ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ବିଶ୍ବ ବିଦ୍ୟାଳୟର ‘ସ୍କୁଲ ଅଫ ଫିଜିକ୍ସ’ ଅଧୀନରେ ଦିଆଯାଉଥିବା ଏମଏସସି ମେଡିକାଲ ଫିଜିକ୍ସ ପାଠ୍ୟକ୍ରମ ପାଇଁ ଏଟୋମିକ ଏନର୍ଜୀ ରେଗୁଲେଟୋରି ବୋର୍ଡ’ର ମାନ୍ୟତା ବାଧ୍ୟତାମୂଳକ ।
ତେବେ 2017 ରେ ଆରମ୍ଭ ହୋଇଥିବା ଏହି କୋର୍ସରେ ବର୍ତ୍ତମାନ ସୁଦ୍ଧା 2ଟି ବ୍ୟାଚ ଆଡମିଶନ କରିଥିଲେ ମଧ୍ୟ ଏହାର ଏଫିଲେସନ ନଥିବାରୁ ଏବେ 37 ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ସ୍ବୀକୃତି ନଥାଇ ଫିଜିକ୍ସ ପାଠ୍ୟକ୍ରମରେ ନାମଲେଖା ନେଇ ଛାତ୍ରଛାତ୍ରୀ ଆଡମିଶନ କରିବାର ବର୍ଷେ ପରେ ସବୁ ଜାଣିବା ସହ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏନେଇ କହିଲା ପରେ ମଧ୍ୟ କିଛି ଫଳ ନମିଳିବାରୁ ଗତ 7 ଦିନ ହେଲା ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ଏମଏସସି ମେଡିକାଲ ଫିଜିକ୍ସର 37 ଜଣ ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀଙ୍କ କହିବା କଥା ହେଲା ଏହି ପାଠ୍ୟକ୍ରମ ପାଇଁ AERB ର ମାନ୍ୟତା ଆବଶ୍ୟକତା ଥିବାବେଳେ ଆଡମିଶନ ସମୟରେ ଏନେଇ ତାଙ୍କୁ କିଛି କୁହାଯାଇନଥିଲା । ତେବେ ଆଡମିଶନ କରିବାର ଗୋଟିଏ ବର୍ଷ ପରେ ଚେନ୍ନାଇରେ ହେଉଥିବା ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସେମାନେ ଏହି AERB ମାନ୍ୟତାର ଗୁରୁତ୍ବ ଓ ଏହା ନଥିଲେ ପାଠ୍ୟକ୍ରମର କୌଣସି ମୂଲ୍ୟ ନାହିଁ ବୋଲି ଜାଣିଥିଲେ ।
ଏହା ପରେ ସେମାନେ ବିଭାଗୀୟ ମୂଖ୍ୟଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର କହିଲା ପରେ ମଧ୍ୟ କୌଣସି ଫଳ ମିଳିବାରୁ ଏବେ ଆନ୍ଦୋଳନରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସୂଚନା ଯୋଗ୍ୟ, ଯେ ଓଡିଶାର ଏକ ମାତ୍ର ବିଶ୍ବବିଦ୍ୟାଳୟ ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହିଁ ଏହି କୋର୍ସ ଚାଲିଛି । 2017 ମସିହାରେ ଏହା ଆରମ୍ଭ ହୋଇଥିଲା । ମୁଖ୍ୟତଃ କ୍ୟାନସର ଚିକିତ୍ସା ପାଇଁ ଏହି ପାଠ୍ୟକ୍ରମର ବହୁତ ଚାହିଦା ରହିଛି ।
ଏଥିପାଇଁ ଏହି ଛାତ୍ରଛାତ୍ରୀ ମାନେ 3 ବର୍ଷିଆ କୋର୍ସ ପାଇଁ ଦେଢ ଲକ୍ଷ ଟଙ୍କା ଫିସ ଦେଇ ଆଡମିଶନ କରିଥିଲେ ।ଅନ୍ୟପଟେ ପିଜି କାଉନସିଲର ଅଧ୍ୟକ୍ଷ କହିଛନ୍ତି ଯେ ପୂର୍ବରୁ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାନଥିଲା । କିନ୍ତୁ ବର୍ତ୍ତମାନ ଏଫିଲେସନ ପାଇଁ AERB କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି ।
ଗୋଟିଏ ସପ୍ତାହ ଭିତରେ ସେହି ଟିମ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ ଏବଂ ଏଫିଲେସନ ହୋଇଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ । କିନ୍ତୁ ବିଭାଗୀୟ ମୁଖ୍ୟଙ୍କ କଥାରେ ବିଶ୍ବାସ ନହେବାରୁ ଏହି ଛାତ୍ରଛାତ୍ରୀ ମାନେ ଆଜିଠୁ ଅନଶନରେ ବସିଛନ୍ତି । ଦାବି ପୂରଣ ନେହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ