଣ୍ତି ଯାଇଥିବା ସୂଚନା ମିଳିଛି । ଆହତ ଠିକାଦାର ଜଣକ ହେଲେ ବିଦ୍ୟାଧର ଦାଶ ଓରଫ ପପୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣକ କୌଣସି କାରଣରୁ ଠିକାଦାର ପ୍ରହଲ୍ଲାଦ ମହାନ୍ତିଙ୍କ ସହ ହଠାତ୍ ଝଗଡା ଆରମ୍ଭ କରିଥିଲେ । ପ୍ରହଲ୍ଲାଦ ପିଏଚଡି କାର୍ଯ୍ୟାଳୟ ଭିତରକୁ ଆସିବାର କିଛି ସମୟ ପରେ ଏକ ଖଣ୍ଡା ଧରି ଦୁର୍ବୃତ୍ତ ଜଣକ ଭିତରକୁ ପ୍ରବେଶ କରି ଆକ୍ରମଣ କରିଥିଲା । ହେଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଠିକାଦାର ବିଦ୍ୟାଧର ଅଟକାଇଥିଲେ । ହେଲେ ଏହି ଆକ୍ରମଣରେ ବିଦ୍ୟାଧରଙ୍କ ଡାହାଣ ହାତ ଆଙ୍ଗୁଠି ଛିଣ୍ଡି ଯାଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ଦୁର୍ବୃତ୍ତ ଜଣକ ପ୍ରଥମେ ଖଣ୍ଡା ଧରି ଭୟଭୀତ କରିଥିଲେ ଆଉ ପରେ ଆକ୍ରମଣ କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ,ସମ୍ବଲପୁର