ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ୨ ଏମସିଏଲ କର୍ମଚାରୀ ବୁଡିଯିବା ଘଟଣା । ଉଦ୍ଧାର ହେଲା ଦୁଇ ନିଖୋଜ କର୍ମଚାରୀଙ୍କ ମୃତଦେହ । ମୃତଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ଉଦ୍ଧାର ହୋଇଥିବା ବ୍ୟକ୍ତି ଅଭିଷେକ କୁମାର ଓ ମହେଶ ଚିତୁନି ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଏମସିଏଲ(MCL) ମୁଖ୍ୟାଳୟର ୫ ଜଣ କର୍ମଚାରୀ ରବିବାର ବଣଭୋଜି କରିବାକୁ ଝାଙ୍କରାଣୀ ପୀଠ ନିକଟ ହୀରାକୁଦ ଜଳଭଣ୍ଡାରକୁ ଆସିଥିଲେ ।
ଜଳଭଣ୍ଡାରକୁ ଗାଧେଇବାକୁ ଯାଇଥିବାବେଳେ ୨ ଜଣଙ୍କ ଗୋଡ଼ ଖସିଯିବାରୁ ଗଭୀର ଜଳରେ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଜଳଭଣ୍ତାରରେ ଖୋଜାଖୋଜି ଆରମ୍ଭ କରିଥିଲା । ସେପଟେ ଝାରସୁଗୁଡାରୁ ଓଡ୍ରାଫ ଟିମ ଆସି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସର୍ଚ୍ଚ ଅପରେସନ ସମୟରେ ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ୍ ।
ଇଟିଭି ଭାରତ, ସମ୍ବଲପୁର