ସମ୍ବଲପୁର: ଯୁବକଙ୍କ ଠକେଇର ନୂଆ ଫର୍ମୁଲା । ନିଜକୁ ନାଭାଲ ଅଫିସରର ପରିଚୟ ଦେଇ ବିଭିନ୍ନ ଦୋକାନରୁ ଲୁଟିଲେ ଲକ୍ଷାଧିକ ଟଙ୍କା । ଏହି ଠକେଇରେ ତାଙ୍କୁ ଜଣେ ଯୁବତୀ ସହାୟତା କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ସମ୍ବଲପୁର ଅଇଁଠା ପାଲି ଥାନାରେ ୩ଟି ଅଭିଯୋଗ ହୋଇଛି । ଯୁବତୀଙ୍କ ନାମରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଭିଯୁକ୍ତ ଯୁବକ ଅଟକ ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ନିଜକୁ ନାଭାଲ ଅଫିସର ଓ ଯୁବତୀ ଜଣକ ନିଜକୁ ଡାକ୍ତର ବୋଲି କହୁଥିଲେ । ଯୁବତୀ ଜଣକ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ ଠିକ ହୋଇଥିବା କହୁଥିଲେ । ଅଭିଯୁକ୍ତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲାର ବିପ୍ଳବ ପ୍ରଧାନ । କିଛି ଦିନ ହେଲା ସମ୍ବଲପୁର ସହରର ବିଭିନ୍ନ ମୋବାଇଲ ଦୋକାନକୁ ଏହି ଯୁବକ ଯୁବତୀ ସମ୍ଭ୍ରାନ୍ତ ବର୍ଗର ବେଶଭୂଷା ଧାରଣ କରି ବିଭିନ୍ନ କମ୍ପାନୀର ଦାମି ମୋବାଇଲ କିଣୁଥିଲେ । ଆଉ ଟଙ୍କା ଅନଲାଇନ ପେମେଣ୍ଟ ମଧ୍ୟ କରୁଥିଲେ ।
ଏହା ବି ପଢନ୍ତୁ- ପୋଲିସ ପାଖରେ ବିଧାୟକଙ୍କ କାରନାମା, ୨୦୨୪ ପୂର୍ବରୁ ନେତାଙ୍କୁ ତାଗିଦ ପାଇଁ ଅର୍ଚ୍ଚନା ବାହାନା !
ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା କିନ୍ତୁ ଟଙ୍କା କାଟିଥିବା ମେସେଜ ବିପ୍ଳବ ଦୋକାନୀଙ୍କୁ ଦେଖାଉଥିଲେ । ଟଙ୍କା ଯଦି ନଆସେ ଚିନ୍ତା କରିବେନି ମୁଁ ଜଣେ ନାଭାଲ ଅଫିସର କହି ଦୋକାନୀକୁ ନାଭାଲ ଅଫିସରର ଏକ ଆଇକାର୍ଡ ଦେଖାଇ ସେଠାରୁ ଚଞ୍ଚକତା କରି ଫେରାର ହୋଇ ଯାଉଥିଲେ । ଏଭଳି ଅନେକ ଦୋକାନରୁ କରିବା ପରେ, ଗତକାଲି ଧନୁପାଲି ଅଞ୍ଚଳରେ ଥିବା ଏକ ମୋବାଇଲ ଦୋକାନକୁ ଯାଇ ଠିକ ଏଭଳି ଠକାମି କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ ।
ଆଉ ଲୋକେ ତାଙ୍କୁ ଧରି ଧନୁପାଲି ପୋଲିସରେ ହସ୍ତାନ୍ତର କରିଥିଲେ । କିନ୍ତୁ ଏନେଇ ଅଇଁଠାପାଲି ଥାନାରେ ପୂର୍ବରୁ ଅଭିଯୋଗ ହୋଇଥିବାରୁ ଅଭିଯୁକ୍ତ ଯୁବକଙ୍କୁ ଅଇଁଠାପାଲି ଥାନାକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ସମସ୍ତ ଘଟଣାର ଏବେ ତଦନ୍ତ ଜାରି ରଖିଛି । ସେ ପ୍ରକୃତରେ ନାଭାଲ ଅଫିସର ଅଟନ୍ତି କି ନାଇଁ ସେନେଇ ତଦନ୍ତ ଜାରି ରହିଛି । ତେବେ ସମ୍ବଲପୁର ଟାଉନ ଥାନାରେ ମଧ୍ୟ ଏହିଭଳି ୨ଟି ଅଭିଯୋଗ ହୋଇଥିବା ଜଣାପଡିଛି ।
ଇଟିଭି ଭାରତ, ସମ୍ବଲପୁର